କଲିକତା: ବିଶ୍ୱ ଫୁଟବଲର ମହାନତମ ଖେଳାଳି (G.O.A.T) ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କୁ ଦେଖିବା ପାଇଁ ଭାରତରେ ଉତ୍ସାହର ଲହରୀ ଖେଳିଯାଇଛି। ତିନି ଦିନିଆ G.O.A.T ଇଣ୍ଡିଆ ଟୁରରେ ଥିବା ମେସିଙ୍କ ସମ୍ମାନାର୍ଥେ କୋଲକାତାରେ ଏକ ବିଶାଳ ୭୦ ଫୁଟ ଉଚ୍ଚର ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ନିଜେ ମେସି ଭର୍ଚୁଆଲ୍ ମାଧ୍ୟମରେ ଉନ୍ମୋଚନ କରିଛନ୍ତି। ନିଜ ପ୍ରିୟ ତାରକାଙ୍କର ଗୋଟିଏ ଝଲକ ପାଇବା ପାଇଁ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ ଫ୍ୟାନ୍ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ, ଯାହା ମେସିଙ୍କ ପ୍ରତି ଭାରତୀୟଙ୍କ ଭଲ ପାଇବାକୁ ଦର୍ଶାଉଛି।
ତେବେ, ସଲ୍ଟ ଲେକ ଷ୍ଟାଡିୟମରେ ଘଟିଥିବା ଏକ ଅପ୍ରୀତିକର ଘଟଣା ଯୋଗୁଁ ଏହି ଉତ୍ସବର ମାହୋଲ ଫିକା ପଡ଼ିଯାଇଛି। ମେସିଙ୍କୁ ଠିକ୍ ଭାବରେ ଦେଖିନପାରିବାରୁ ଉତ୍ୟକ୍ତ ପ୍ରଶଂସକମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପଡ଼ିଆ ଭିତରକୁ ଧସେଇ ପଶିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ବାଧ୍ୟ ହୋଇ ଲାଠିମାଡ଼ କରିଥିଲା।
ସୂଚନା ଅନୁଯାୟୀ, ଆର୍ଜେଣ୍ଟିନାର ଏହି କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ମାତ୍ର ୧୦ ମିନିଟ୍ ପାଇଁ ପଡ଼ିଆକୁ ଆସିଥିଲେ। କିନ୍ତୁ ଦୁଃଖର ବିଷୟ, ଏହି ସ୍ୱଳ୍ପ ସମୟ ମଧ୍ୟରେ ତାଙ୍କୁ ରାଜନେତା ଓ ମନ୍ତ୍ରୀମାନେ ଘେରି ରହିଥିଲେ, ଯାହା ଫଳରେ ସାଧାରଣ ପ୍ରଶଂସକମାନେ ତାଙ୍କର ଗୋଟିଏ ଝଲକ ମଧ୍ୟ ଦେଖି ପାରିନଥିଲେ।
ଅନେକ ପ୍ରଶଂସକ ମେସିଙ୍କ ସହ ସାକ୍ଷାତ କରିବା ଏବଂ ସେଲ୍ଫି ନେବା ଆଶାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୫,୦୦୦ ଟଙ୍କାରୁ ଅଧିକ ଏବଂ କେତେକ କ୍ଷେତ୍ରରେ ୨,୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିଲେ। ମାତ୍ର ମେସି ଶୀଘ୍ର ପଡ଼ିଆ ଛାଡି ଚାଲିଯିବା ଏବଂ ତାଙ୍କୁ ଦେଖିବାକୁ ନ ପାଇବାରୁ ସେମାନେ ଗଭୀର ନିରାଶ ହୋଇ ଉପଦ୍ରବ କରିଥିଲେ। ଟିକିଏ ଦେଖିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିବା ଫ୍ୟାନ୍ସମାନଙ୍କ ମଧ୍ୟରେ ଏହି ଘଟଣା ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।








