୫ମ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ଉଦଘାଟିତ: ଯୋଗଦେଲେ ସିଦ୍ଧାନ୍ତ ମହାପାତ୍ର

୫ମ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ

ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ପୁରୁଣାକଟକସ୍ଥିତ ମିନି ଷ୍ଟାଡିୟମଠାରେ ୫ମ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି l ହଜାର ହଜାର ଭକ୍ତଙ୍କ ଗହଣରେ ମାଁ ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରୁ ପାରମ୍ପରିକ ଢ଼ୋଲ, ନିଶାନ, ଘଣ୍ଟାଧ୍ୱନି ମଶାଲ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାଚ ଗୀତରେ ମହୋତ୍ସବ ପଡିଆକୁ ମଶାଲ ପହଞ୍ଚିଥିଲା l ସନ୍ଧ୍ୟାରେ ମାଁଙ୍କ ସନ୍ଧ୍ୟା ଆଳତି ପରେ ମହୋତ୍ସବର ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମହୋତ୍ସବ କମିଟି ସମ୍ପାଦକ ଅଶୋକ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ l ଅତିଥିମାନେ ମାଁ ଭୈରବୀଙ୍କ ମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହୋତ୍ସବକୁ ଶୁଭାରମ୍ଭ କରିଥିଲେ l ଏହି ମହୋତ୍ସବ ରାଜ୍ୟର ଗୌରବ ଏବଂ ମାଁଙ୍କ କରୁଣା ଅପାର ବୋଲି ଅତିଥିମାନେ ନିଜର ମତ ରଖିଥିଲେ l

ଚଳଚ୍ଚିତ୍ର ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ବିଧାନସଭାର ଛାଟିଆ ବୋଲି ସମ୍ବୋଧନ କରିବା ସହ ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଅପାର ସମ୍ଭାବନା ରହିଛି ବୋଲି ନିଜ ଅଭିଭାଷଣରେ କହିଥିଲେ l ଭୈରବୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ ମଞ୍ଚ ପରିଚାଳନା କରିଥିଲେ l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ସହ ଲୋକନୃତ୍ୟରେ ମଞ୍ଚ ଆକର୍ଷଣୀୟ ସାଜିଥିଲା l ରାଜ୍ୟର ପ୍ରସିଦ୍ଧ ନୃତ୍ୟ ଗୀତ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନ୍ୟପଟେ ମାଁ ଭୈରବୀ ମହୋତ୍ସବର ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ମାଁ ଭୈରବୀଙ୍କ ନାମରେ ହୋଇଥିବା ସଂଗୀତକୁ ଶୁଭାରମ୍ଭ କରାଯାଇଥିଲା l

ଅନ୍ୟପଟେ ମହୋତ୍ସବ ପଡିଆରେ ଭିଡ଼କୁ ପରିଲକ୍ଷିତ କରି ଲୋକମାନଙ୍କ ପାଇଁ ପାର୍କିଂ, ସିସିଟିଭି ନିରୀକ୍ଷଣ, ପୋଲିସ ପ୍ରଶାସନ କଡାକଡ଼ି ବ୍ୟବସ୍ଥା କରାଯାଇଥିଲା l ମହୋତ୍ସବକୁ ନେଇ ପୁରୁଣାକଟକର ବଜାର ଓ ବ୍ୟବସାୟିକ ଅନୁଷ୍ଠାନ ବି ଚଞ୍ଚଳ ହୋଇଯାଇଛି l ମେଳାରେ ଖାଦ୍ୟ ଷ୍ଟଲ୍, ହସ୍ତଶିଳ୍ପ, ଖେଳନା, ହାତ ତିଆରି ସାଜସଜ୍ଜା ସାମଗ୍ରୀ ମଧ୍ୟ ବଜାର ଖୋଲିଥିବା ଦେଖିବାକୁ ମିଳିଛି l

ଆସନ୍ତା ୬ ଦିନଧରି ଭକ୍ତି, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମର ଏକ ବ୍ୟାପକ ଅନୁଷ୍ଠାନ ଚାଲିବ l ଭଜନ ସନ୍ଧ୍ୟା, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରଖଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି l ଉକ୍ତ ମହୋତ୍ସବରେ କମିଟିର ସମସ୍ତ ସଦସ୍ୟ ଓ ଭୈରବୀ କ୍ଳବର ସମସ୍ତ ସଦସ୍ୟଙ୍କ ସହ ଡ୍ରାଇଭର ମହାସଙ୍ଘ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories