ଶୀତ ପ୍ରବାହରେ ଥରୁଛି ରାଜ୍ୟ: ଆହୁରି ସପ୍ତାହେ ନିସ୍ତାର ନାହିଁ; ୩.୧°C ସହ ଜି.ଉଦୟଗିରି ସର୍ବନିମ୍ନ

ଶୀତ ପ୍ରବାହରେ ଥରୁଛି ରାଜ୍ୟ: ଆହୁରି ସପ୍ତାହେ ନିସ୍ତାର ନାହିଁ; ୩.୧°C ସହ ଜି.ଉଦୟଗିରି ସର୍ବନିମ୍ନ

ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି ଏବଂ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଗୋଟିଏ କିମ୍ବା ଦୁଇଟି ସହରର ତାପମାତ୍ରା ସାମାନ୍ୟ ଏପାଖ ସେପାଖ ହୋଇପାରେ। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାସ୍ଥିତ ଜି.ଉଦୟଗିରି ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି.ଉଦୟଗିରିରେ ୪.୨ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ସିମିଳିଗୁଡ଼ାରେ ୬.୧ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ରାଉରକେଲାରେ ୮.୨ ଡିଗ୍ରୀ, ଚିପିଲିମାରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, ବୌଦ୍ଧ ଏବଂ କିରୋଇରେ ୯.୮ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ଯେ କେତେକ ସ୍ଥାନରେ ପାରଦ ସ୍ୱାଭାବିକ ତାପମାତ୍ରା ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଆହୁରି ଅନେକ ଦିନ ପର୍ଯ୍ୟନ୍ତ ଶୀତରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ଆସନ୍ତା ଦୁଇ ଦିନ ଅର୍ଥାତ୍ ଡିସେମ୍ବର ୧୫ ଓ ୧୬ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଏବଂ ସୁନ୍ଦରଗଡ଼ ସହରର ତାପମାତ୍ରା ୧୧ ଡିଗ୍ରୀ ରହିବାର ଆକଳନ କରାଯାଇଛି। ପରବର୍ତ୍ତୀ ତିନିଦିନ (ଡିସେମ୍ବର ୧୭, ୧୮ ଓ ୧୯) ରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିବ। ଏଥିସହ ୧୭ ତାରିଖରେ ସୁନ୍ଦରଗଡ଼ର ତାପମାତ୍ରା ୧୧ ଡିଗ୍ରୀ ଏବଂ ୧୮ ଓ ୧୯ ତାରିଖରେ ୧୦ ଡିଗ୍ରୀ ରହିବ ବୋଲି IMD ସ୍ପଷ୍ଟ କରିଛି।

ତାପମାତ୍ରା ହ୍ରାସ ପାଉଥିବାରୁ ବଜାରରେ ଶୀତକାଳୀନ ପୋଷାକର ଚାହିଦା ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ଶୋ’ରୁମ୍, ସେକ୍ଟର-୩ ବାସନ୍ତୀ ପଡ଼ିଆ ଏବଂ କୋଣାର୍କ ଟକିଜ୍ ପାଖରେ ଥିବା ଅସ୍ଥାୟୀ ତିବ୍ବତୀୟ ଶୀତକାଳୀନ ବଜାରରେ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ବଜାରଗୁଡ଼ିକରେ ପୁରୁଷ, ମହିଳା ଏବଂ ଶିଶୁମାନଙ୍କ ପାଇଁ ବିଭିନ୍ନ ଦରର ଜ୍ୟାକେଟ୍, ହୁଡି, ସ୍ୱେଟ୍‌ସାର୍ଟ, କ୍ୟାପ୍ ଓ ଗ୍ଲୋଭ୍‌ସ ଆଦି ଉପଲବ୍ଧ ରହିଛି। ସେହିପରି ମେନ୍ ରୋଡ୍, ବିର୍ସା ରୋଡ୍ ଏବଂ ଉଦିତନଗରର ଛୋଟବଡ଼ ଦୋକାନଗୁଡ଼ିକରେ ମଧ୍ୟ ଭିଡ଼ ପରିଲକ୍ଷିତ ହେଉଛି। କମ୍ବଳ ଓ ରଜାଇର ଚାହିଦା ମଧ୍ୟ ବହୁତ ଅଧିକ ରହିଛି। ବ୍ୟବସାୟୀମାନେ ଆଶା କରୁଛନ୍ତି ଯେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଏହି ବେପାର ଭଲରେ ଚାଲିବ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories