UGC ର ନୂଆ ନିୟମାବଳୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ୟାକୁ ନେଇ କାହିଁକି ଏତେ ବିବାଦ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା

UGC ର ନୂଆ ନିୟମାବଳୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ୟାକୁ ନେଇ କାହିଁକି ଏତେ ବିବାଦ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା

ନୂଆ ଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ଲାଗୁ ହେଇଥିବା ‘ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬’ ଉପରେ ସମ୍ପ୍ରତି ବିବାଦ ଦେଖାଦେଇଛି । ୨୦୧୨ର ପୁରୁଣା ନିୟମ ବଦଳରେ ଏହି ନୂଆ କଡ଼ା ନିୟମ ଅଣାଯାଇଥିଲା, ଯାହାର ମୂଳ ଲକ୍ଷ୍ୟ ଥିଲା ବିଶ୍ୱବିଦ୍ୟାଳୟଗୁଡ଼ିକରେ SC, ST ଏବଂ OBC ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଜାତିଗତ ପାତରଅନ୍ତରକୁ ରୋକିବା । ଏଥିରେ ଜାତିଗତ ଭେଦଭାବର ସଂଜ୍ଞା ସହ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ବ୍ୟବସ୍ଥା ଓ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ନିୟମ ମୁତାବକ ଏହି କମିଟିଗୁଡ଼ିକରେ SC, ST, OBC, ମହିଳା ଏବଂ ଭିନ୍ନକ୍ଷମ ବର୍ଗର ସଦସ୍ୟ ରହିବା ଅନିର୍ବାର୍ଯ୍ୟ । ଯଦି କୌଣସି ଅନୁଷ୍ଠାନ ଏହି ନିୟମ ଉଲ୍ଲଂଘନ କରେ, ତେବେ UGC ସେହି କଲେଜର ଅନୁଦାନ (Grant) ବନ୍ଦ କରିବା ସହ ଡିଗ୍ରୀ ପ୍ରଦାନ କରିବାର ମାନ୍ୟତା ମଧ୍ଯ ରଦ୍ଦ କରିପାରେ ।

କାହିଁକି ସୃଷ୍ଟି ହେଲା ବିବାଦ ?

UGC ଦ୍ଵାରା ଲାଗୁ ହେଇଥିବା ନିୟମାବଳୀକୁ ଅସାମ୍ବିଧାନିକ ଦର୍ଶାଇ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆବେଦନକାରୀଙ୍କ ଯୁକ୍ତି ଅନୁଯାୟୀ, ଏହି ନିୟମାବଳୀରେ ଜାତିଗତ ଭେଦଭାବର ସଂଜ୍ଞା ଅତ୍ୟନ୍ତ ସୀମିତ ହୋଇଥିବାରୁ, ଏହା ସାଧାରଣ ବର୍ଗର ପୀଡ଼ିତମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି ଏବଂ ଅଣ-ସଂରକ୍ଷିତ ଗୋଷ୍ଠୀଙ୍କ ପ୍ରତି ପାତରଅନ୍ତର କରିବା ସହ କ୍ୟାମ୍ପସରେ ବିଭାଜନ ସୃଷ୍ଟି କରିବାର ଭୟ ରହିଛି । ବିରୋଧୀ ଦଳ ନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ଓ ଛାତ୍ର ସଂଗଠନ ଏହାକୁ ‘ଓଲଟା ଭେଦଭାବ’ (Reverse Discrimination) କହି ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ଶିକ୍ଷାନୁଷ୍ଠାନରେ ଅଶାନ୍ତି ବଢ଼ିବା ସହିତ ସୋସିଆଲ ମିଡିଆରେ #UGC_RollBack ଭଳି ହ୍ୟାସଟ୍ୟାଗ୍ ଟ୍ରେଣ୍ଡ କରୁଛି । ଛାତ୍ରମାନେ ବିକ୍ଷୋଭ କରୁଛନ୍ତି । କିଛି ଯୁବ ନେତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ଜାନୁଆରୀ ୨୮ ତାରିଖରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ସମ୍ବିଧାନର ଧାରା ୧୪୨ ପ୍ରୟୋଗ କରି ଏହି ନିୟମାବଳୀ ଉପରେ ରୋକ ଲଗାଇଛନ୍ତି । କୋର୍ଟ ଙ୍କ କହିବା ଅନୁଯାୟୀ ଏହି ନିୟମଗୁଡ଼ିକ ଅସ୍ପଷ୍ଟ ଏବଂ ଏହାର ଅପବ୍ୟବହାର ହେବାର ସମ୍ଭାବନା ରହିଛି । ଏ ନେଇ UGC ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି ଓ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ ପାଇଁ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ପାଇଁ ୨୦୧୨ର ପୁରୁଣା ନିୟମ ପୁଣି କାର୍ଯ୍ୟକାରୀ ହୋଇଛି ।

ପୃଷ୍ଠଭୂମି ଓ ପ୍ରତିକ୍ରିୟା

ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପୁଥିବା ଜାତିଗତ ବିଦ୍ୱେଷର ମୁକାବିଲା ପାଇଁ UGC ପକ୍ଷରୁ ୨୦୧୨ରେ ପ୍ରଥମ ପଦକ୍ଷେପ ସ୍ୱରୂପ ଏହି ଗାଇଡଲାଇନ ଜାରି କରାଯାଇଥିଲା ଏବଂ ୨୦୨୬ ନିୟମାବଳୀରେ ଏହାକୁ ଅଧିକ କଡ଼ା କରାଯାଇଥିଲା, ବିଶେଷ କରି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ‘NFS’ (Not Found Suitable) ବିବାଦ ପରେ ଏହି ନିୟମାବଳୀ ଅଣାଯାଇଥିଲା, ଯେଉଁଥିରେ ଯୋଗ୍ୟତା ଥାଇ ମଧ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ‘ଅନୁପଯୁକ୍ତ’ ଦର୍ଶାଇ ବାଦ୍ ଦିଆଯାଉଥିବା ଅଭିଯୋଗ ହୋଇଥିଲା ।”

କଣ ରହିଛି ଏହାର ପ୍ରଭାବ

କୋର୍ଟଙ୍କ ଏହି ସ୍ଥଗିତାଦେଶ ଫଳରେ ସାଧାରଣ ବର୍ଗର ଆବେଦନକାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ନୂତନ ନିୟମାବଳୀର କଡ଼ା ନୀୟମ ରୁ ମୁକ୍ତ ହୋଇ ପୁଣିଥରେ ୨୦୧୨ର ପୁରୁଣା ଗାଇଡ ଲାଇନ କୁ ଆପଣେଇବେ । ଭବିଷ୍ୟତରେ UGC-କୁ ଏକ ସର୍ବସମ୍ମତ ଓ ସ୍ପଷ୍ଟ ନିୟମାବଳୀ ପ୍ରଣୟନ କରିବାକୁ ପଡ଼ିପାରେ, ଯାହା ଉଚ୍ଚଶିକ୍ଷା କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟା ଏବଂ ଶୈକ୍ଷିକ ବାତାବରଣକୁ ବ୍ୟାପକ ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories