ଖେଳୁ ଖେଳୁ ଉପୁଡ଼ି ପଡ଼ିଲା ଲୁହା ଖୁଣ୍ଟ, ଚାଲିଗଲା ବାଷ୍କେଟବଲ୍ ଖେଳାଳିଙ୍କ ଜୀବନ

ଖେଳୁ ଖେଳୁ ଉପୁଡ଼ି ପଡ଼ିଲା ଲୁହା ଖୁଣ୍ଟ

ଏମିତି ବି ମୃତ୍ୟୁ ଆସିବ କିଏ ଜାଣିଥିଲା । ଯେଉଁ ଗ୍ରାଉଣ୍ଡରେ ଭବିଷ୍ୟତର ସ୍ୱପ୍ନ ସାକାର ପାଇଁ ଅଭ୍ୟାସ କରୁଥିଲେ, ସେହିଠାରେ ହିଁ ଜୀବନ ଦୀପ ଲିଭିଗଲା । ଆମେ କହୁଛୁ ଜଣେ ଜାତୀୟସ୍ତରୀୟ ବାଷ୍କେଟବଲ୍ ଖେଳାଳିଙ୍କ କଥା । ଅଭ୍ୟାସ୍ କରୁ କରୁ ବାଷ୍କେଟବଲ୍ ହୁପର ଲୁହା ଖୁଣ୍ଟ ପଡ଼ି ତାଙ୍କ ଜୀବବନ ଚାଲିଯାଇଛି ।

ମୃତକ ଜଣକ ହେଉଛନ୍ତି ହରିୟାଣାର ୧୬ ବର୍ଷୀୟ ହାର୍ଦ୍ଦିକ । ସେ ଆଜି ସକାଳେ ରୋହତକର ଲଖନ ମାଜରା ଗାଁର ଖେଳ ପଡ଼ିଆରେ ଥିବା ବାଷ୍କେଟବଲ୍ କୋର୍ଟରେ ଅଭ୍ୟାସ କରୁଥିଲେ । ଏହି ସମୟରେ ସେ ଲୁହା ଖୁଣ୍ଟରେ ନିର୍ମିତ ବାଷ୍କେଟବଲ୍ ହୁପରେ ଓହଳି ପଡ଼ିଥିଲେ । ଫଳରେ ଲୁହା  ଖୁଣ୍ଟ ଭାଙ୍ଗି ତାଙ୍କ ଉପରେ ପଡ଼ି ଯାଇଥିଲା । ହାର୍ଦ୍ଦିକ ଜୋରରେ ଚିତ୍କାର କରିବାରୁ ଉପସ୍ଥିତ ଅନ୍ୟ ପିଲାମାନେ ଦୌଡ଼ି ଆସିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ମୃତ ହାର୍ଦ୍ଦିକ ଜାତୀୟ ସ୍ତରୀୟ ବାଷ୍କେଟବଲ୍ ପ୍ରତିଯୋଗିତାରେ ଅନେକ ମେଡାାଲ ହାସଲ କରିଥିଲେ । କାଙ୍ଗ୍ରାରେ ଅନୁଷ୍ଠିତ ୪୭ତମ ସବ୍-ଜୁନିୟର ନ୍ୟାସନାଲ ଚାମ୍ପିଅନଶିପ୍, ହାଇଦ୍ରାବାଦରେ ଅନୁଷ୍ଠିତ ୪୯ତମ ସବ୍-ଜୁନିୟର ନ୍ୟାସନାଲ ଚାମ୍ପିଅନଶିପ୍ ଏବଂ ପଣ୍ଡିଚେରୀରେ ଅନୁଷ୍ଠିତ ୩୯ତମ ୟୁଥ୍ ନ୍ୟାସନାଲ ଚାମ୍ପିଅନଶିପରେ ମେଡାଲ୍ ହାସଲ କରିଥିଲେ ହାର୍ଦ୍ଦିକ ।

ହାର୍ଦ୍ଦକଙ୍କ ମୃତ୍ୟୁ ପରେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ଗୌରବ ଗୌତମ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରୋହତକ କ୍ରୀଡ଼ା ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ବାସ୍କେଟବଲ୍ କୋର୍ଟକୁ ଅସ୍ଥାୟୀ ଭାବରେ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନଭେମ୍ବର ୨୮ରେ ତାଉ ଦେବୀଲାଲ ଷ୍ଟାଡିୟମରେ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି କ୍ରୀଡ଼ା ମନ୍ତ୍ରୀ । ସମସ୍ତ ବରିଷ୍ଠ ଏବଂ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଦୁଇ ଦିନ ପୂର୍ବରୁ ହରିୟାଣାରେ ସମାନ ଘଟଣା ଘଟିଥିଲା । ବାହାଦୁରଗଡ଼ରେ ହୋସିଆର ସିଂହ ସ୍ପୋର୍ଟସ୍ ଷ୍ଟାଡିୟମରେ  ଅପରାହ୍ନ ପ୍ରାୟ ୩.୩୦ ସମୟରେ ଅଭ୍ୟାସ କରୁଥିବା ସମୟରେ ଜଣେ ୧୫ ବର୍ଷୀୟ ନାବାଳକଙ୍କ ଉପରେ ବାସ୍କେଟବଲ୍ ପୋଲ୍ ପଡ଼ିଯିବାରୁ ଆହତ ହୋଇଥିଲେ । ତାଙ୍କୁ ରୋହତକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories