ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ନାମ କାନରେ ବାଜିଲେ, ମନ ଓ ହୃଦୟରେ ସତ୍ୟ ଓ ଅହିଂସା ଭାବ ସ୍ୱତଃ ଉଦ୍ରେକ ହୋଇଥାଏ । ଗାନ୍ଧିଜୀ ଥିଲେ ସତ୍ୟ ଓ ଅହିଂସାର ନିଷ୍ଠାପର ପୂଜାରୀ ଓ ସାଧକ, ଖୁବ୍ ଉଚ୍ଚମନା, ଦେଶପ୍ରେମୀ, ସେବକ ଓ ତ୍ୟାଗୀ । ସତ୍ୟ ପ୍ରତି ଆଗ୍ରହ ଓ ଅସତ୍ୟ ପ୍ରତି ଉପେକ୍ଷା-ଅସହଯୋଗ ତାଙ୍କର ପ୍ରଚଣ୍ଡ ଆତ୍ମଶକ୍ତିର ଅଭିବ୍ୟକ୍ତି । ଗାନ୍ଧିଜୀ ଏହି ମହାନ୍ ସମର ତୁରୀ ବଜାଇ ତତ୍କାଳୀନ ଶାସକ ଗୋଷ୍ଠୀର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ରାମ ନାମ ସ୍ମରଣ ଓ ସତ୍ୟ ଏବଂ ଅହିଂସାକୁ ଆନ୍ଦୋଳନର ପ୍ରଧାନ ଅସ୍ତ୍ର ରୂପେ ବ୍ୟବହାର କରି ସେ ଦେଇଥିଲେ ଭାରତକୁ ସ୍ୱାଧୀନତା ।
ବିଂଶ ଶତାବ୍ଦୀର ଶ୍ରେଷ୍ଠ ମାନବ ସତ୍ୟର ପୂଜାରୀ ତଥା ଅହିଂସାର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଛି । ବିଧାନସଭା ପରିସରରେ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ଶହୀଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଭାସ୍କର ଚନ୍ଦ୍ର ମଢ଼େଇଙ୍କ ସମେତ ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀଗଣ ଗାନ୍ଧିଜୀଙ୍କ ପି୍ରୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ’ ପରିବେଷଣ କରିଥିଲେ । ପୋଲିସବାହିନୀ ଦ୍ୱାରା ବୀର ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ତୋପଧ୍ୱନି, ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ସମାପ୍ତିର ସଙ୍କେତ ସ୍ୱରୂପ ଦ୍ୱିତୀୟବାର ତୋପଧ୍ୱନି କରାଯାଇଥିଲା । ଓଡ଼ିଶା ପୋଲିସ ବ୍ୟାଣ୍ଡ ଦ୍ୱାରା ରାମଧୂନ ପରିବେଷଣ ଓ ଜାତୀୟ ସଂଗୀତ ବାଦନ ପରେ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍ବୀର ସିଂହ ଓ ଅନ୍ୟ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Author: Hindustan Tales Odisha
Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.







