ସୁନ୍ଦରଗଡ଼ OSCSC ଜୁନିୟର ଆକାଉଣ୍ଟାଣ୍ଟ ଗିରଫ: ଭିଜିଲାନ୍ସ ଜାଲରେ ରବୀନ୍ଦ୍ର ବାରିକ, ମିଳିଲା କୋଟି କୋଟିର ସମ୍ପତ୍ତି

ସୁନ୍ଦରଗଡ଼ OSCSC ଜୁନିୟର ଆକାଉଣ୍ଟାଣ୍ଟ ଗିରଫ: ଭିଜିଲାନ୍ସ ଜାଲରେ ରବୀନ୍ଦ୍ର ବାରିକ, ମିଳିଲା କୋଟି କୋଟିର ସମ୍ପତ୍ତି

ସୁନ୍ଦରଗଡ଼: ରାଜ୍ୟରେ ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ ଭିଜିଲାନ୍ସର କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି କ୍ରମରେ ସୁନ୍ଦରଗଡ଼ OSCSC (ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମ) ଲିମିଟେଡ୍‌ର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ମିଳିଥିବା ସମ୍ପତ୍ତିର ତାଲିକା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

ରବୀନ୍ଦ୍ର ବାରିକଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କର ବାଲେଶ୍ୱର ସ୍ଥିତ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରୁ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ବାଲେଶ୍ୱର ସହରରେ ରବୀନ୍ଦ୍ରଙ୍କର ଏକ ବିଶାଳ ଅଟ୍ଟାଳିକା ରହିଥିବା ବେଳେ ଏକ ବଡ଼ ମାର୍କେଟ କମ୍ପ୍ଲେକ୍ସ ଏବଂ ଅତ୍ୟାଧୁନିକ ଜିମ୍‌ ମଧ୍ୟ ଠାବ ହୋଇଛି। କେବଳ ସେତିକି ନୁହେଁ, ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରେ ତାଙ୍କର ୪ଟି ଦାମୀ ପ୍ଲଟ୍ ଏବଂ ଏକ ବିରାଟ କଲ୍ୟାଣ ମଣ୍ଡପ ମଧ୍ୟ ରହିଛି।

ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ରବୀନ୍ଦ୍ରଙ୍କ ଘରୁ ପ୍ରାୟ ୧୭୫ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଛନ୍ତି। ଏହା ସହିତ ବିଭିନ୍ନ ବ୍ୟାଙ୍କରେ ତାଙ୍କ ନାମରେ ୪୩ ଲକ୍ଷ ୮୧ ହଜାର ଟଙ୍କାର ଜମା ରାଶି (Bank Deposits) ଥିବା ଜଣାପଡ଼ିଛି। ଜଣେ ଜୁନିୟର ଆକାଉଣ୍ଟାଣ୍ଟଙ୍କ ପାଖରେ ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆସିଲା, ସେ ନେଇ ଭିଜିଲାନ୍ସ ଅଧିକାରୀମାନେ ଛାନଭିନ୍ ଜାରି ରଖିଛନ୍ତି।

ତଥ୍ୟ ଅନୁଯାୟୀ, ରବୀନ୍ଦ୍ର ବାରିକ ୧୯୯୫ ମସିହାରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ସେ ସମୟରେ ଭଦ୍ରକ ସିଭିଲ ସପ୍ଲାଏଜ୍ ଅଫିସରେ ତାଙ୍କର ମାସିକ ଦରମା ମାତ୍ର ୫୪୦୦ ଟଙ୍କା ଥିଲା। ଜଣେ ସ୍ୱଳ୍ପ ଦରମା ଭୋଗୀ କର୍ମଚାରୀ କିଭଳି ଭାବେ ଏତେ ପରିମାଣର ସମ୍ପତ୍ତିର ମାଲିକ ହେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଜର କ୍ଷମତାର ଅପବ୍ୟବହାର କରି ସେ ଏହି ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରାଯାଉଛି।

ରବୀନ୍ଦ୍ରଙ୍କ ସମ୍ପତ୍ତିର ଆକଳନ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁର୍ନୀତିରେ ଆଉ କାହାର ସମ୍ପୃକ୍ତି ରହିଛି କିମ୍ବା ଆଉ କେଉଁଠାରେ ବେନାମୀ ସମ୍ପତ୍ତି ରହିଛି, ସେ ନେଇ ଅଧିକ ତଦନ୍ତ ଚାଲିଛି। ଏହି ଘଟଣା ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories