ଶୀତ ଦିନ ଆସିଲେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ବଢିଥାଏ ଅଭିଭାବକ ଙ୍କ ଚିନ୍ତା । ବର୍ଷର ଅନ୍ୟ ଋତୁ ତୁଳନାରେ ଶୀତ ଋତୁରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ । ଏହି ଋତୁରେ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ ଫଳରେ ଜ୍ୱର , ଥଣ୍ଡା, କାଶ, ଫ୍ଲୁ, ନିମୋନିଆ, ଆସ୍ଥାମା, ଶ୍ୱାସଜନିତ ରୋଗ ଭଳି ଅନେକ ରୋଗରେ ଆକ୍ରାନ୍ତ ହୋଇପଡନ୍ତି । ତେଣୁ ଏହି ଋତୁରେ ଅଭିଭାବକ ମାନେ ଶିଶୁମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ରହିବା ଦରକାର ।
ଶିଶୁଙ୍କ ସ୍ୱାସ୍ଥ୍ୟଯତ୍ନ ପାଇଁ ଆପଣାନ୍ତୁ କିଛି ଟିପ୍ସ:
ବିଭିନ୍ନ ପ୍ରକାର ସଂକ୍ରମଣରୁ ଦୁରେଇ ରଖିବା ପାଇଁ ବାରମ୍ବାର ହାତ ଧୋଇବା ପାଇଁ ଶିଶୁମାନଙ୍କୁ ଶିଖାନ୍ତୁ। କାଶିବା, ଛିଙ୍କିବା ସମୟରେ ରୁମାଲ କିମ୍ବା ଟିସୁ ପେପର ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ କରନ୍ତୁ। ଘରୁ ବାହାରକୁ ଗଲେ ଶିଶୁଙ୍କୁ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଏବଂ ଘର ଭିତରେ ଥିଲେ ଘରର ତାପମାତ୍ରା ଅନୁଯାୟୀ ଗରମ ପୋଷାକ ପିନ୍ଧାନ୍ତୁ ଏହା ଦେହକୁ ଉଷୁମ ରଖିବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଶିଶୁମାନଙ୍କୁ ସନ୍ତୁଳିତ ଖାଦ୍ୟ ଯେପରି ହୋଲ ଗ୍ରେନ, ପ୍ରୋଟିନ ଯୁକ୍ତ ଖାଦ୍ୟ, ସବୁଜ ପନିପରିବା, ଭିଟାମିନ C ଯୁକ୍ତ ଫଳ ଖୁଆନ୍ତୁ। ଶିଶୁମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶୁଆନ୍ତୁ । ଗୁଣାତ୍ମକ ଶୟନ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ହାଇଡ୍ରେଟ ରଖିବା ପାଇଁ ସମୟ ବ୍ୟବଧାନରେ ସଠିକ ପରିମାଣର ଉଷୁମ ପାଣି, ଫଳରସ ପିଆନ୍ତୁ। ଘର ଭିତରେ ଶିଶୁଙ୍କୁ ଚଳଚଞ୍ଚଳ ରଖିବା ପାଇଁ ବ୍ୟାୟାମ, ଯୋଗ, ସ୍କିପିଙ୍ଗ, ନାଚ ଆଦି ଏକ୍ଟିଭିଟି କରାନ୍ତୁ । ଚର୍ମର ସୁସ୍ଥତା ପାଇଁ ପ୍ରତ୍ୟେକ ଦିନ ଶିଶୁଙ୍କୁ ହାଲୁକା ଉଷୁମ ପାଣିରେ ଗାଧାନ୍ତୁ ଏବଂ ଗାଧୋଇ ସାରିଲା ପରେ ତେଲ କିମ୍ବା ମଶ୍ଚରାଇଜର ଲଗାନ୍ତୁ ଏବଂ କିଛି ସମୟ ସୂର୍ଯ୍ୟକିରଣରେ ରଖନ୍ତୁ। ଶିଶୁଙ୍କୁ ଠିକ ସମୟରେ ଫ୍ଲୁ ଭେକସିନ ଦିଅନ୍ତୁ। କୌଣସି ଅସୁସ୍ଥତାର ପ୍ରାରମ୍ଭିକ ଲଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଅଭିଭାବକ ମାନେ ଏହିସବୁ ଛୋଟ ଛୋଟ ଟିପ୍ସ ଗୁଡିକୁ ଆପଣାଇଲେ ନିଜ ଶିଶୁଙ୍କୁ ସୁସ୍ଥ ଏବଂ ଖୁସି ରଖିପାରିବେ ।








