ପୁଣି ବାଣ ମାରିଲେ ଶ୍ରୀମୟୀ! ଟାର୍ଗେଟରେ ସୁଜାତା ପାଣ୍ଡିଆନ?

ପୁଣି ବାଣ ମାରିଲେ ଶ୍ରୀମୟୀ! ଟାର୍ଗେଟରେ ସୁଜାତା ପାଣ୍ଡିଆନ?

ଭୁବନେଶ୍ବର: ବିଜେଡିରୁ ବହିଷ୍କାର ହେବା ପରେ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଆଭିମୁଖ୍ୟ ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀମୟୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ ନକରି, ପୂର୍ବତନ ପ୍ରଶାସକ ତଥା ନେତା କାର୍ତ୍ତିକେୟ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ନିଶାନା କରୁଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ କବିତା ମାଧ୍ୟମରେ ବିଜେଡିର ଆଭ୍ୟନ୍ତରୀଣ ରଣନୀତି ଓ କିଛି ମହିଳା ନେତ୍ରୀଙ୍କ ଭୂମିକାକୁ ନେଇ କଡ଼ା ସମାଲୋଚନା କରିଛନ୍ତି।

ଶ୍ରୀମୟୀ ମିଶ୍ର ନିଜର ସୋସିଆଲ ମିଡିଆ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ, କିଛି ମହିଳା ନେତ୍ରୀଙ୍କୁ ଏକତ୍ରିତ କରି ସୁଜାତା କାର୍ତ୍ତିକେୟନଙ୍କୁ ଦଳରେ ସାମିଲ କରିବା ପାଇଁ ଏକ “ପ୍ରାୟୋଜିତ କାର୍ଯ୍ୟକ୍ରମ” ଚାଲିଛି। ସେ କବିତା ମାଧ୍ୟମରେ ଲେଖିଛନ୍ତି…

ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ। ମୁଖିଆଙ୍କୁ ମନାଇବାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। କ୍ଷମତା ଲୋଭ ଯାହାକୁ ଗ୍ରାସିଛି, ସେ ତା’ ଅଭିଳାଷା ଆଦୌ ଛାଡ଼ିବେ ନାହିଁ।

ଏହି ପୋଷ୍ଟ ମାଧ୍ୟମରେ ସେ ପରୋକ୍ଷରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି। ଚର୍ଚ୍ଚା ହେଉଛି ଯେ, ସ୍ନେହାଙ୍ଗିନୀଙ୍କ ନେତୃତ୍ୱରେ କିଛି ମହିଳା ନେତ୍ରୀ ନବୀନ ନିବାସ ଯାଇ ସୁଜାତାଙ୍କ ପାଇଁ ଲବି କରିପାରନ୍ତି। ଶ୍ରୀମୟୀଙ୍କ ମତରେ, ଏହା ଦଳକୁ ପୁଣି ଥରେ ପାଣ୍ଡିଆନ ପରିବାରର ନିୟନ୍ତ୍ରଣକୁ ନେବା ପାଇଁ ଏକ ବଡ଼ ଚକ୍ରାନ୍ତ।

ଶ୍ରୀମୟୀଙ୍କ ଏହି ଗୁରୁତର ଅଭିଯୋଗକୁ ସ୍ନେହାଙ୍ଗିନୀ ଛୁରିଆ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଶଙ୍ଖ ଭବନରେ ମହିଳା ଶାଖାର ନିୟମିତ ବୈଠକ ଅଛି ଏବଂ ଏହା ସହିତ କୌଣସି ବ୍ୟକ୍ତିଗତ ଲବିର ସମ୍ପର୍କ ନାହିଁ। ଶ୍ରୀମୟୀଙ୍କ ପୋଷ୍ଟକୁ ସେ ଅବାନ୍ତର ବୋଲି ଦର୍ଶାଇଛନ୍ତି।

ଶ୍ରୀମୟୀ ଦାବି କରିଛନ୍ତି ଯେ ୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କ ପ୍ରଭାବ ଯୋଗୁଁ ବିଜେଡିର ପରାଜୟ ହୋଇଛି। ଏବେ ପୁଣି ତାଙ୍କ ପତ୍ନୀଙ୍କୁ ଦଳରେ ଏଣ୍ଟ୍ରି କରାଇ ଦଳର ଶକ୍ତିକୁ ହାତେଇବାକୁ ଚେଷ୍ଟା କରାଯାଉଛି। ଶ୍ରୀମୟୀଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ବିଜେଡି ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି।

ଶ୍ରୀମୟୀଙ୍କ ଏହି କବିତା ଯୁଦ୍ଧ ଏବଂ ସୁଜାତା ପାଣ୍ଡିଆନଙ୍କ ସମ୍ଭାବ୍ୟ ଏଣ୍ଟ୍ରି ବିଜେଡିରେ କୌଣସି ନୂଆ ବିବାଦ ସୃଷ୍ଟି କରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories