ମୃତ ଗୃହପାଳିତ ପଶୁଙ୍କ ଅବଶେଷ ସହ ବାଘର ପାଦ ଚିହ୍ନ ଏବଂ ମଳ

ମୃତ ଗୃହପାଳିତ ପଶୁଙ୍କ ଅବଶେଷ ସହ ବାଘର ପାଦ ଚିହ୍ନ ଏବଂ ମଳ

କଣ୍ଟାମାଳ/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ନାରାୟଣ ପ୍ରସାଦ ସେକ୍ସନ ସମାକୂପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି l ବାଘ ଗୋଟିଏ ଗାଈକୁ ମାରି ଖାଇଦେଇଛି l ସ୍ଥାନୀୟ ଜଙ୍ଗଲରେ ବାଘର ପାଦଚିହ୍ନ ସହ ମଳ ଦେଖିବାକୁ ମିଳିଛି l ଯାହାକୁ ଦେଖି ଏବେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି l ସୂଚନା ଅନୁଯାୟୀ, ଗତ ୨ ରୁ ୩ ଦିନ ହେଲା ସମାକୂପା ଅଞ୍ଚଳରେ ଏକ ବାଘର ପାଦ ଚିହ୍ନ ଗ୍ରାମବାସୀ ଦେଖିବାକୁ ପାଇଥିଲେ l ପ୍ରତିଦିନ ଗାଁ ରୁ ପାଖ ଜଙ୍ଗଲକୁ ଚରିବା ପାଇଁ ଯାଉଥିବା ଗାଈଗୋରୁ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ହଜୁଥିବା ଘଟଣା ଗ୍ରାମବାସୀ ଜାଣିବାକୁ ପାଇଥିଲେ l ତାପରେ ଗ୍ରାମବାସୀମାନେ ଜଙ୍ଗଲକୁ ଗାଈଗୋରୁ ଅନ୍ବେଷଣରେ ବାହାରିଥିବା ବେଳେ ସେଠାରେ ସେମାନେ ଯାହା ଦେଖିଲେ ତାହା ସେମାନଙ୍କର ହୋସ ଉଡ଼ାଇ ଦେଇଥିଲା l ଗ୍ରାମବାସୀ ଓ ଗାଈ ଜଗୁଆଳିଙ୍କ ସନ୍ଦେହ ସତ ହୋଇଥିଲା l ଜଙ୍ଗଲରେ ଗୋରୁଗାଈଙ୍କ ମୃତ ଦେହ ଅବଶେଷ ଦେଖିବା ସହ ବାଘ ପାଦଚିହ୍ନ ଓ ମଳ ମଧ୍ୟ ଦେଖିବାକୁ ପାଇଥିଲେ l

ଅନ୍ୟପଟେ ସମାକୂପା ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ବାଘକୁ ଅଞ୍ଚଳରୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l ବାଘଟି କଲରାପତାରିଆ ନା ମହାବଳ ବାଘ ତାହା ବନ ବିଭାଗ ତଦନ୍ତ କରି ଲୋକଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ଗ୍ରାମବାସୀ କହିଛନ୍ତି l ଏନେଇ କଣ୍ଟାମାଳ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସମାକୂପା ଅଞ୍ଚଳରେ ବନ ବିଭାଗ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ କ୍ୟାମେରା ଲଗାଯାଇଛି ବୋଲି ପ୍ରତିକ୍ରିୟା ରଖିଥିଲେ l

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories