ବେଦାନ୍ତର ଦ୍ୱିତୀୟ ପାଉଁଶ ପୋଖରୀ ନିର୍ମାଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବେଦାନ୍ତର ଦ୍ୱିତୀୟ ପାଉଁଶ ପୋଖରୀ ନିର୍ମାଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଝାରସୁଗୁଡା: ବେଦାନ୍ତ କମ୍ପାନୀ ଦ୍ୱାରା ସିରିଆପାଲି ଏବଂ ଠରକିମାଲ ଗ୍ରାମ ନିକଟରେ ଦ୍ୱିତୀୟ ପାଉଁଶ ପୋଖରୀ (Ash Pond) ନିର୍ମାଣ କରାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଠରକିମାଲ ମୌଜା ଅନ୍ତର୍ଗତ ଶତାଧିକ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ଦ୍ୱିତୀୟ ପାଉଁଶ ପୋଖରୀ ନିର୍ମାଣ ହେଲେ ସେମାନଙ୍କର ବହୁ ଏକର ଚାଷ ଜମି ନଷ୍ଟ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ, ଅନେକ ପରିବାର ବିସ୍ଥାପିତ ହେବାର ଆଶଙ୍କା ଥିବାରୁ ସେମାନେ ଆତଙ୍କିତ ହୋଇପଡିଛନ୍ତି। ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଯେ କମ୍ପାନୀ ପାଉଁଶ ପୋଖରୀ ନିର୍ମାଣ କରିବା ପୂର୍ବରୁ ପ୍ରଥମେ ପ୍ରଭାବିତ ପରିବାରମାନଙ୍କୁ ଉଚିତ କ୍ଷତିପୂରଣ ସହ ବିସ୍ଥାପନ ପ୍ରକ୍ରିୟା ଶେଷ କରୁ।

ସୂଚନାଯୋଗ୍ୟ ଯେ, ଏହି ଅଧିକୃତ ଜମିରେ ବହୁ ବର୍ଷ ପୂର୍ବେ ବେଦାନ୍ତ କାରଖାନା ଦ୍ୱାରା ଗୋଟିଏ ପାଉଁଶ ପୋଖରୀ କାର୍ଯ୍ୟକ୍ଷମ ହୋଇସାରିଛି। ବର୍ତ୍ତମାନ କମ୍ପାନୀ ସିରିଆପାଲି ଗ୍ରାମ ନିକଟରେ ତାର ଦ୍ୱିତୀୟ ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। କମ୍ପାନୀର ଏହି ଏକପାଖିଆ ନିଷ୍ପତ୍ତିକୁ ଠରକିମାଲର ସମସ୍ତ ଗ୍ରାମବାସୀ ଦୃଢ଼ଭାବେ ବିରୋଧ କରିଛନ୍ତି।

ଗ୍ରାମବାସୀଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଦାବି ଉପସ୍ଥାପନ କରିବା ପରେ ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀମାନେ କହିଛନ୍ତି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ବୈଠକ ଡକାଯାଇ କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରାଯିବ ଏବଂ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।

ଏହି ପ୍ରତିବାଦର ନେତୃତ୍ୱ ନେଇଥିଲେ ଶ୍ରୀ ମଙ୍ଗଲ କିଶାନ, ସିନ୍ଧୁ କିଶାନ, କୈଳାସ କିଶାନ, ଦେବ ମାଝୀ, ହିମାଂଶୁ କିଶାନ, ଭୁଜି କିଶାନ ଏବଂ ମନ୍ଦାକିନୀ ମାଝୀ ପ୍ରମୁଖ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories