ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢିବାକୁ ଯାଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଠାରୁ ଶୀତ ବଢିବା ସହ ବଡ଼ଦିନ ବେଳକୁ ଏହା ଆହୁରି ଘନିଭୂତ ହେବ। ବିଶେଷ କରି ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ପବନ ଯୋଗୁଁ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସାରା ଓଡ଼ିଶା ଏବେ ଶୀତରେ ଥରୁଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ବେଳେ କୋରାପୁଟ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୮ଟା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ବହୁତ କମ୍ ରହୁଥିବାରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି। ବାୟୁମଣ୍ଡଳର ନିମ୍ନ ଭାଗରେ ଆର୍ଦ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ କୁହୁଡିର ପରିମାଣ ଆହୁରି ବଢିବା ସମ୍ଭାବନା ରହିଛି। କୁହୁଡି ଯୋଗୁଁ ରାସ୍ତାଘାଟ ଓଦା ରହୁଥିବାରୁ ଦୁର୍ଘଟଣାର ଆଶଙ୍କା କରି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।
ଅନ୍ୟପଟେ, ଏହି ପ୍ରବଳ ଥଣ୍ଡାକୁ ଲୋକେ ମଧ୍ୟ ବେଶ୍ ଉପଭୋଗ କରୁଛନ୍ତି। ସକାଳୁ ସକାଳୁ ପାର୍କ ଓ ଖୋଲା ପଡ଼ିଆରେ ମର୍ଣ୍ଣି ୱାର୍କର ଭିଡ଼ ଜମୁଥିବା ବେଳେ, ଗାଁଠୁ ସହର ସବୁଠି ନିଆଁ ପୁଇଁବା ସହ ଚା’ ଖଟିର ମଜା ନେଉଛନ୍ତି ଜନସାଧାରଣ। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିବ ବୋଲି ସୂଚନା ମିଳିଛି।








