ଭଣ୍ଡାରିପୋଖରୀ ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକଙ୍କୁ କିଏ ସୁରକ୍ଷା ଯୋଗାଉଛି – କଂଗ୍ରେସ

ଭଣ୍ଡାରିପୋଖରୀ ବିଜେଡ଼ି ବିଧାୟକ ସଂଜୀବ ମଲ୍ଲିକଙ୍କୁ କିଏ ସୁରକ୍ଷା ଯୋଗାଉଛି – କଂଗ୍ରେସ

ଭୁବନେଶ୍ବର: ଭଣ୍ଡାରିପୋଖରୀର ବିଜେଡ଼ି ବିଧାୟକ ଶ୍ରୀ ସଂଜୀବ ମଲ୍ଲିକଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ଥାଇ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱର ଶ୍ରୀ ମଲ୍ଲିକଙ୍କ ବିରୋଧରେ କାହିଁକି ଏଫଆଇଆର ଦରଦ କରୁନାହିଁ ଏବଂ ନିଜେ ଏହି ଅର୍ଥନୈତିକ ଅପରାଧ ସଂକ୍ରାନ୍ତୀୟ ଘଟଣାର ତଦନ୍ତ କରିବା ପରିବର୍ତ୍ତେ ଇଡି ଏବଂ ଭଦ୍ରକ ଏସ୍‌ପିଙ୍କୁ ଚିଠି ଲେଖି ମାସ ମାସ ଧରି କାହିଁକି ଚୁପ ବସି ରହିଛନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ ଦ୍ବାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ କାନୁନଗୋ ରାଜ୍ୟ ପୋଲିସ ପ୍ରଶାସନର ଲୁଚକାଳି ଖେଳ ଓ ବିଜେଡ଼ି ବିଜେପି ମଧ୍ୟରେ ଥ‌ିବା ଅନୈତିକ ଓ ଅଘୋଷିତ ସମ୍ପର୍କକୁ ନେଇ ଖୁବ ବର୍ଷିଛନ୍ତି । ପ୍ରକାଶଥାଉ କି ଭଦ୍ରକର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ଶହ ଶହ କୋଟି ଟଙ୍କାର ଆୟ ବ‌ର୍ହିଭୂତ ସମ୍ପତ୍ତିର କିଭଳି ମାଲିକ ହେଲେ ଏହାକୁ ନେଇ ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି ।

ବିଗତ ୫ ବର୍ଷ ଭିତରେ ବିଧାୟକ ସଂଜୀବ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ଯେଉଁ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ଉଭୟଙ୍କର ବାର୍ଷିକ ଆୟ ହାରାହାରି ଏକକୋଟି ଟଙ୍କା ପାଖାପାଖୂ ହେବ । ଏକ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି ଜଣଙ୍କ କିଭଳି ଭାବରେ ଶହ ଶହ କୋଟି ଟଙ୍କାର ବ୍ୟବସାୟ ଅନୁଷ୍ଠାନ ଗଢ଼ି ପୁଞ୍ଜି ବିନିଯୋଗ କରିଛନ୍ତି । ସେ ଯେଉଁ ବନ୍ଧୁ ବାନ୍ଧବ ମାନଙ୍କ ପାଖରୁ ଋଣ ଆକାରରେ ଆଣିଛନ୍ତି ବୋଲି ଦର୍ଶାଇଛନ୍ତି ତାହା ମଧ୍ଯ ଅଳ୍ପକିଛି ଟଙ୍କା। ଏପରିକି ତାଙ୍କର ଯେତେସବୁ ବ୍ୟବସାୟୀକ ଅନୁଷ୍ଠାନ ଅଛି ଏବଂ ସେଥିରେ ଯେଉଁ ଟଙ୍କା ଖଟାଯାଇଛି ତାହା ୧୦୦ କୋଟି ଟଙ୍କାରୁ ଅଧୂକ ହେବ ପଛେ କମ ହେବନାହିଁ । ତାହାହେଲେ ଏତେ ସବୁ ଟଙ୍କା ଶ୍ରୀ ମଲ୍ଲିକ ବିଧାୟକ ହେଲାପରେ କେଉଁଠୁ ଆସିଲା ତାହାର କୌଣସି କୈଫତ ଦେଇନାହାନ୍ତି । ଏପରିକି ନିଜ ସଂସ୍ଥାରେ କାମ କରୁଥିବା କର୍ମଚାରୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ନଗଦ ଆକାରରେ ଡିପୋଜିଟ କରାଇ ସେହି ଟଙ୍କାକୁ ପୁର୍ନବାର ନିଜ ବ୍ୟବସାୟିକ ଖାତାକୁ ନିଆଯାଇଛି। ଏତେ ଗୁଡ଼ିକ ନଗଦ ଟଙ୍କା କାହିଁକି କର୍ମଚାରୀମାନଙ୍କ ଆକାଉଣ୍ଟରେ ଡିପୋଜିଟ ହେଉଥିଲା । ଏ ଟଙ୍କାର ମୂଳ ଉତ୍ସ କଣ ଏହାର ବିଧିବଧ ତଦନ୍ତ ହେଲେ ଏସବୁ ଜଣାପଡ଼ିବ । କିନ୍ତୁ ଦୁଃଖ ଏବଂ ପରିତାପର କଥା ଭାରତୀୟ ଜନତାପାର୍ଟି ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିବା କଥା କହୁଥିଲା ବେଳେ ଦୁର୍ନିତି ଖୋର ରାଜନେତାଙ୍କୁ ପୃଷ୍ଟପୋଷକତା ଯୋଗାଇ ଦିଆଯାଉଥ‌ିବାର ସ୍ପଷ୍ଟ ପ୍ରମାଣ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଶହ ଶହ କୋଟି ଟଙ୍କାର ଦୁର୍ନୀତିର ନଥିପତ୍ର ମିଳିଲାପରେ ଏସ୍‌ପି ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ଵର ୧୩.୮.୨୦୨୫ ରିଖରେ ଚିଠି ସଂଖ୍ୟା ୩୧୦୩ରେ ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ଜଏଣ୍ଟ ଡାଇରେକ୍ଟରଙ୍କୁ ଚିଠି ଲେଖୁ ଏହି ଘଟଣାର ବିଧିବଧ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲେଖିଥିଲେ । କିନ୍ତୁ ଦୀର୍ଘ ୫ ମାସ ପରେ ଇଡି ଏହି ଘଟଣାର କୌଣସି ତଦନ୍ତ କାହିଁକି କଲା ନାହିଁ । ଖାଲି ସେତିକି ନୁହେଁ ପୁର୍ନବାର ଏସପି, ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ଵର ଚିଠି ସଂଖ୍ୟା ୧୮୧ ରେ ୯.୧.୨୦୨୬ ରିଖରେ ଭଦ୍ରକ ଜିଲ୍ଲାର ଏସ୍‌ପିଙ୍କୁ ଏହି ଘଟଣାର ତଦନ୍ତ କରିବାପାଇଁ ଚିଠି ଲେଖିଲେ । ଏହି ଘଟଣାର ଆଇଜି ପୋଲିସ, ଅର୍ଥନୈତିକ ଅପରାଧ ଶାଖାଙ୍କର ଅନୁମତି ନେଇ ସେ ଚିଠି ଲେଖିଛନ୍ତି ବୋଲି ଜଣାଇଲା ପରେ ମଧ୍ୟ ଏପର୍ଯ୍ୟନ୍ତ ଏସ୍‌ପି, ଭଦ୍ରକ କାହିଁକି କେସ ରେଜିଷ୍ଟ୍ରେସନ କରି ତଦନ୍ତ କରୁନାହାନ୍ତି ? ଆଇନର ବାଟକୁ କିଏ ଓଗାଲୁଛି ? ଦୁର୍ନୀତିଖୋରଙ୍କୁ ବିଜେପି ସରକାର ସହଯୋଗ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ସଚିବ ଏହି ଘଟଣାର ସଂଜ୍ଞାନ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଓ ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories