ଆଜି ସଂସଦରେ ଉପସ୍ଥାପିତ ହୋଇଛି 2026-27 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ । ଏଥିରେ 2027 ବିକଶିତ ଭାରତର ଝଲକ ପ୍ରତିଫଳିତ ହେଉଛି । ବଜେଟର ମୁଖ୍ୟାଂଶକୁ ନେଇ ଏହି ସ୍ୱତନ୍ତ୍ର ରିପୋର୍ଟ…
1. ଆଜି ସଂସଦରେ କ୍ରମାଗତ ନବମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 53 ଲକ୍ଷ 50 ହଜାର କୋଟି ଟଙ୍କାର ଏହି ବଜେଟରେ ବିକଶିତ ଭାରତର ଝଲକ ପ୍ରତିଫଳିତ ହେଉଛି । ଦେଶରେ ଔଷଧର ଘରୋଇ ଉତ୍ପାଦନ ଅଭିବୃଦ୍ଧି ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10 ହଜାର କୋଟି ବ୍ୟୟରେ ବାୟୋଫାର୍ମା ଶକ୍ତିର ଶୁଭାରମ୍ଭ କରାଯିବ ।
2. ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକ ଯୋଜନାରେ ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା ପାଇଁ ଖଣି ସମୃଦ୍ଧ ରାଜ୍ୟ ଓଡିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଆଦି ରାଜ୍ୟକୁ ସହାୟତା ପ୍ରଦାନ କରାଯିବ ।
3. ପଣ୍ୟ ପରିବହନ ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ପୂର୍ବରେ ଡାଙ୍କୁଣୀରୁ ପଶ୍ଚିମରେ ସୁରଟକୁ ସଂଯୋଗ କରୁଥିବା ନୂତନ ମାଲ ପରିବହନ କରିଡରର ବିକାଶ ହେବ ।
4. ଆସନ୍ତା 5 ବର୍ଷ ମଧ୍ୟରେ 20ଟି ନୂତନ ଜାତୀୟ ଜଳମାର୍ଗ କାର୍ଯ୍ୟକ୍ଷମ କରାଯିବ । ଓଡିଶାରେ ଜାତୀୟ ଜଳମାର୍ଗ 5 ଆରମ୍ଭ କରାଯିବ । ଏହା ତାଳଚେର ଏବଂ ଅନୁଗୁଳ ଭଳି ଖଣି ସମୃଦ୍ଧ ଅଞ୍ଚଳ ଏବଂ କଳିଙ୍ଗ ନଗର ଶିଳ୍ପାଞ୍ଚଳକୁ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବ ।
5. ପ୍ରତ୍ୟେକ ନଗର ଆର୍ଥିକ କ୍ଷେତ୍ର ପାଇଁ 5 ବର୍ଷରେ 5 ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଯଦ୍ୱାରା ଟିୟର 2 ଓ ଟିୟର 3 ନଗର ଏବଂ ମନ୍ଦିରମାଳିନୀ ସହରଗୁଡିକର ଭିତ୍ତିଭୂମି ବିକଶିତ ହୋଇପାରିବ ।
6. ମୁମ୍ୱାଇ-ପୁଣେ, ପୁଣେ-ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁରୁ, ହାଇଦ୍ରାବାଦ-ଚେନ୍ନାଇ, ଚେନ୍ନାଇ-ବେଙ୍ଗାଲୁରୁ, ଦିଲ୍ଲୀ-ବାରାଣସୀ ଏବଂ ବାରାଣସୀ-ସିଲିଗୁଡ଼ି ମଧ୍ୟରେ 7ଟି ହାଇ ସ୍ପିଡ୍ ରେଳ କରିଡର ବିକାଶ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଛନ୍ତି ।
7. ସେହିପରି ଦେଶର ଅର୍ଥନୈତିକ ସ୍ଥିରତା ଓ ଗ୍ରାହକ ସୁରକ୍ଷାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ବ୍ୟାଙ୍କିଂ କ୍ଷେତ୍ରର ସମୀକ୍ଷା ସକାଶେ ବିକଶିତ ଭାରତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । 2047 ସୁଦ୍ଧା ସେବା କ୍ଷେତ୍ରରେ ଆମ ଦେଶ 10 ପ୍ରତିଶତ ବୈଶ୍ୱିକ ଅଂଶୀଦାର ହେବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଶିକ୍ଷାରୁ ନିଯୁକ୍ତି ଏବଂ ଉଦ୍ୟୋଗ ସ୍ଥାୟୀ କମିଟି ଗଠନର ପ୍ରସ୍ତାବ ରହିଛି ।
8. ପାରମ୍ପରିକ ସ୍ୱାସ୍ଥ୍ୟ ସେବା ଶିକ୍ଷା, ଗବେଷଣାକୁ ସୁଦୃଢ କରିବା ପାଇଁ ତିନୋଟି ନୂଆ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା କରାଯିବ ।
9. ଦେଶରେ ଆନିମେସନ କ୍ଷେତ୍ରରେ 2030 ସୁଦ୍ଧା 20 ଲକ୍ଷ ମାନବ ସମ୍ୱଳ ସୃଷ୍ଟି ହେବ । ଦେଶର 15 ହଜାର ମାଧ୍ୟମିକ ବିଦ୍ୟାଳୟ ଏବଂ 5 ଶହ କଲେଜରେ ଆନିମେସନ ଲାବୋରୋଟରି ସ୍ଥାପନ ହେବ ।
10. ପୂର୍ବ ଭାରତର ବିକାଶ ପାଇଁ ନୂତନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ସ୍ଥାପନ ହେବ । ପର୍ଯ୍ୟଟନର ବିକାଶ ପାଇଁ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ପୂର୍ବଘାଟର ଆରାକୁ ଓ ପଶ୍ଚିମ ଘାଟର ପୋଢିଘାଇ ଉପତ୍ୟକାରେ ପାର୍ବତ୍ୟ କେନ୍ଦ୍ର, ଓଡିଶା, କର୍ଣ୍ଣାଟକ ଓ କେରଳରେ କଇଁଛ କେନ୍ଦ୍ର ବା ଟରଟଲ ଟ୍ରେଲ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ପୁଲିକାଟା ହ୍ରଦରେ ବିହଙ୍ଗ ନୀରିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ ।
11. କୃଷି କ୍ଷେତ୍ରର ବିକାଶ ପାଇଁ ଭାରତ ବିସ୍ତାର ନାମକ ବହୁ ଭାଷୀୟ କୃତ୍ରିମ ବୁଦ୍ଧିମତା ସହାୟତା ଉପକରଣ ଆରମ୍ଭ କରାଯିବ ।
12. ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ ଅନ୍ତର୍ଗତ ମହିଳା ବିକାଶ ପାଇଁ ସି ମାର୍ଟ୍ସ ଆରମ୍ଭ କରାଯିବ ।
13. ପଶ୍ଚିମ ବଙ୍ଗର ଦୂର୍ଗାପୂରକୁ ସଂଯୋଗ କରି ପୂର୍ବତଟ ସମନ୍ୱିତ ଶିଳ୍ପ କରିଡରର ସ୍ଥାପନ କରାଯିବ ।
14. ନୂତନ ଇନିକମ ଟ୍ୟାକ୍ସ ଆକ୍ଟ 2025 ଆଗାମୀ ଏପ୍ରିଲ ପହିଲାରୁ ଲାଗୁ ହେବ । ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସରଳ ଓ ସୁଗମ କରାଯିବ ।
15. କର୍କଟ ରୋଗୀଙ୍କ ପାଇଁ 17 ଟି ଔଷଧ, 7ଟି ବିରଳ ରୋଗ ପାଇଁ ଉଦ୍ଧିଷ୍ଟ ଔଷଧରେ ସୀମା ଶୁକ୍ଲ ସମ୍ପୂର୍ଣ୍ଣ ଭାବେ ଛାଡ କରାଯିବ ।
16. ଭାରତୀୟ ଡାଟା ସେଣ୍ଟର ଜରିଆରେ ଗ୍ଲୋବାଲ କ୍ଲାଉଡ ସେବା ପ୍ରଦାନ କରୁଥିବା ବିଦେଶ କମ୍ପାନୀଗୁଡିକୁ 2047 ମସିହା ପର୍ଯ୍ୟନ୍ତ କରମୁକ୍ତ ରଖାଯିବ ।
17. 10 ବର୍ଷ ମଧ୍ୟରେ ଭାରତୀୟ କ୍ରୀଡା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଖେଳୋ ଇଣ୍ଡିଆ ମିଶନ ଅନ୍ତର୍ଗତ ସମନ୍ୱିତ କ୍ରୀଡା ପ୍ରତିଭାର ବିକାଶ, ପ୍ରଶିକ୍ଷକଙ୍କ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ଏହି ବଜେଟରେ ଅର୍ଥ ବରାଦ କରାଯାଇଛି ।







