ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଜଣେ ବିବାହିତ ଯୁବକ ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଛି l ଏନେଇ ପୀଡ଼ିତା ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ଗ୍ରାମର ବିବାହିତା ଯୁବତୀ ମିନା ନାଏକ(୨୫)( ଛଦ୍ମ ନାମ) ହରଭଙ୍ଗା ଥାନା ଅନ୍ତର୍ଗତ ସୁରୁଣ୍ଡି ଗ୍ରାମର ବିବାହିତ ଯୁବକ କୃଷ୍ଣଙ୍କୁ ଦୀର୍ଘ ୭ ବର୍ଷ ଧରି ଭଲ ପାଇ ଆସୁଥିଲେ l ଗତ ୨ ମାସ ପୂର୍ବେ ଦୁହେଁ ଘର ଛାଡ଼ି ଚାଲି ଯିବା ସହ ଭୁବନେଶ୍ୱରସ୍ଥିତ ଏକ ଭଡ଼ା ଘରେ ରହିଥିଲେ l ସେଠାରେ ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିବା ବେଳେ ପୀଡ଼ିତା ଗର୍ଭବତୀ ଥିବା ସ୍ୱୀକାର କରିଛନ୍ତି l ବିଡମ୍ବନାର ବିଷୟ ବର୍ତ୍ତମାନ କୃଷ୍ଣ ପୀଡ଼ିତାଙ୍କୁ ଗ୍ରହଣ କରିବା ପାଇଁ ରାଜି ହେଉନଥିବା ବେଳେ ତାଙ୍କ ଦୁଇ ଭାଇ କାନ୍ତ ଏବଂ ଦତ୍ତ ପୀଡ଼ିତାଙ୍କୁ ଗାଳିଗୁଲଜ କରିବା ସହ ପେଟ୍ରୋଲ ଢ଼ାଳି ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି l ଏ ସଂକ୍ରାନ୍ତରେ ହରଭଙ୍ଗା ଥାନା କେସ ନଂ- ୧୩୨/୨୦୨୫ ରୁଜୁ ହେବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ ସୂଚନା ଦେଇଛନ୍ତି l







