ଦୁଇ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଗୁରୁବାର ସନ୍ଧ୍ୟାରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ଦୁଇ ରାଷ୍ଟ୍ର ନେତା ଏୟାରପୋର୍ଟରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି । ଭାରତ ଓ ରୁଷ ମଧ୍ୟରେ ଆୟୋଜିତ 23ତମ ଦ୍ୱିପାକ୍ଷୀକ ସମ୍ମିଳନୀରେ ଯୋଗଦେବାକୁ ପୁଟିନ ଭାରତ ଗସ୍ତ କରିଛନ୍ତି । ତେବେ ଏଥିରେ ଭାରତକୁ କି ଫାଇଦା ମିଳିବ, ଯୁଦ୍ଧଗ୍ରସ୍ଥ ଏକ ରାଷ୍ଟ୍ର ଆମକୁ କି ପ୍ରକାର ସାହାଯ୍ୟର ହାତ ବଢାଇବ? ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିପାରେ । ବାସ୍ତବରେ ପୁଟିନଙ୍କ ଗସ୍ତ ଭାରତ ପାଇଁ କିପରି ଫାଇଦା ସାବ୍ୟସ୍ତ ହୋଇଛି, ଜାଣନ୍ତୁ…
ଇତିହାସ ସାକ୍ଷୀ ଅଛି ରୁଷ ଭଳି ପ୍ରକୃତ ବନ୍ଧୁ ଭାରତ ପାଇଁ ଆଉ କେହି ନ ହୋଇପାରେ । 1971 ପାକିସ୍ତାନ ବିପକ୍ଷରେ ଯୁଦ୍ଧ ସମୟରେ ସହାୟତାର ହାତ ବଢାଇଥିଲା ରୁଷ । ସେତେବେଳେ ଭାରତକୁ ବୁଡ଼ାଜାହାଜ ଦେଇ ଇଣ୍ଡିଆନ ନେଭି ବା ଭାରତୀୟ ନୌସେନାର ମାନ ରକ୍ଷା କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଥିଲା ଭାରତ । ସେହିପରି ବାଣିଜ୍ୟ କାରବାରଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର ପର୍ଯ୍ୟନ୍ତ ସାହାଯ୍ୟ କରି ଭାରତର ‘ବିପଦର ବନ୍ଧୁ’ ସାଜିଛି ରୁଷ୍ । ‘ଅପରେସନ ସିନ୍ଦୂର’ ସମୟରେ ମଧ୍ୟ ରୁଷର କ୍ଷେପଣାସ୍ତ୍ର ସମେତ ସୁଦର୍ଶନ ଚକ୍ରର ବ୍ୟବହାର କରି ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ରୋକି ପାରିଥିଲା ଦେଶ । ଆଉ ଆଜି ରାଷ୍ଟ୍ରପତି ପୁଟିନଙ୍କ ଗସ୍ତ ସୟରେ ଭାରତକୁ ଏକାଧିକ ଫାଇଦା ମିଳିଛି ।
ଦୀର୍ଘ 10 ବର୍ଷ ଧରି ଚାଲିଥିବା ଭାରତ ଓ ରୁଷ ମଧ୍ୟରେ ଆଣବିକ ବୁଡ଼ାଜାହାଜ ଡିଲ୍ ଚୂଡ଼ାନ୍ତ ହୋଇଛି । ଏପଟେ ପୁଟିନଙ୍କ ଗସ୍ତ କରିଥିବା ବେଳେ ସେପଟେ ଏହି ଡିଲ୍ ଉପରେ ମୋହର ବାଜିଛି । ଦେଶ ଭାରତୀୟ ନୌସେନା ଦିବସ ପାଳନ କରୁଥିବା ସମୟରେ ଏହି ଡିଲ୍ ନୌବୀରଙ୍କ ପାଇଁ ଉପହାର ସଦୃଶ । ଖୁବଶୀଘ୍ର ନୌସେନାରେ ଏହି ଆଣବିକ ବୁଡ଼ାଜାହାଜ ସାମିଲ୍ ହୋଇ ଭାରତୀୟ ନୌବୀଙ୍କ ଶକ୍ତି ବଢାଇବ ।
ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ରୁଷ୍ ଭାରତକୁ ଗୋଟିଏ ଆଣବିକ ବୁଡ଼ାଜାହାଜ ଦେବ । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ରୁଷକୁ 2 ବିଲିୟନ ଡଲାର ଦେବାର ଚୁକ୍ତି ହୋଇଛି । ଏହି ଡିଲ୍ ପାଇଁ ଦଶ ବର୍ଷ ତଳେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ଶେଷରେ 23ତମ ଦ୍ୱିପାକ୍ଷୀକ ଆଲୋଚନା ସମୟରେ ଏହା ସଫଳ ହୋଇଛି । ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ ଭାରତୀୟ ନୌସେନାର ଶକ୍ତିକୁ ଶତଗୁଣିତ କରିବ । କାରଣ ଏହି ବୁଡ଼ାଜାହାଜ ସାଧାରଣ ଇଲେକ୍ଟ୍ରିକ୍ ଓ ଡିଜେଲ୍ ଚାଳିତ ବୁଡ଼ାଜାହାଜ ଠାରୁ ଶହେ ଗୁଣା ଶକ୍ତିଶାଳୀ । ରୁଷର ଏହି ବୁଡ଼ାଜାହାଜକୁ ଏପରି ଟେକ୍ନଲୋଜିରେ ବିକଶିତ କରାଯାଇଛି ଯେ, ଏହାକୁ ଟ୍ରାକ୍ କରିବା ସହଜ ନୁହେଁ । ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିବାର କ୍ଷମତା ରଖିଛି । ମାତ୍ର ଶତୃ ପକ୍ଷ ସହଜରେ ଟ୍ରାକ୍ କରି ପାରିବନି ।
ସେହିପରି ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଆର୍କିଟିକ୍ କ୍ଷେତ୍ରରେ ଦୁଇ ଦେଶର ଗବେଷଣାକୁ ପ୍ରୋତ୍ସାହନ ମିଳିବ । ଭାରତର କିଛି ଆଣବିକ ପ୍ଲାଣ୍ଟକୁ ମଧ୍ୟ ରୁଷିଆ ରିଆକ୍ଟର ଟେକ୍ନୋଲୋଜି ଦେବ ବୋଲି କୁହାଯାଉଛି । ଆଜିନ ଆଲୋଚନା ସମୟରେ ମଧ୍ୟ ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇପାରେ, ଯାହା ଉପରେ ପୂରା ବିଶ୍ୱର ନଜର ରହିଛି ।








