ଟ୍ରମ୍ପଙ୍କ ବଡ଼ ଘୋଷଣା: ଇରାନ ବଦଳରେ ଭେନେଜୁଏଲାରୁ ତେଲ କିଣିବ ଭାରତ

ଟ୍ରମ୍ପଙ୍କ ବଡ଼ ଘୋଷଣା: ଇରାନ ବଦଳରେ ଭେନେଜୁଏଲାରୁ ତେଲ କିଣିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଶକ୍ତି ବଜାରରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଭାରତ ଏବେଠାରୁ ଇରାନ ବଦଳରେ ଭେନେଜୁଏଲାରୁ ଅଶୋଧିତ ତୈଳ ଆମଦାନୀ କରିବ। ଶନିବାର ଦିନ ‘ଏୟାରଫୋର୍ସ ୱାନ’ରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ଟ୍ରମ୍ପ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଟ୍ରମ୍ପଙ୍କ କହିବା ଅନୁଯାୟୀ, ଭାରତ ଏବଂ ଆମେରିକା ମଧ୍ୟରେ ଏହି ଚୁକ୍ତିର ଏକ ରୂପରେଖ (Concept of the deal) ପ୍ରସ୍ତୁତ ହୋଇସାରିଛି। ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ରୁଷରୁ ଆସୁଥିବା ତୈଳ ଆମଦାନୀକୁ କମ କରିବା ପାଇଁ ଆମେରିକା ଭାରତକୁ ଏହି ବିକଳ୍ପ ଦେଇଛି। ଏହାଦ୍ୱାରା ଭାରତ ନିଜର ଆବଶ୍ୟକତା ପୂରଣ କରିବା ସହ ଇରାନ ଉପରେ ନିର୍ଭରଶୀଳତା କମାଇପାରିବ।

ଟ୍ରମ୍ପ ଙ୍କ କହିବା ଅନୁସାରେ, ଆମେରିକାର ବଡ଼ ବଡ଼ ତୈଳ କମ୍ପାନୀଗୁଡ଼ିକ ଭେନେଜୁଏଲାରେ ବିଲିୟନ ଡଲାର ନିବେଶ କରିବେ ଓ ଭାଙ୍ଗି ପଡ଼ିଥିବା ଭିତ୍ତିଭୂମିର ମରାମତି କରି ଉତ୍ପାଦନ ବୃଦ୍ଧି କରାଯିବ। ଏହା ପରେ ଆମେରିକା ଏହି ତେଲକୁ ଅନ୍ୟ ଦେଶମାନଙ୍କୁ ବିକ୍ରି କରିବ।

ସୂଚନା ମୁତାବକ ଘୋଷଣାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ରେଜଙ୍କ ମଧ୍ୟରେ ଏ ନେଇ ଫୋନ ଦ୍ଵାରା ଆଲୋଚନା ହୋଇଥିଲା। ଭେନେଜୁଏଲା ନିଜର ତୈଳ କ୍ଷେତ୍ରକୁ ଘରୋଇ ନିବେଶକଙ୍କ ପାଇଁ ଉନ୍ମୁକ୍ତ କରିବା ପରେ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ସେଠାରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଭାରତ ଶସ୍ତାରେ ତୈଳ ପାଇବା ସହ ଆମେରିକା ସହିତ ରଣନୈତିକ ସମ୍ପର୍କ ଆହୁରି ସୁଦୃଢ଼ କରି ପାରିବ ବୋଲି ଆଶା କରାଯାଉଛି।

Latest Stories