ନିଶାସକ୍ତ ପୁଅର ନୃଶଂସ କାଣ୍ଡ: ଟଙ୍କା ନଦେବାରୁ ମା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ

ନିଶାସକ୍ତ ପୁଅର ନୃଶଂସ କାଣ୍ଡ

ଭଦ୍ରକ: ଆଜି ଏକ ଅତ୍ୟନ୍ତ ଅଭାବନୀୟ ତଥା ନୃଶଂସ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତର ଗଳଗଣ୍ଡପୁର ଗ୍ରାମରେ। ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ପୁଅ ନିଜ ମା’ଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମା’ଙ୍କ ଶରୀରର ପ୍ରାୟ ୭୦ ଭାଗରୁ ଅଧିକ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗୁରୁବାର ସକାଳୁ ଗଳଗଣ୍ଡପୁର ଗ୍ରାମର ଦେବାଶିଷ ନାୟକ (୪୫) ତାଙ୍କ ମା’ ଜ୍ୟୋସ୍ନାରାଣୀ ନାୟକ (୬୫)ଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ପୁଅ ମଦ ପିଇବେ ଜାଣି ମା’ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦେବାଶିଷ ପ୍ରଥମେ ଘରର କବାଟ ଭିତରପଟୁ ବନ୍ଦ କରି ଦେଇଥିଲା । ପରେ ସେ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

ନିଆଁରେ ପୋଡ଼ି ଯାଇଥିବା ମା’ ଜ୍ୟୋସ୍ନାରାଣୀଙ୍କର ଚିତ୍କାର ଶୁଣି ଗ୍ରାମବାସୀମାନେ ତୁରନ୍ତ ଦୌଡ଼ି ଆସି ଘରର କବାଟ ଭାଙ୍ଗିଥିଲେ ଏବଂ ନିଆଁ ଲିଭାଇବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇ ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଅନ୍ୟପକ୍ଷରେ, ଏପରି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୁକ୍ତ ପୁଅ ଦେବାଶିଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ୍ ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories