ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ ପୁଣି ଥରେ ଶୀତ ଫେରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି, ଯାହା ଫଳରେ ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ ହେବ।
ଶୀତ କମିଥିବା ବେଳେ ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏହା ସହିତ ଦାରିଙ୍ଗିବାଡ଼ିରେ ରାତିର ତାପମାତ୍ରା ୧୨.୫ ଡିଗ୍ରି ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବୃଦ୍ଧି ପାଇଛି ଏବଂ ସମଗ୍ର ରାଜ୍ୟରେ ପ୍ରାୟ ୧ରୁ ୪ ଡିଗ୍ରି ସେଲ୍ସିୟସ୍ ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରିକୁ ବୃଦ୍ଧି ପାଇଥିବା ବେଳେ କଟକରେ ଏହା ୧୭.୬ ଡିଗ୍ରି ରହିଥିଲା।
ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି








