କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଦ୍ୱାରା ଉପସ୍ଥାପିତ ଏହି ବିଲ୍ ଅନୁଯାୟୀ, ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ ପୂର୍ବ ଭଳି ୧୦୦ ଦିନ ବଦଳରେ ଏବେ ବାର୍ଷିକ ୧୨୫ ଦିନର କାମ ଯୋଗାଇ ଦିଆଯିବ। ଏହା ଦ୍ୱାରା ଶ୍ରମିକମାନଙ୍କ ଆୟ ବୃଦ୍ଧି ପାଇବା ସହ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରିବ। ଏଥିସହିତ ଶ୍ରମିକଙ୍କ ପାରିଶ୍ରାମିକ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଖୁବ୍ ଶୀଘ୍ର ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।
ଏହି ନୂଆ ଆଇନରେ ଆର୍ଥିକ ଅନୁଦାନର ଢାଞ୍ଚା ମଧ୍ୟ ବଦଳିଛି। ପୂର୍ବରୁ ମନରେଗାର ପ୍ରାୟ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରୁଥିବା ବେଳେ ଏବେ ୬୦:୪୦ ଅନୁପାତରେ ଖର୍ଚ୍ଚ ହେବ। ଅର୍ଥାତ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କୁ ୪୦ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ତେବେ ପୂର୍ବୋତ୍ତର ଓ ପାର୍ବତ୍ୟ ରାଜ୍ୟଗୁଡ଼ିକ ପାଇଁ ଏହି ଅନୁପାତ ୯୦:୧୦ ରହିବ। ଏହି ନିୟମ ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିବା ସମ୍ଭାବନା ରହିଛି।
ସରକାରଙ୍କ କହିବା ଅନୁଯାୟୀ, ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ହାସଲ ପାଇଁ ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ନୂଆ ଯୋଜନାରେ କୃଷି କାର୍ଯ୍ୟ ସମୟରେ (ସିଜନ ଅନୁସାରେ) ଶ୍ରମିକ ଅଭାବ ଦୂର କରିବା ପାଇଁ ବର୍ଷକୁ ୬୦ ଦିନ ପର୍ଯ୍ୟନ୍ତ କାମ ବନ୍ଦ ରଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଦ୍ୱାରା ଚାଷ କାର୍ଯ୍ୟ ପ୍ରଭାବିତ ହେବ ନାହିଁ।
ଲୋକସଭାରେ ଏହି ବିଲ୍ ଉପସ୍ଥାପନ ବେଳେ କଂଗ୍ରେସ ଏବଂ ଟିଏମ୍ସି ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରିଥିଲେ। ସେମାନଙ୍କ ମତରେ ଏହା ଗାନ୍ଧୀଜୀଙ୍କ ନାମକୁ ହଟାଇବା ପାଇଁ ଏକ ଚାଲ୍। ମାତ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ, ମନରେଗାରେ ବ୍ୟାପକ ଦୁର୍ନୀତି ହେଉଥିଲା (୨୦୨୪-୨୫ରେ ପ୍ରାୟ ୧୯୪ କୋଟି)। ନୂଆ ବ୍ୟବସ୍ଥାରେ ବାୟୋମେଟ୍ରିକ୍ ଓ ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର କରି ଏହି ଦୁର୍ନୀତିକୁ ରୋକାଯାଇପାରିବ।








