HT ଓଡିଶା ବ୍ଯୁରୋ: ମନ ଭିତରେ ଶୀତଳ ଯୁଦ୍ଧ, ସୋଶାଲ ମିଡିଆରେ ଆରୋପ-ପ୍ରତ୍ୟାରୋପ ପରେ ମେଣ୍ଟିଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡେପୁଟି ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା କନ୍ଦଳ । କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଉଭୟଙ୍କ ମନ ମିଶିଛି, ଏକାଠି ବସି ଇଡଲି, ଉପମା ଖାଇଛନ୍ତି । ଏବେ ଆମେ ଏକତ୍ର ବୋଲି ଉଭୟ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ କାହିଁକି ମନମାଳୀନ ଦେଖା ଦେଇଥିଲେ?, ‘50-50’ ଭାଗିଦାରୀ କ’ଣ ଯାହାକୁ ନେଇ ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା କେଁ?
2023 ସାଧାରଣ ନିର୍ବାଚନରେ କର୍ଣ୍ଣାଟକାରେ ସରକାରକୁ ଆସିଥିଲା କଂଗ୍ରେସ । ଫିଫଟି-ଫିଫଟି ଭାଗିଦାରୀରେ ଦୁଇ ଟାଣୁଆ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାର ଏକାଠି ହୋଇ ସରକାର ଗଠନ କରିଥିଲେ । ସେତେବେଳେ କଥା ଥିଲା- ସରକାର ଆରମ୍ଭ ହେବାର ପ୍ରଥମ ଅଢେଇ ବର୍ଷ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିବେ । ଏହିସମୟରେ ଡିକେ ଡେପୁଟି ଭାବେ ଦାୟିତ୍ୱ ତୁଲାଇବେ । ଏହାପରେ ପରବର୍ତ୍ତୀ ଅଢେଇ ବର୍ଷ ଡିକେ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧରମୈୟା ଡେପୁଟି ହେବେ । ଏବେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ସିଦ୍ଧରମୈୟା ଆଉ ପଦ ଛାଡ଼ୁ ନାହାନ୍ତି । ଏହାକୁ ନେଇ ଶିବକୁମାର ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା ।
କନ୍ଦଳ ଏପରି ହୋଇଥିଲା ଯେ ଘରୁ ଯାଇ ସୋଶାଲ ମିଡିଆରେ ପଡ଼ିଥିଲା । ଶିବକୁମାାର ଏକ୍ସରେ କିଛି ମନ୍ତବ୍ୟ ରଖିବା ପରେ ସିଦ୍ଧରମୈୟା କଉଣ୍ଟର କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଫାଟ ଥିବା ଲୋକଲୋଚନକୁ ଆସିଥିଲା । ଶେଷରେ ଦଳର ହାଇକମାଣ୍ଡ ମଧ୍ୟସ୍ଥତା କରି ଉଭୟଙ୍କୁ ସନ୍ତୁଷ୍ଟ କରାଇଛନ୍ତି । ଆଜି ସିଦ୍ଧରମୈୟାଙ୍କ ନିମନ୍ତ୍ରଣ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରାତଃଭୋଜନ କରିଛନ୍ତି ଶିବକୁମାର ।
ଏହାପରେ ଉଭୟ ସୋଶାଲ ମିଡିଆରେ ପୋଷ୍ଟ କରି ସବୁ ଠିକ୍ ଥିବା କହିଛନ୍ତି । ଆଗାମୀ 2028 ନିର୍ବାଚନ ସେମାନଙ୍କ ଫୋକସ୍, ତେଣୁ ଏହି ଭିଜନ୍ ପାଇଁ ଏକ ବଡ଼ ଆଲୋଚନା ହୋଇଥିବା ଦୁଇ ନେତା ସୋଶାଲ ମିଡିଆ ପୋଷ୍ଟ୍ ଏକ୍ସରେ ଜଣାଇଛନ୍ତି ।
ପ୍ରାତଃ ଭୋଜନ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଆମର ଏଜେଣ୍ଡା ହେଉଛି 2028 ନିର୍ବାଚନ। ଆମ ପାଇଁ ଲୋକାଲ୍ ବଡି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ । ଆମେ ସେଗୁଡ଼ିକ ଉପରେ ଆଲୋଚନା କରିଥିଲୁ । ଆଗାମୀ ନିର୍ବାଚନରେ ଦଳ କିପରି କ୍ଷମତା ବଜାୟ ରଖିବ ସେ ବିଷୟରେ ଆଲୋଚନା କରିଛପ । ଆମ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ କୌଣସି ମତଭେଦ ରହିବ ନାହିଁ ।”
ସେ ଆହୁରି କହିଛନ୍ତି ଯେ ହାଇକମାଣ୍ଡ ଯାହା କହିବେ ତାହା ପାଳନ କରିବୁ ବୋଲି ଆମେ ନିଷ୍ପତ୍ତି ନେଇଛୁ । ଆସନ୍ତାକାଲିଠାରୁ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ଏପର୍ଯ୍ୟନ୍ତ କୌଣସି ଦ୍ୱନ୍ଦ୍ୱ ନାହିଁ । କିଛି ଗଣମାଧ୍ୟମ ରିପୋର୍ଟର ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି । ବିଜେପି ଓ ଜେଡି(ଏସ୍)ର ମିଛ ଅଭିଯୋଗ ଆଣିବା ଅଭ୍ୟାସ । ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି କହୁଥିଲେ । ସେମାନଙ୍କ ପାଖରେ 60 ଓ 18 ଆସନ ଥିବାବେଳେ ଆମେ 140 । ସେମାନଙ୍କ ମିଛ ଅଭିଯୋଗକୁ ଆମେ ମୁକାବିଲା କରିବୁ ବୋଲି ସିଦ୍ଧରମୈୟା କହିଥିଲେ ।
ସେହିପରି ପ୍ରେସମିଟରେ ଥିବା ଡିକେ ମଧ୍ୟ ସମାନ କଥା କହିଥିଲେ । ସେ କଂଗ୍ରେସ ପ୍ରତି ବିଶ୍ୱସ୍ଥ ରହିବେ ଏବଂ ଆଗାମୀ ନିର୍ବାଚନ ଓ କର୍ଣ୍ଣାଟକର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା କରିଥିବା କହିଛନ୍ତି ।








