ତାଳଚେର(ବିଜୟ କୁମାର ଦେବତା): ଭାରତର ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ତଥା ଦେଶର ପ୍ରଥମ କୋଇଲା ଗ୍ୟାସ୍ ଭିତ୍ତିକ ଆମୋନିଆ ଓ ୟୁରିଆ ସାର କାରଖାନା ‘ତାଳଚେର ଫର୍ଟିଲାଇଜର ଲିମିଟେଡ୍’ (TFL) ପକ୍ଷରୁ ସ୍ଥାନୀୟ ଭଞ୍ଜ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି, କାର୍ଯ୍ୟର ଅଗ୍ରଗତି, ନୂତନ ସମୟସୀମା ଏବଂ ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦିଆଯାଇଛି।
ସମ୍ମିଳନୀରେ ଟିଏଫ୍ଏଲ୍ର ଏମଡି ବିବେକ ଶ୍ରୀବାସ୍ତବ ଓ ଡାଇରେକ୍ଟର ଅପରେସନ୍ ଶ୍ୟାମଲ ରାୟ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ମୁଖ୍ୟ ପ୍ରବନ୍ଧକ (ସମ୍ପର୍କ) ସୁମନ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ବିଧାନ ଦିବସ ଅବସରରେ ମୁଖ୍ୟ ପ୍ରବନ୍ଧକ (ମାନବ ସମ୍ବଳ) ପ୍ରଶାନ୍ତ ରାଉତ ସମ୍ବିଧାନ ଶପଥ ପାଠ କରାଇଥିଲେ।
ଏମ୍.ଡି. ଶ୍ରୀ ଶ୍ରୀବାସ୍ତବ କହିଥିଲେ ଯେ, ଟିଏଫଏଲ୍ ଏକ ଯୁଗ୍ମ ଭାଗିଦାରୀ କଂପାନୀ ଯୌଥ ଉଦ୍ୟୋଗ ଯଥା-ଗେଲ୍ ଇଣ୍ଡିଆ, କୋଲ୍ ଇଣ୍ଡିଆ, ଆରସିଏଫ୍ ଓ ଏଫସିଆଇଏଲ୍ ପ୍ଲାଂଟ୍ ଉପରେ ହିଁ ଗଢ଼ି ଉଠିଛି । ଏହି ପ୍ରକଳ୍ପ ପୁରାତନ ଏଫସିଆଇଏଲ୍ ପ୍ଲାଂଟ୍ ଉପରେ ହିଁ ଗଢ଼ି ଉଠିଛି । ଏହା ହେଉଛି ଦେଶର ଏକ ମହତ୍ୱକାଂକ୍ଷୀ ତଥା ପ୍ରଥମ କୋଇଲା ଗ୍ୟାସ୍ ଭିତିକ ଆମୋନିଆ ଓ ୟୁରିଆ ସାର ପ୍ରକଳ୍ପ ତଥା ଓଡିଶାର ଏକମାତ୍ର ୟୁରିଆ ସାର କାରଖାନା । ସମ୍ମିଳନୀର ଉଦ୍ଦେଶ୍ୟ, ପ୍ରକଳ୍ପର ସାଂପ୍ରତିକ ସ୍ଥିତି, କାର୍ଯ୍ୟର ଅଗ୍ରଗତି, କାର୍ଯ୍ୟର ପରିସମାପ୍ତି, ନୂତନ ସମୟସୀମା, ଆଗାମୀ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟରେ ଯେଉଁ ସବୁ ଆହ୍ୱାନ ଚାଲେଞ୍ଜ ଆସିଛି ସେ ଗୁଡିକୁ ଆମେ କିପରି ସାମନା କରିଛୁ ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ ।
ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି:
ମୁଖ୍ୟ ପ୍ରବନ୍ଧକ (ସିଭିଲ୍) ଅଖିଳ ଶତପଥି ପ୍ରକଳ୍ପର ସ୍ଥିତି ଓ ଯୋଜନା ବିଷୟରେ ଭିଡିଓ ମାଧ୍ୟମରେ ସୂଚନା ଦେଇଥିଲେ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରକଳ୍ପର ପ୍ରାୟ ୭୦% କାମ ସମାପ୍ତ ହୋଇଛି।
- ପ୍ରିଲିଂ ଟାୱାର ଚିମିନି ଏବଂ କୋଇଲା ଗ୍ୟାସିଫିକେସନ୍ ଫ୍ରେମ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। କୋଇଲା ମିଲିଂ ଫ୍ରେମ୍ ଓ ୟୁରିଆ ପ୍ଲାଣ୍ଟର ମୁଖ୍ୟ ଫ୍ରେମ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଛି।
- କୋଇଲା ଗ୍ୟାସିଫିକେସନ୍, ଆମୋନିଆ ଏବଂ ୟୁରିଆ ୟୁନିଟ୍ ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ କାରଖାନା ପରିସର ଭିତରେ ପହଞ୍ଚିଛି। ତିନୋଟି ବଏଲର ମଧ୍ୟରୁ ଦୁଇଟିର ଯାନ୍ତ୍ରୀକ ନିର୍ମାଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।
- ପ୍ରକଳ୍ପକୁ ଆସୁଥିବା ଚାଲେଞ୍ଜ୍ ଗୁଡିକୁ ସାମ୍ନା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଉତ୍ପାଦନ ଆରମ୍ଭ କରିବାର ନୂତନ ସମୟସୀମା ୨୦୨୫ ସେପ୍ଟେମ୍ବର ମାସ ଧାର୍ଯ୍ୟ କରାଯାଇଛି।
ଶ୍ରୀ ଶ୍ରୀବାସ୍ତବ କହିଥିଲେ ଯେ, ଚଳିତ ୨୦୨୫ ସେପ୍ଟେମ୍ବର ମାସ ୨୬ ତାରିଖରେ ତାଳଚେରରେ ଟ.୧୨,୨୫୦ କୋଟି ଟଙ୍କାର ଋଣ ଚୁକ୍ତିପତ୍ର ସହ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଅତିକ୍ରମ କରିଛି ବୋଲି କହିଥିଲେ ଏବଂ ପରବର୍ତି କାଳରେ ୧୮ ଅକ୍ଟୋବର ୨୦୨୫ ରେ ଟିଏଫଏଲ୍ ଓ ତାହାର ପ୍ରୋତ୍ସାହକଙ୍କ ସହ ମିଶି ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏ ପ୍ରକଳ୍ପର ସଫଳତା ନିମିତ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ, ସାଂସଦ, ବିଧାୟକ, ପଂଚାୟତ ପ୍ରତିନିଧି ସମୂହଙ୍କର ଅକୁଣ୍ଠ ସମର୍ଥନ ମିଳିବା ସହ ସମସ୍ତ ସାମ୍ବାଦିକଙ୍କର ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସିଇଓ ସୁନିଲ୍ ପେଭକରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଅନନ୍ତ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।








