ଧୀରେ ଧୀରେ ଏଡସ୍ ପ୍ରଭାବ କମ୍ ହୋଇଥିଲେ ମଧ୍ୟ ଏହା ଆମ ସମାଜରୁ ସମ୍ପୂର୍ଣ୍ଣ ରୂପେ ମୂଳତ୍ପୋଟନ ହୋଇପାରି ନାହିଁ । ଏଥିପାଇଁ ଏଡସ୍ ବାବଦରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଡିସେମ୍ବର 1କୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଉଛି । କାରଣ ଏବେ ବି ଅନେକଙ୍କ ମନରେ ଏଡସକୁ ନେଇ ଭ୍ରାନ୍ତ ଧାରଣା ରହିଛି । ରୋଗୀକୁ ଛୁଇଁଲେ କିମ୍ବା ତା ସହ କଥା ହେଲେ ରୋଗ ହୋଇଥାଏ ଭାବି ଅଧିକାଂଶ ଲୋକ ରୋଗୀକୁ ବାଛନ୍ଦ କରନ୍ତି, ସାମାଜିକ କଳଙ୍କ ଦିଅନ୍ତି । ଚଳିତ ବର୍ଷ ”Overcoming disruption, transforming the AIDS response” ଥିମ୍ ଜରିଆରେ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଉଛି । ତେବେ ପ୍ରକୃତରେ କଣ ଏଡସ୍ ଏକ ଡିଆଁ ରୋଗ, ରୋଗୀକୁ ଛୁଇଁଦେଲେ କଣ ଏଡସ୍ ହୁଏ ନା ଅନ୍ୟ କିଛି କାରଣ ଅଛି? ଏଡସ୍ ଦିବସରେ ଏମସ୍ତ ପ୍ରଶ୍ନର ଜାଣନ୍ତୁ ଉତ୍ତର….
ଏଡସ୍(AIDS)
ରୋଗ ବାବଦରେ ଜାଣିବା ପୂର୍ବରୁ ପ୍ରଥମେ ଏଡସ୍ କଣ ଜାଣିବା… ଏଡସକୁ ଇଂରାଜୀରେ ଏକ୍ୟୁଆର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ (AIDS) କୁହାଯାଏ । ଏହା ଏକ ଭୂତାଣୁ ଜନିତ ରୋଗ । ଏଚ୍ଆଇଭି (ହ୍ୟୁମାନ୍ ଇମ୍ୟୁନେଡେଫିସିଏନ୍ସି ଭାଇରସ୍) ଦ୍ୱାରା ଏହି ରୋଗ ହୋଇଥାଏ । ଏଚ୍ଆଇଭି ଭୂତାଣୁ ସଂକ୍ରମଣ ହେବା ଫଳରେ ଜଣେ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନୋ ସିଷ୍ଟମ୍ ଦୁର୍ବଳ ହୋଇଯାଏ । ଫଳରେ ଜଣେ ରୋଗୀ ରୋଗ ସହ ଲଢିପାରେ ନାହିଁ । ଯତି ପ୍ରାରମ୍ଭରୁ ଚିକିତ୍ସା କରାନଯାଏ, ତେବେ ରୋଗୀ ମୃତ୍ୟୁମୁଖରେ ବି ପଡ଼ିପାରେ ।
କାହିଁକି ହୁଏ ଏଡସ୍
ଅସୁରକ୍ଷିତ ଯୌନ ସମ୍ପର୍କ ଏଡସର ମୁଖ୍ୟ କାରଣ । ଅର୍ଥାତ୍ ଏକାଧିକ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ଫଳରେ ଏଡସ୍ ହୋଇଥାଏ । ଏହା ବ୍ୟତୀତ ଯଦି ଏଡସ୍ ହୋଇଥିବା ରୋଗୀ ସହ ଶାରୀରିକ ସମ୍ପର୍କ ରଖାଯାଏ, ସେ ବ୍ୟବହାର କରିଥିବା ଛୁଞ୍ଚି ବା ସିରିଞ୍ଜ ବ୍ୟବହାର କରିବା ଦ୍ୱାରା ଏଡସ୍ ବ୍ୟାପୀଥାଏ । ଯଦି ଗର୍ଭାବସ୍ତାରେ ଜଣେ ମହିଳାଙ୍କୁ ଏଡସ୍ ହୋଇଛି ତେବେ ଗର୍ଭସ୍ତ ଶିଶୁକୁ ମଧ୍ୟ ବ୍ୟାପିପାରେ, ସ୍ତନପାନ ଜରିଆରେ ମଧ୍ୟ ଏଡସ୍ ବ୍ୟାପିବାର ଆଶଙ୍କା ରହିଛି । ମାତ୍ର ରୋଗୀକୁ ଛୁଇଁବା ଦ୍ୱାରା କିମ୍ବା ତା ସଂସ୍ପର୍ଷରେ ଆସିଗଲେ ଏଡସ୍ ହୋଇନଥାଏ । ଯଦି ଏପରି ଧାରଣା ଥାଏ, ତେବେ ଭୁଲ୍ । ଏଡସ୍ ଏକ ସଂକ୍ରାମକ ରୋଗ ହୋଇଥିଲେ ବି ଏହା ଡିଆଁ ରୋଗ ନୁହେଁ ।
ଏଡସ୍ ଲକ୍ଷଣ
ଏଡସ୍ ଏକ ମାରାତ୍ମକ ରୋଗ ହୋଇଥିଲେ ବି ଅନ୍ୟ ରୋଗ ପରି ଏଥିରେ କେତେକ ସାଧାରଣ ଲକ୍ଷଣ ଦେଖାଯାଏ । ଫଳରେ ଅଧିକାଂଶ ସମୟରେ ରୋଗ ଚିହ୍ନଟ କରିବା ବିଳମ୍ବ ହୋଇଯାଏ । ଏଡସର ପ୍ରାରମ୍ଭିକ ଲକ୍ଷଣକୁ ଯଦି ଦେଖିବା ତେବେ ଏଡସ୍ ହେଲେ 2ରୁ 4 ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା, କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଗଳା ବଥା ଏବଂ ଅଚାନକ ଓଜନ ହ୍ରାସ ପରି ଲକ୍ଷଣ ଦେଖାଯାଏ । ଏସବୁ ଲକ୍ଷଣ ଥିଲେ ରକ୍ତ ପରୀକ୍ଷା କରାଇବା ନିହାତି ଜରୁରୀ ।
ଏଡସ୍ ଚିକିତ୍ସା
ଏଡସକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟିକା ବିକଶିତ କରାଯାଇ ନାହିଁ । କିନ୍ତୁ ସତର୍କତା ଅବଲମ୍ବନ ଦ୍ୱାରା ଏଡସକୁ ରୋକାଯାଇ ପାରିବ । ଅସୁରକ୍ଷିତ ଯୌନ ସମ୍ପର୍କକୁ ଏଡାଇବା ସହ ଗର୍ଭାବସ୍ଥାରେ ଡାକ୍ତରୀ ପରୀକ୍ଷା ଦ୍ୱାରା ଏଡସ ବ୍ୟାପିବାକୁ ରୋକି ପାରିବା ।








