ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ ଅଟେ । ହେଲେ ବିଶ୍ବରେ ଏପରି ଏକ ସହର ରହିଛି ଯେଉଁଠାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥାଏ । ହଁ, ନରୱେ ର ସ୍ପିଟସବର୍ଗେନ ଦ୍ୱୀପପୁଞ୍ଜରେ ଅବସ୍ଥିତ ଲଙ୍ଗୟେରୋବେନ୍ ସହରରେ ଏକ ଅନନ୍ୟ ଆଇନ ଅଛି । ଏହି ନିୟମ ଅନ୍ଧବିଶ୍ୱାସ ଉପରେ ଆଧାରିତ ନୁହେଁ, ବରଂ ଦୃଢ଼ ବୈଜ୍ଞାନିକ ଏବଂ ପରିବେଶଗତ କାରଣ ଉପରେ ଆଧାରିତ । ଏହି ନିୟମ ପ୍ରାୟ 70 ବର୍ଷ ଧରି ପ୍ରଚଳିତ ଏବଂ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ ହେଉଛି । ଏହି ଅନନ୍ୟ ଆଇନ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଲଙ୍ଗୟେରୋବେନ ସହରରେ ପ୍ରାୟ 2400 ଲୋକ ବାସ କରନ୍ତି । କିନ୍ତୁ ଏଠାରେ ପ୍ରତ୍ୟେକ ଲୋକଙ୍କୁ ଚ୍ୟାଲେଞ୍ଜର ସହ ବଞ୍ଚିବାକୁ ପଡିଥାଏ । ଯଦି କେହି ଗୁରୁତର ଅସୁସ୍ଥ ହୁଅନ୍ତି କିମ୍ବା ମୃତ୍ୟୁର ନିକଟତର ହୁଅନ୍ତି, ତେବେ ସେମାନଙ୍କୁ ତୁରନ୍ତ ମୁଖ୍ୟ ଭୂଭାଗ ନରୱେକୁ ପଠାଯାଏ । ଏହି ଅଜବ ନିୟମର ଗୋଟିଏ ମାତ୍ର କାରଣ ହେଉଛି ଅତ୍ୟଧିକ ଥଣ୍ଡା । ଏହି ସହର ଉତ୍ତର ମେରୁଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ, ତେଣୁ ବର୍ଷସାରା ଅତ୍ୟଧିକ ଥଣ୍ଡା ହୋଇଥାଏ । ତାପମାତ୍ରା ପ୍ରାୟତଃ -20 ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଏ ।
କାହିଁକି ଏହି ସହରରେ ମରିବା ମନା- ଏହା ପଛରେ କୌଣସି ଅନ୍ଧବିଶ୍ବାସ ନାହିଁ । ବୈଜ୍ଞାନିକ କାରଣ ହେଉଛି ଏଠାକାର ଥଣ୍ଡା ଜଳବାୟୁ ।
ପର୍ମାଫ୍ରଷ୍ଟ ସମସ୍ୟା: ଏହି ଅଞ୍ଚଳ ପର୍ମାଫ୍ରଷ୍ଟ ଜୋନ୍ ମଧ୍ୟରେ ପଡ଼ିଥାଏ। ପର୍ମାଫ୍ରଷ୍ଟ ଜୋନରେ ମାଟି ବର୍ଷସାରା ମାଟି ଜମାଟ ବାନ୍ଧି ଅର୍ଥାତ ବରଫ ଭଳି ରହିଥାଏ । ଏହି ମାଟି କେବେ ତରଳେ ନାହିଁ ।
ଶଢି ପାରେ ନାହିଁ ଶବ- ଏହି ସ୍ଥାନରେ ଅତ୍ୟଧିକ ଥଣ୍ଡା ଯୋଗୁଁ ମାଟିରେ ଶବ ପୋତିଲେ ମଧ୍ୟ ତାହା ଶଢିପାରେ ନାହିଁ । ତାପମାତ୍ରା ଏତେ କମ୍ ରହିଥାଏ ଯେ, ବ୍ୟାକ୍ଟେରିଆ ଏବଂ ଅନ୍ୟାନ୍ୟ ଅଣୁଜୀବ ସେମାନଙ୍କର କାର୍ଯ୍ୟ ଅର୍ଥାତ୍ ମୃତଦେହକୁ ଶଢାଇପାରନ୍ତି ନାହିଁ ।
ରୋଗ ଆଶଙ୍କା: ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଯଦି ମୃତଦେହ ମାଟିରେ ପୋତିବା ପରେ ନପଚେ ତେବେ ଏଥିରେ ଦଶନ୍ଧି କିମ୍ବା ଶତାବ୍ଦୀ ପୂର୍ବର ଭାଇରସ ଏବଂ ଜୀବାଣୁ ରହିପାରିବେ । ଯଦି ଏହି ମୃତଦେହ ଭବିଷ୍ୟତରେ ଶଢିଯାଏ, ତେବେ ଏହି ପ୍ରାଚୀନ ରୋଗଜୀବାଣୁଗୁଡିକ ବାହାରକୁ ବାହାରି ଆସି ବର୍ତ୍ତମାନର ଜନସଂଖ୍ୟାକୁ ସଂକ୍ରମିତ କରିପାରନ୍ତି, ଯାହା ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ।
ଗମ୍ଭୀର ରୋଗରେ ଆକ୍ରାନ୍ତ ହେଲେ କଣ କରାଯାଏ- ଯଦି ଜଣେ ବାସିନ୍ଦା ଗୁରୁତର ଅସୁସ୍ଥ ହୁଅନ୍ତି, ତେବେ ସ୍ଥାନୀୟ ପ୍ରଶାସନର ଏନେଇ ନିୟମ ପ୍ରସ୍ତୁତ କରାଯାଇଛି ।
ତାତ୍କାଳିନ ସ୍ଥାନାନ୍ତର: ଗୁରୁତର ଅସୁସ୍ଥ କିମ୍ବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଏୟାର ଆମ୍ବୁଲାନ୍ସ ଦ୍ୱାରା ନରୱେର ମୁଖ୍ୟ ଭୂଭାଗର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଏ ।
ଜନ୍ମ ଏବଂ ମୃତ୍ୟୁକୁ ବାଦ୍ : ଏହି ନିୟମ ଫଳରେ ସହରରେ ଜନ୍ମ ଏବଂ ମୃତ୍ୟୁ ହାର ପ୍ରାୟ ଶୂନ୍ୟ ହୋଇଛି । ଗର୍ଭବତୀ ମହିଳାଙ୍କୁ ମଧ୍ୟ ପ୍ରସବ ପାଇଁ ମୁଖ୍ୟଭୂମିକୁ ପଠାଯାଏ ।
ପଶୁମାନଙ୍କ ପାଇଁ ନିୟମ: ସହରର ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି କେବଳ ମଣିଷ ନୁହେଁ, ଏପରିକି ପାଳିତ ପଶୁମାନଙ୍କୁ ମଧ୍ୟ କବର ଦେବାକୁ ଅନୁମତି ଦିଆଯାଇ ନାହିଁ ।







