ରେଲୱେ ଟିକେଟ୍ ବୁକିଂରେ ସ୍ୱଚ୍ଛତା ଓ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭାରତୀୟ ରେଳବାଇ ଲାଗୁ କରିଛି ନୂଆ ନିୟମ । ବିଶେଷ କରି ତତ୍କାଳ ଟିକେଟ୍ ବୁକିଂକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି । କାରଣ ଶେଷ ମୂହୁର୍ତ୍ତରେ ସିଟ୍ ସଂରକ୍ଷଣ ପାଇଁ ସୁବିଧା ଥିବା ଏହି ଟିକେଟ୍ ବୁକିଂ ଜରିଆରେ ଯାତ୍ରୀମାନଙ୍କୁ ଶୋଷଣ କରାଯାଉଛି । ତେଣୁ ଏହାର ଅପବ୍ୟବହାର ନ କରିବା ପାଇଁ ରେଳବାଇ ଆପଣାଇଛି ନୂଆ ନିୟମ, କଣ ସେହି ନିୟମ ନଜର ପକାନ୍ତୁ…
ତତ୍କାଳ ବୁକିଂ କ’ଣ?
ତତ୍କାଳ ବୁକିଂରେ ପରିବର୍ତ୍ତିତ ନିୟମ ଜାଣିବା ପୂର୍ବରୁ, ଏହି ଟିକେଟ ବୁକିଂ କଣ ଜାଣିବା… ଏକ ବିଶେଷ ଅଧିକାରପ୍ରାପ୍ତ ଟିକେଟ୍ ବ୍ୟବସ୍ଥା ହେଉଛି ତତ୍କାଳ ବୁକିଂ । ଏହା ଜରିଆରେ ଜରୁରୀ ଯାତ୍ରାର ଆବଶ୍ୟକତା ଥିବା ଯାତ୍ରୀମାନଙ୍କୁ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଟିକେଟ୍ ଉପଲବ୍ଧତା ଉପରେ ନିର୍ଭର କରି ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଏହି ଟିକେଟ୍ ବୁକିଂ କରାଯାଏ । ତତ୍କାଳ ଟିକେଟ୍ ସାମାନ୍ୟ ଅଧିକ ଥିଲେ ମଧ୍ୟ ମଧ୍ୟସ୍ଥି (ଯେଉଁମମାନେ ଟିକେଟ୍ କରାଇଦିଅନ୍ତି) ସେମାନେ ଯାତ୍ରୀଙ୍କଠାରୁ ଚଢା ଦରରେ ଦିଅନ୍ତି । ଫଳରେ ସାଧାରଣ ଯାତ୍ରୀଟିଏ ଅନାବଶ୍ୟକ ଖର୍ଚ୍ଚରେ ପଡ଼ିଥାଏ । ଏହି ମଧ୍ୟସ୍ଥିଙ୍କୁ ହଟାଇବା ପାଇଁ ରେଳବାଇ ନୂଆ ନିୟମ ଜାରି କରିଛି ।
ତତ୍କାଳ ଟିକେଟ ବୁକିଂ ସମୟ
- AC କ୍ଲାସ୍ (1A/2A/3A/CC) ବୁକିଂ ପାଇଁ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ 10:00ରୁ ଟିକେଟ୍ କରିପାରିବେ ।
- ନନ୍-AC କ୍ଲାସ୍ (ସ୍ଲିପର୍/2S) ପାଇଁ ବୁକିଂ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ 11:00ରୁ ଆରମ୍ଭ।
- ତତ୍କାଳ ଟିକେଟ୍ ବୁକିଂ ଅଫଲାଇନ ଜରିଆରେ କରାଯାଉଥିବାରୁ ଅନଲାଇନରେ ହେଉଥିବା ସର୍ଭର ସମସ୍ୟାରୁ ରକ୍ଷାପାଇବେ ଯାତ୍ରୀ ।
ପରିଚୟ ପ୍ରମାଣ
ପୂର୍ବରୁ ଦଳାଲମାନେ ଏକାଧିକ ତତ୍କାଳ ଟିକେଟ୍ ବୁକିଂ କରି ବ୍ଲାକରେ ଚଢା ଦରରେ ବିକ୍ରି କରୁଥିଲେ । ଏହାକୁ ରୋକିବା ପାଇଁ ରେଳବାଇ ନୂଆ ନିୟମ ଆପଣାଇଛି । ଏଣିକି ତତ୍କାଳ ବୁକିଂ ପାଇଁ କୌଣସି ବୈଧ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି ଏବଂ ଯେଉଁ ପ୍ରମାଣପତ୍ର ଦେଇ ଯାତ୍ରୀ ଟିକେଟ୍ ବୁକିଂ କରିଥିବେ, ସେହି ପ୍ରମାଣପତ୍ର ସହ ଯାତ୍ରା କରିବେ । ଗ୍ରହଣୀୟ ପରିଚୟପତ୍ରଗୁଡ଼ିକ ହେଉଛି ଆଧାର କାର୍ଡ, ଭୋଟର କାର୍ଡ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ।
ଟିକେଟ୍ ଫେରସ୍ତ ଓ ବାତିଲ୍ ନିୟମ
ଟ୍ରେନ୍ ବାତିଲ୍ କିମ୍ବା ଯାତ୍ରୀଙ୍କୁ ସିଟ୍ ଦିଆଯାଇ ନଥିଲେ ଟିକେଟ୍ ଫି ଫେରସ୍ତ କରାଯିବ, ନହେଲେ ଅନ୍ୟ କୌଣସି କ୍ଷେତ୍ରରେ ଯାତ୍ରୀଙ୍କୁ ଫେରସ୍ତ ମିଳିବ ନାହିଁ ।








