କାହିଁକି ହୁଏ ଲିଭର ସମସ୍ୟା? ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ

କାହିଁକି ହୁଏ ଲିଭର ସମସ୍ୟା?

ପରିବର୍ତ୍ତିତ ଜୀବନଶୈଳୀ ମଣିଷର ଶାରୀରିକ ଓ ମାନସିକ ସ୍ଥିତିକୁ ବିଗାଡ଼ି ଦେଇଛି । ଅଧିକାଂଶ ଲୋକ ଏବେ ନାନା ରୋଗରେ ପୀଡ଼ିତ । ସେଥି ମଧ୍ୟରୁ ଲିଭର ସମସ୍ୟା ଅନ୍ୟତମ । ଲିଭର ବା ଯକୃତ ତ୍ରୁଟି କାରଣରୁ ରୋଗୀଙ୍କ ଜୀବନ ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନ ହେବାା । ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରିବା ଦ୍ୱାରା ଯକୃତ ସମସ୍ୟା ଗମ୍ଭୀର ହୋଇ ଯାଉଛି, ଫଳରେ ରୋଗୀର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ । ତେଣୁ ଲିଭର ସ୍ୱାସ୍ଥ୍ୟର କିପରି ଯତ୍ନ ନେବେ ଏବଂ କୌଣସି ସମସ୍ୟା ଥିଲେ କିପରି ଜାଣିବେ ଜାଣନ୍ତୁ ଏହି ଆଲେଖ୍ୟରୁ ।

ଯକୃତ କଣ ଓ ଏହାର କାର୍ଯ୍ୟ

ଯକୃତ ସମସ୍ୟା ବାବଦରେ ଜାଣିବା ପୂର୍ବରୁ ପ୍ରଥମେ ଏହା ବାବଦରେ ଜାଣିବା । ଯକୃତ ହେଉଛି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯକୃତ ଶରୀରରେ ଖାଦ୍ୟ ହଜମ କରିବା, ସଂକ୍ରମଣ ସହ ଲଢିବା, ଶର୍କରା ନିୟନ୍ତ୍ରଣ ଏବଂ ଶରୀରରୁ ବୈର୍ଜ୍ୟ ପଦାର୍ଥ ନିଷ୍କାସନ କରି ଶରୀରକୁ ପରିସ୍କାର ରଖିବାରେ ପ୍ରମୁଖ ଭୂମିକା ନିଭାଇଥାଏ । ଏହା ଶରୀରରେ ଭିଟାମିନ୍, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ସଂରକ୍ଷଣ ଭାବରେ କାମ କରେ ।

କାହିଁକି ହୁଏ ଲିଭର ସମସ୍ୟା

ଖାଦ୍ୟପେୟରେ ତୃଟି, ଖାଇବା ଓ ଶୋଇବାରେ ଅନିୟମିତତା ଯକୃତ ରୋଗର ମୁଖ୍ୟ କାରଣ । ଏଥିସହ ଅତ୍ୟଧିକ ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଗ୍ରହଣ ଓ ମଦ୍ୟପାନ ଦ୍ୱାରା ଲିଭର ରୋଗ ହୋଇପାରେ ।

ଯକୃତ ରୋଗର ଲକ୍ଷଣ
ଅସ୍ୱାସ୍ଥ୍ୟକର ଖାଦ୍ୟପେୟ କାରଣରୁ ଯକୃତରେ ବିଭିନ୍ନ ସମସ୍ୟା ଦେଖାଯାଏ । ସେଥିମଧ୍ୟରୁ ପରିସ୍ରାର ରଙ୍ଗ ହଳଦିଆ, ଅତ୍ୟଧିକ ଥକ୍କା, ପେଟ ଯନ୍ତ୍ରଣା, ବାନ୍ତି ହେବା, ଆଖି ଓ ଚର୍ମ ହଳଦିଆ ଦେଖାଯିବା ଇତ୍ୟାଦି । ଏହା ବ୍ୟତୀତ ଭୋକ ନ ଲାଗିବା ଯକୃତ ସମସ୍ୟାର ପ୍ରମୁଖ ଲକ୍ଷଣ।

ଯକୃତକୁ କିପରି ସୁସ୍ଥ ରଖିବେ
ଶର୍କରା ବା ସୁଗାର ବୃଦ୍ଧି ଲିଭର ପାଇଁ ହାନୀକାରକ । ତେଣୁ ଶରୀରରେ ଶର୍କରା ସ୍ତରକୁ ପ୍ରଥମେ ନିୟନ୍ତ୍ରଣରେ ରଖନ୍ତୁ। ବିଶେଷ କରି ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ ନାହିଁ । ଉଦ୍ଭିଦ ଜାତୀୟ ତାଜା ପନିପରିବା ଖାଦ୍ୟ ଖାଆନ୍ତୁ । ଯକୃତକୁ ଫିଟ୍ ରଖିବା ପାଇଁ ଓଜନ ଉପରେ ମଧ୍ୟ ନିୟନ୍ତ୍ରଣ ଆଣିବା ଉଚିତ୍ । ଅଧିକ ତେଲିଆ ଏବଂ ମସଲାଯୁକ୍ତ ଖାଦ୍ୟଠୁ ଦୂରେଇ ରୁହନ୍ତୁ । ଆଦୌ ନିଶା ସେବନ କରନ୍ତୁ ନାହିଁ । କୋଲେଷ୍ଟ୍ରଲ ସ୍ତର ହ୍ରାସ କରନ୍ତୁ । ଠିକ୍ ସମୟରେ ଶୋଇବା, ଉଠିବା ଏବଂ ଖାଇବା ଅଭ୍ୟାସ ରଖିବା ଦ୍ୱାରା ଯକୃତ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା ।

Disclaimer: ଏହା ଏକ ସାଧାରଣ ସୂଚନା ଉପରେ ଆଧାାରିତ । କୌଣସି ସ୍ୱାସ୍ଥ୍ୟଗତ ତୃଟି ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

 

 

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories