ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବର୍ତ୍ତମାନ ସମୟରେ ହରଭଙ୍ଗା ବ୍ଲକ ରାଜନୀତି ସରଗରମ ରହିଛି l ବିଜୁ ଜନତା ଦଳର ନେତା ଏବଂ କର୍ମୀମାନେ ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି l ଫଳରେ ଦିନକୁ ଦିନ ଭାରତୀୟ ଜନତା ପାର୍ଟିରେ ସୁଶାନ୍ତଙ୍କ କ୍ରେଜ ବୃଦ୍ଧି ପାଉଥିବା ବେଳେ ହରଭଙ୍ଗା ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି l ସୁଶାନ୍ତ ବୌଦ୍ଧ ଜିଲ୍ଲା ବିଜେପିର ଜଣେ ଟାଣୁଆ ରାଜନେତା ଭାବରେ ଘରେ ଘରେ ବେଶ ପରିଚିତ l ତାଙ୍କୁ ବୌଦ୍ଧ ରାଜନୀତିର ଚାଣକ୍ୟ ବୋଲି ମଧ୍ୟ ସମ୍ବୋଧନ କରାଯାଏ l ଆଜି ହରଭଙ୍ଗା ପଞ୍ଚାୟତ ସରପଞ୍ଚ ଶକୁନ୍ତଳା ବେହେରାଙ୍କ ନେତୃତ୍ୱରେ ପଞ୍ଚାୟତର ୱାର୍ଡ ସଭ୍ୟମାନେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ପୂର୍ବରୁ ହରଭଙ୍ଗା ବ୍ଲକର ଟାଣୁଆ ବିଜେଡ଼ି ନେତାମାନେ ବିଜେପି ପାର୍ଟିରେ ଯୋଗ ଦେଇଥିବା ବେଳେ ମଲ୍ଲିକପଡ଼ା, ତେନ୍ତୁଳିପଦର, ପାଣିଘରା, ରାଉତପଡ଼ା ସହ ବିଭିନ୍ନ ଗ୍ରାମର ଶହ ଶହ ବିଜେଡ଼ି କର୍ମୀ ବିଜେପି ପାର୍ଟିରେ ଯୋଗ ଦେଇଥିଲେ l ଯାହାକି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ତୃଣମୂଳସ୍ତରରେ ଅଧିକ ମଜଭୁତ କରିବ ବୋଲି ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି l
ସେପଟେ ବୌଦ୍ଧ ଜିଲ୍ଲା ବିଜେଡ଼ି ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି l ବିଜେଡ଼ି ନେତା ଏବଂ କର୍ମୀ ଦଳ ବଦଳ କରିବା ପାଇଁ ସଜବାଜ ହେଉଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି l ରାଜନୈତିକ ଚକ୍ରବ୍ୟୁହ ଭିତରେ ବିଜେଡ଼ି ଫସି ରହିଛି l ବିଭିନ୍ନ ସଭା ସମିତି ମାଧ୍ୟମରେ ବିଜେପି ବିରୋଧରେ ଜନମତ ସୃଷ୍ଟି କରିବାରେ ମଧ୍ୟ ବିଜେଡ଼ି ବିଫଳ ହୋଇଛି l ୨୪ ବର୍ଷର ଶାସକ ବିଜେଡ଼ି ଦଳ ଜିଲ୍ଲାର ଜନସାଧାରଣଙ୍କ ପୁଞ୍ଜିଭୂତ ଅସନ୍ତୋଷର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି l ଏନେଇ ବିଜେଡ଼ି ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁଙ୍କ ପ୍ରତିକ୍ରିୟା ନେବାରୁ ପଞ୍ଚାୟତର ଜନସାଧାରଣ ତୃଣମୂଳସ୍ତରରେ ବିଜେଡ଼ି ସାଙ୍ଗରେ ରହିଛନ୍ତି ବୋଲି ସେ କହିଛନ୍ତି ।
ଜଣେ ମଧ୍ୟ ବିଜେଡ଼ି କର୍ମୀ ବିଜେପି ପାର୍ଟିରେ ଯୋଗ ଦାନ କରିନଥିବା ବେଳେ ଫଟୋରେ ଦେଖାଯାଉଥିବା ୱାର୍ଡ ସଭ୍ୟ/ସଭ୍ୟା ପୂର୍ବରୁ ବିଜେପି ପାର୍ଟିର ହିଁ ସଦସ୍ୟ ଥିଲେ l ତେଣୁ ହରଭଙ୍ଗା ସରପଞ୍ଚଙ୍କ ବିଜେପି ପାର୍ଟିରେ ଯୋଗ ଦାନ ବିଜେଡ଼ି ଦଳକୁ ପ୍ରଭାବିତ କରିପାରିବ ନାହିଁ ବୋଲି ମତ ରଖିଥିଲେ l







