ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ପୁଣି ବିସ୍ଫୋରଣ ! ନବୀନ ପଟ୍ଟନାୟକ ଓଡ଼ିଶାର ସମ୍ପତ୍ତି ଓ ନିଜ ରାଜନୈତିକ ଉତ୍ତରାଧିକାରୀ କୁ ଗୋଟିଏ ଭଣ୍ଡ ସନ୍ନ୍ୟାସୀଙ୍କ ହାତରେ ଟେକିଦେଲେ କି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରି ବିସ୍ଫୋରଣ କରିଛନ୍ତି ଶ୍ରୀମୟୀ ମିଶ୍ର। ‘ବିଜୁ-ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’କୁ ନେଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଏପଟେ ଶ୍ରୀମୟୀଙ୍କ ଏହି ଆକ୍ରମଣର କାଉଣ୍ଟର କରି କଟାକ୍ଷ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ। ତେବେ ସତରେ କଣ ଘଟୁଛି ବିଜେଡି ଭିତରେ? କାହିଁକି ଉଠୁଛି ‘ଭଣ୍ଡ ସନ୍ନ୍ୟାସୀ’ ନାଁ ନେଇ ବଡ଼ ପ୍ରଶ୍ନ? ଆସନ୍ତୁ ଦେଖିବା ପୂରା ଖବର।
ରାଜ୍ୟସଭା ନିର୍ବାଚନ ପରେ ବିଜେଡ଼ି କୁ ନେଇ ଚର୍ଚ୍ଚା। ୟା ଭିତରେ ଶ୍ରୀମୟୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ କୁ ନେଇ ନାନା ଆଲୋଚନା। ଶ୍ରୀମୟୀ ଲେଖିଛନ୍ତି ଦୀର୍ଘ ୨୮ବର୍ଷ ଧରି ଦିନରାତି ପରିଶ୍ରମ କରିଥିବା ବିଜୁ ଜନତା ଦଳର କର୍ମୀ-ନେତାମାନଙ୍କୁ କ’ଣ ଶେଷରେ ଏଭଳି ଧୋକା ମିଳିବାର ଥିଲା କି? ନବୀନବାବୁ ନିଜେ କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ, କିନ୍ତୁ ଭଣ୍ଡ ସନ୍ୟାସୀ ହାତରେ ସାମ୍ରାଜ୍ୟ ଟେକି ଦେବା ପଛରେ କ’ଣ ଷଡ଼ଯନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ। ବିଜୁବାବୁଙ୍କ ସନ୍ତକ ନୂଆଦିଲ୍ଲୀସ୍ଥିତ ବାସଭବନ ସେହି ଟ୍ରଷ୍ଟକୁ ଟେକିଦେଲେ, ଯାହାର ଆଜୀବନ ଅଧ୍ୟକ୍ଷ ଓ ସର୍ବମୟକର୍ତ୍ତା ହେଉଛନ୍ତି ଭଣ୍ଡ ସନ୍ୟାସୀ । ଆପଣ କ’ଣ ପରୋକ୍ଷରେ ଓଡ଼ିଶାର ସମ୍ପତ୍ତି ଓ ଆପଣଙ୍କ ଉତ୍ତରାଧିକାରୀ ଭାବେ ଭଣ୍ଡ ସନ୍ୟାସୀକୁ ବାଛି ସାରିଛନ୍ତି କି? ଯଦି ନୁହେଁ ତା’ର ସ୍ପଷ୍ଟୀକରଣ କାହିଁକି ଦେଉନାହାନ୍ତି ? ଏହି ଟ୍ରଷ୍ଟ ‘ଅପରିବର୍ତ୍ତନୀୟ’ ଓ ଏହାର ସମସ୍ତ ନିଷ୍ପତ୍ତି ଭଣ୍ଡ ସନ୍ୟାସୀ ନେବେ, ତେବେ ଭବିଷ୍ୟତରେ ବିଜେଡିର ନାମ ଓ ବିଜୁ ବାବୁଙ୍କ ଆଦର୍ଶ ଉପରେ କ’ଣ ଭଣ୍ଡ ସନ୍ୟାସୀଙ୍କର ଏକଚାଟିଆ ବ୍ୟକ୍ତିଗତ ମାଲିକାନା ରହିବ କି ବୋଲି ପ୍ରଶ୍ନ କରିଛନ୍ତି।
ରାଜ୍ୟବାସୀଙ୍କୁ ସମସ୍ତଙ୍କୁ ଅନ୍ଧାରରେ ରଖି ନୂଆଦିଲ୍ଲୀରେ ଗୁପ୍ତ ଭାବେ ‘ବିଜୁ ନବୀନ ଇନ୍ସପିରେସନାଲ ଫାଉଣ୍ଡେସନ’ ପଞ୍ଜିକୃତ କରିବାର ଆବଶ୍ୟକତା କଣ ଥିଲା? ଦଲିଲ ଏଭଳି ପ୍ରସ୍ତୁତ କରାଯାଇଛି ଯେଉଁଠି ଆପଣଙ୍କର ବି କ୍ଷମତାକୁ ଭଣ୍ଡ ସନ୍ୟାସୀ ସବୁଦିନ ପାଇଁ ହଡ଼ପ କରିନେଇଛନ୍ତି । ଦିଲ୍ଲୀସ୍ଥିତ ବାସଭବନର କର୍ମଚାରୀମାନେ ଦଲିଲରେ ସାକ୍ଷୀ ଭାବେ ରହିଛନ୍ତି । ଯେଉଁ ବିଧାୟକମାନେ ଆପଣଙ୍କୁ ଏତେ ଭରସା କରୁଛନ୍ତି ସେମାନଙ୍କ ସହ ବି ପ୍ରତାରଣା କରିବାକୁ ବିବେକ ବାଧା ଦେଲାନି ବୋଲି ପ୍ରଶ୍ନ କରିଛନ୍ତି।
ଶ୍ରୀ ମୟୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି ଶ୍ରିମୟୀ ଆପଣଙ୍କ ପାଇଁ ବଡ଼ ହୋଇଥାଇପାରେ। ତାଙ୍କୁ କୁହନ୍ତୁ ବଲାଙ୍ଗୀର ରେ ଥରେ ସରପଞ୍ଚ ହୋଇ ଆସିବେ। କି ଜିଲ୍ଲା ପରିଷଦ ଲଢ଼ିକି ଆସିବେ ତାପରେ କହିବି ସେ ଗୋଟେ ନେତା। ଭୁବନେଶ୍ୱରରେ ବୁଲା ନେତାଙ୍କ କଥା ଆମେ କାଇଁ ଶୁଣିବୁ।କଣ ସେ ପୋଲ ଜାଣିଛି ଖୋଲୁ।
ଶ୍ରୀମୟୀ ଙ୍କ ଲେଖା ଓ ପ୍ରମିଳାଙ୍କ କଟାକ୍ଷକୁ ନେଇ ଏବେ ରାଜ୍ୟ ରାଜନୀତି ପୁରା ସରଗରମ |






