ଆୟୁର୍ବେଦରେ ଅଁଳାକୁ ଏକ ପ୍ରମୁଖ ଔଷଧୀୟ ଫଳ ଭାବରେ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଦିନ ଗୋଟିଏ ଅଅଁଳା ଖାଇବା ଦ୍ୱାରା,ଏହା ଶରୀର ପାଇଁ ଏକ ପ୍ରାକୃତିକ ଟନିକ ର କାମ କରିଥାଏ ଏବଂ ଶରୀରକୁ ରୋଗମୁକ୍ତ ରଖିବାରେ ସହାୟତା କରିଥାଏ। ଏହାକୁ ଅନେକ ଉପାୟରେ ଯେପରି କଞ୍ଚା ଅଁଳା, ଅଁଳାର ରସ,ପାଉଡର, ଶୁଖିଲା ଅଁଳା ଏବଂ ଆଚାର ତିଆରି କରି ଖାଇପାରିବେ।
ଅଁଳା ଖାଇବାର ଉପକାରିତା:
ଏହାକୁ ନିୟମିତ ଭାବରେ ସଠିକ ଉପାୟରେ ଖାଇବା ଅଭ୍ୟାସ କଲେ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ପୋଷଣ କରିଥାଏ। ଏଥିରେ ଭରିରହିଛି ପ୍ରଚୁର ପରିମାଣର ଭିଟାମିନ C ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ଥଣ୍ଡା,କାଶ,ଜ୍ୱର,ସଂକ୍ରମଣ ଏବଂ ଋତୁକାଳୀନ ରୋଗ ରୁ ରକ୍ଷା କରିଥାଏ। ଏହା ସହିତ ଚୁଟିକୁ କଳା, ମଜବୁତ,ରୁପି ବିହୀନ,ନରମ ଏବଂ ଚମକଦାର କରିଥାଏ। ଏଥିରେ ଥିବା ଆଣ୍ଟିଅସ୍କିଡେଣ୍ଟ ଏବଂ ଭିଟାମିନ C , ଚର୍ମର କୁଞ୍ଚନ କମ କରିଥାଏ, ଚେହେରା ର କଳା ଦାଗ,ବ୍ରଣ ଦୂର କରି ଚେହେରାରେ ଚମକ ଆଣିଥାଏ। ଅଁଳା ଖାଇବା ଦ୍ୱାରା ପାଚନକ୍ରିୟା ତ୍ୱରାନ୍ୱିତ ହୁଏ ଏବଂ ପେଟ ଫୁଲା, ଏସିଡିଟି, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ହୁଏ। ନିୟମିତ ବ୍ୟବହାର କଲେ ରକ୍ତରେ ଶର୍କରା ସ୍ତର ସ୍ଥିର ରହେ ଏବଂ ଡାଏବେଟିସ ରୋଗୀଙ୍କର ଉପକାର କରିଥାଏ।ଏହା ସହିତ ଅଁଳା ଖରାପ କୋଲେଷ୍ଟ୍ରୋଲ ସ୍ତର କମ କରି ଭଲ କୋଲେଷ୍ଟ୍ରୋଲ ସ୍ତରକୁ ବୃଦ୍ଧି କରେ ଏବଂ ହୃଦଘାତର ଆଶଙ୍କା ଦୂର କରିଥାଏ। ଅଁଳା ଦୃଷ୍ଟି ଶକ୍ତି ବୃଦ୍ଧି ଏବଂ ଓଜନ ନିୟନ୍ତ୍ରଣ ମଧ୍ୟ କରିଥାଏ।
ବ୍ୟବହାରରେ ସାବଧାନତା:
ପ୍ରତିଦିନ ଅଁଳା ସେବନ ଦ୍ୱାରା ଏହାର ସୁପ୍ରଭାବ ଶରୀରର ମୁଣ୍ଡ ଠାରୁ ପେଟ ପର୍ଯ୍ୟନ୍ତ ପଡିଥାଏ। ତେବେ ଅଁଳା ବ୍ୟବହାର ସମୟରେ କିଛି ସାବଧାନତା ନିଶ୍ଚିତ ଅବଲମ୍ବନ କରନ୍ତୁ । ଅତ୍ୟଧିକ ମାତ୍ରାରେ ଅଁଳା ଖାଆନ୍ତୁ ନାହିଁ। ଯଦି ଆପଣ ଏସିଡ଼ିଟିରେ ପୀଡିତ ତେବେ ଖାଲି ପେଟରେ ଅଁଳା ଖାଆନ୍ତୁ ନାହିଁ। ଅଁଳାର ଏସିଡ଼ିକ ଗୁଣ ଦାନ୍ତକୁ ନଷ୍ଟ କରିପାରେ ତେଣୁ ଖାଇବା ପରେ ପାଟି ଭଲ ଭାବରେ ଧୋଇନିଅନ୍ତୁ। ଅଁଳାରସ କୁ ଆଲୁମିନିୟମ ପାତ୍ରରେ ନ ରଖି,ଷ୍ଟିଲ କିମ୍ବା କାଚ ପାତ୍ରରେ ରଖି ବ୍ୟବହାର କରନ୍ତୁ। ଅଁଳା ଖାଇଲା ପରେ କ୍ଷୀର ପିଅନ୍ତୁ ନାହିଁ। ଡାଏରିଆ ହୋଇଥିଲେ ଅଁଳା ଖାଆନ୍ତୁ ନାହିଁ। ଡାଏବେଟିକ ରୋଗୀ,କିଡ଼ନୀଷ୍ଟୋନ ଥିବା ବ୍ୟକ୍ତି ଏବଂ ଗର୍ବବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେଇ ଅଁଳା ଖାଆନ୍ତୁ।
ତେବେ ପ୍ରତ୍ୟେକ ଦିନ ୧୦-୨୦ମିଲି ଅଁଳା ରସ ଅଧ ଗ୍ଲାସ ପାଣିରେ ମିଶାଇ କିମ୍ବା ୧-୨ଟି କଞ୍ଚା ଅଁଳା ଖାଇପାରିବେ କିନ୍ତୁ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଅନୁସାରେ ବ୍ୟବହାର ପୂର୍ବରୁ କୌଣସି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।








