ଭୁବନେଶ୍ବର: ଓଡ଼ିଶା ବିଧାନ ସଭା ରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ, ଯାହାକୁ ନେଇ ‘ଓଡ଼ିଆ ଅସ୍ମିତା’ ଓ ଭାଷାଗତ ଗୌରବକୁ ନେଇ ପ୍ରଶ୍ନ ଉଠିଛି।
ବିଧାନସଭାରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ସମ୍ବନ୍ଧୀୟ ଆଲୋଚନା ଚାଲିଥିବାବେଳେ ଏହି ଘଟଣାଟି ଘଟିଥିଲା। ବିରୋଧୀ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ସ୍ୱାଇଁ, ଶାସକ ଦଳକୁ କଟାକ୍ଷ କରିବା ପାଇଁ ହଠାତ୍ ଓଡ଼ିଆ ବଦଳରେ ବଙ୍ଗାଳି ଭାଷାରେ ଏକ ଢଗ କହିଥିଲେ। ସେ ପ୍ରଶ୍ନ କରିଥିଲେ, “ଯଦି ହିସାବ କିତାବ ଠିକ ଅଛେ, ଛେଲେ ଡୁବଛେ କେନ’” (ଯଦି ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି?) ଅର୍ଥାତ୍, ସରକାରଙ୍କ ରିପୋର୍ଟରେ ଯଦି ଡ୍ରପ୍-ଆଉଟ୍ ହାର କମିଛି ବୋଲି ଦର୍ଶାଯାଉଛି, ତେବେ ବାସ୍ତବରେ କାହିଁକି ପିଲାମାନେ ସ୍କୁଲ ଛାଡୁଛନ୍ତି ବୋଲି ସେ ସୂଚାଇଥିଲେ।
ରଣେନ୍ଦ୍ର ସ୍ୱାଇଁଙ୍କ ଏହି ବଙ୍ଗାଳି ଭାଷାରେ କଟାକ୍ଷ ପରେ, ଗୃହର ବାତାବରଣ ସରଗରମ ହୋଇଥିଲା। ଶାସକ ଦଳର ବିଧାୟକ ତଥା ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଏହାର ଉତ୍ତର ବଙ୍ଗାଳି ଭାଷାରେ ହିଁ ପାଲଟା ଜବାବ ଦେଇଥିଲେ। ଫଳରେ ଗୃହରେ କିଛି ସମୟ ପାଇଁ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳିରେ ଆରୋପ ପ୍ରତ୍ୟାରୋପ ଦେଖାଯାଇଥିଲା।
ଓଡ଼ିଶାର ଗୌରବ ଏବଂ ସ୍ୱାଭିମାନର ପ୍ରତୀକ ଏହି ବିଧାନସଭା ଗୃହରେ ଓଡ଼ିଆ ବଦଳରେ ଅନ୍ୟ ଏକ ଆଞ୍ଚଳିକ ଭାଷାରେ ଏପରି ବିତର୍କ ହେବା, ରାଜନୈତିକ ମହଲରେ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ବିଧାୟକମାନଙ୍କର ଏହି କାର୍ଯ୍ୟ ସାଧାରଣରେ ‘ଓଡ଼ିଆ ଭାଷା’ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।








