ସୁବର୍ଣପୁର: କଥାରେ ଅଛି ଗାଁ ପରିମଳ ଜଣାପଡ଼େ ଗାଧୁଆ ତୁଠରୁ । ଅର୍ଥାତ ଗାଁର ପରିବେଶ କେତେ ସ୍ବଚ୍ଛ ଏଇଠୁ ଜଣାପଡ଼େ । ପରିବେଶ ସୂଚାଇ ଦିଏ ଲୋକଙ୍କ ସ୍ବଭାବ । ଆଜିକାଲି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବାପାମାଆ ମାନେ ଦିନରାତି ଚିନ୍ତା କରନ୍ତି । ଇଣ୍ଟରନେଟ ସର୍ଚଠାରୁ ନିକଟ ସମ୍ପର୍କୀୟ ସମସ୍ତଙ୍କୁ ପଚାରି ବୁଝନ୍ତି ପିଲାଙ୍କୁ କେଉଁ ସ୍କୁଲରେ ପାଠ ପଢ଼ାଇବେ । ଆଜି କାଲି ଘରୋଇ ସ୍କୁଲ ପ୍ରତି ଅଭିଭାବକଙ୍କ ଉତ୍ସାହ ବଢୁଥିବାବେଳେ ଏମିତି ସରକାରୀ ସ୍କୁଲ ଅଛି ଯାହାକି ଘରୋଇ ସ୍କୁଲଠାରୁ କେଉଁ ଗୁଣରେ କମ୍ ନୁହେଁ । ଯାହା ଯୋଗାଇଥାଏ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍କଣ୍ଠା । ବିଦ୍ୟାଳୟ ହେବ ତ ଏମିତି । ଏଠି ଦିଆଯାଉଛି ପାଠ ସହ ମାନବୀୟ ମୂଲ୍ୟବୋଧର ଶିକ୍ଷା । ଆନୁଷଙ୍ଗିକ ବ୍ୟବସ୍ତା କରିଛନ୍ତି ଶିକ୍ଷକ ।
ସ୍କୁଲ ପରିସରରେ ଲାଗିଛି ଔଷଧୀୟ ବୃକ୍ଷ, ଫୁଲ ଗଛ, ଓ କିଚେନ୍ ଗାର୍ଡେନ । ମଧ୍ୟାହ୍ନ ଭୋଜନ ପାଇଁ ଏଇଠି ମିଳେ ପରିବା, ଜୈବିକ ପଦ୍ଧତିର ଚାଷ କରାଯାଏ । ସ୍କୁଲ କାନ୍ଥରେ ଲାଗିଛି ସିକ୍ଷଣୀୟ ଫଟୋ ଓ ଲେଖା । ସ୍କୁଲକୁ ଦେଖିଲେ ସମସ୍ତେ ଖୁସି ହୋଇଯିବ । ବିଜ୍ଞାନାଗାର, କମ୍ପ୍ୟୁଟର, ଲାଇବ୍ରେରୀ ଆଦି ଛାତ୍ରଛାତ୍ରୀ ମାନଙ୍କ ପାଇଁ ରହିଛି । ଏମିତି ଏକ ନିଆରା ସ୍କୁଲ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକର ପ୍ରତାପପୁର ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟ । ଏଠାକାର ଶିକ୍ଷାଦାନ ପ୍ରଣାଳୀ ପାଇଁ ଏବେ ଛାତ୍ରଛାତ୍ରୀ ବେସ ଖୁସି ଅନୁଭବ କରିଛନ୍ତି ।







