କୋର୍ଟ ନିର୍ଦ୍ଦେଶ ପରେ ସିଲ ହେଲା ଦୋକାନ ଗୃହ ଓ ଭଙ୍ଗାଗଲା ଢ଼ାବା

କୋର୍ଟ ନିର୍ଦ୍ଦେଶ ପରେ ସିଲ ହେଲା ଦୋକାନ ଗୃହ ଓ ଭଙ୍ଗାଗଲା ଢ଼ାବା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବଡଝରା ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ଉଚ୍ଛେଦ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ପଞ୍ଚାୟତ ଅଫିସ ମାର୍କେଟ ଗୃହଗୁଡ଼ିକରେ ତାଲା ପକାଯିବା ସହିତ ଦୀର୍ଘ ଦିନ ଧରି ବେଆଇନ ଭାବେ ଚାଲିଥିବା ‘ମା ମଙ୍ଗଳା ଢ଼ାବା’କୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ପୂର୍ବତନ ସରପଞ୍ଚଙ୍କ ଦ୍ୱାରା ନିୟମ ଉଲ୍ଲଂଘନ କରାଯାଇ ଏହି ମାର୍କେଟ କମ୍ପ୍ଲେକ୍ସ ଓ ଢ଼ାବା ଚାଲୁଥିବାର ଅଭିଯୋଗ ହୋଇଥିଲା, ଯାହାକୁ ନେଇ ବର୍ତ୍ତମାନର ସରପଞ୍ଚ ଶ୍ରୀମତୀ ରୁନୁବାଳା ପ୍ରଧାନ ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଥିଲେ।

ଏହି ଘଟଣାକୁ ନେଇ ପୂର୍ବରୁ କୋର୍ଟରେ ଏକ ମାମଲା ଚାଲିଥିଲା ଏବଂ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିଲା। ତେବେ, ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଏବଂ ପରଜଙ୍ଗ ତହସିଲଦାରଙ୍କ ଚିଠି ସଂଖ୍ୟା-୪୪୪୮ ଆଧାରରେ ପ୍ରଶାସନ ଉଚ୍ଛେଦ ନିଷ୍ପତ୍ତି ନେଇଥିଲା। ବିଧିବଦ୍ଧ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଶାସନର ଏହି ତ୍ୱରିତ ପଦକ୍ଷେପ ବେଆଇନ କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଚେତାବନୀ ବୋଲି କୁହାଯାଉଛି।

ଉଚ୍ଛେଦ ସମୟରେ ପରଜଙ୍ଗ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ, ସ୍ଥାନୀୟ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ଉଚ୍ଛେଦ ଅଭିଯାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ଏବଂ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ସରକାରୀ ସମ୍ପତ୍ତିର ଉପଯୁକ୍ତ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ପଞ୍ଚାୟତ ଅଧିକାରୀମାନେ ଭବିଷ୍ୟତରେ କୌଣସି ବେଆଇନ ନିର୍ମାଣ କିମ୍ବା କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ନ କରିବା ପାଇଁ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories