ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆଜି ପବିତ୍ର ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟାନ୍ୟ ଶ୍ରୀବିଗ୍ରହମାନଙ୍କର ବିଶେଷ ନୀତି ‘ବନକଲାଗି’ ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ସମୟରେ ଶ୍ରୀମନ୍ଦିରର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ ଏବଂ ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବ।

ବନକଲାଗି ହେଉଛି ତିନି ଠାକୁରଙ୍କ ମୁଖମଣ୍ଡଳର ଏକ ବିଶେଷ ଶୃଙ୍ଗାର ବା ପ୍ରସାଧନ ପ୍ରକ୍ରିୟା, ଯାହାକୁ ମନ୍ଦିର ଭାଷାରେ ‘ବନକଲାଗି’ କୁହାଯାଏ। ଏହି ନୀତି ପ୍ରତିମାସରେ ହାରାହାରି ଦୁଇଥର ଅନୁଷ୍ଠିତ ହୋଇଥାଏ। ନିୟମ ଅନୁଯାୟୀ, ଏହା ବୁଧବାର ଦିନ କରାଯାଏ। ଦି’ପ୍ରହର ଧୂପ ସରିବା ପରେ ଏବଂ ସମସ୍ତ ଦରଜା ବନ୍ଦ କରାଯିବା ପରେ ନୀତି ଆରମ୍ଭ ହୁଏ। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ।

ବନକଲାଗି ନୀତିଟି ପାରମ୍ପରିକ ଭାବେ ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା ସମ୍ପାଦନ କରାଯାଇଥାଏ। ଏହି ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଶ୍ରୀଜୀଉମାନଙ୍କର ମୁଖ ସିଂହାର କରିଥାନ୍ତି। ମହାପ୍ରଭୁଙ୍କ ମୁଖମଣ୍ଡଳରେ କୌଣସି ଆଭୂଷଣ ନଥାଇ ମଧ୍ୟ ଯେଉଁ ଅପୂର୍ବ ଆକର୍ଷଣ ରହିଛି, ତାହାର ମୁଖ୍ୟ କାରଣ ହେଉଛି ଏହି ରଙ୍ଗବିନ୍ୟାସ। କବି ସାଲବେଗ ମଧ୍ୟ ଲେଖିଛନ୍ତି, “ଝଲମଲ ଦିଶୁଥାଇ ମୁକୁତାର ଝଟକ”।

ବନକଲାଗିରେ ବ୍ୟବହୃତ ରଙ୍ଗସବୁ ବଜାରରୁ ଅଣାଯାଇ ନଥାଏ, ବରଂ ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ‘ଦତ୍ତ ମହାପାତ୍ର’ ନିୟୋଜିତ। ଏମାନଙ୍କ କାମ ହେଉଛି ରଙ୍ଗ ପ୍ରସ୍ତୁତ କରିବା ଏବଂ ବିଗ୍ରହରେ ଲଗାଇବା। ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ରଙ୍ଗ ପ୍ରସ୍ତୁତ କରାଯାଏ। ଏହି ରଙ୍ଗ ପ୍ରସ୍ତୁତି ପାଇଁ ଭିତର ବେଢ଼ାର ଉତ୍ତର ପଟେ ‘ବନକଲାଗି ଘର’ ନାମକ ଏକ କୋଠରୀ ରହିଛି।

ଏହି ରଙ୍ଗସବୁରେ କର୍ପୂର, କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ମିଶାଯାଇଥାଏ। ବିଶେଷକରି, କସ୍ତୁରୀ ବ୍ୟବହାର ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହିବା ସହ ରଙ୍ଗ ଦୀର୍ଘସ୍ଥାୟୀ ହୋଇଥାଏ, ଯାହାକି ରତ୍ନସିଂହାସନ ଆଗରେ ବଢାଯାଉଥିବା ଭୋଗର ଗରମ ବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯିବାକୁ ଦେଇନଥାଏ। ବିଧିମତେ ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦର୍ଶନ ବନ୍ଦ ରହିବା ବିଷୟରେ ସୂଚନା ଦିଆଯାଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories