ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନରେ ଆଜି ଏକ ଅତ୍ୟନ୍ତ ରୋଚକ ଓ ଉତ୍ତେଜନାପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ସଂସଦ ପରେ ଏବେ ଓଡ଼ିଶା ବିଧାନ ସଭା ରେ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ବିଧାନସଭା ପରିସରକୁ ଉଷ୍ମ କରିଦେଇଛି।
ସୂଚନାଯୋଗ୍ୟ, ବିଧାନସଭା ଗୃହରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଥିଲେ ଯେ, ଦେଶ ବିଭାଜନ ପାଇଁ ମହାତ୍ମା ଗାନ୍ଧୀ ଦାୟୀ। ଏହି ମନ୍ତବ୍ୟକୁ ‘ଗାନ୍ଧୀଙ୍କୁ ଅପମାନିତ’ କରିବା ଭାବେ ନେଇ ବିରୋଧୀଦଳମାନେ ଆଜି ଏକାଠି ହୋଇଛନ୍ତି। ଗୃହରେ ଏପରି ମନ୍ତବ୍ୟ ଦେଇ ଜାତିର ପିତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗରେ ଆଜି କଂଗ୍ରେସ ଓ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମୌନ ପ୍ରତିବାଦ କରି ଧାରଣା ଦେଇଛନ୍ତି। ଏହି ଧାରଣାରେ ଉଭୟ ଦଳର ସଦସ୍ୟମାନେ ସାମିଲ ହୋଇଥିଲେ।
ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କହିଛନ୍ତି ଯେ, ଗୃହରେ ବିଜେପି ବିଧାୟକ ଗାନ୍ଧୀଜୀଙ୍କୁ ଅପମାନିତ କରିଛନ୍ତି। ଜାତିର ପିତାଙ୍କୁ ଅପମାନିତ କରି ଗୃହକୁ ଅପବିତ୍ର କରାଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ମନ୍ତବ୍ୟ ଦେଇଥିବା ବିଧାୟକଙ୍କୁ ଇତିହାସ କେବେ ବି କ୍ଷମା କରିବ ନାହିଁ। ପ୍ରସନ୍ନ ଆଚାର୍ଯ୍ୟଙ୍କ ମତରେ, ଗାନ୍ଧୀଜୀଙ୍କୁ ଅପମାନ ଦେବା ସମଗ୍ର ଜାତି ପ୍ରତି ଅପମାନ ସଦୃଶ।
ବିରୋଧୀଦଳମାନେ ଦାବି କରିଛନ୍ତି ଯେ, ବାଚସ୍ପତି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ବିରୋଧୀମାନେ ସଂପୃକ୍ତ ବିଧାୟକଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଏହି ଘଟଣା ବିଧାନସଭାର ଶୀତ ଅଧିବେଶନରେ ରାଜନୈତିକ ଉତ୍ତେଜନାକୁ ବହୁଗୁଣିତ କରିଦେଇଛି ଏବଂ ଆଗାମୀ ଦିନରେ ଏହାର ପ୍ରଭାବ ଗୃହ କାର୍ଯ୍ୟ ଉପରେ ପଡ଼ିବ ବୋଲି ଆଶା କରାଯାଉଛି।








