ବୌଦ୍ଧ (ସର୍ବେଶ୍ୱର କ୍ଷେତି): ଓଡ଼ିଶାର ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରଗୁଡ଼ିକ ମଧ୍ୟରୁ ଜଗତିସ୍ଥିତ ସିଦ୍ଧେଶ୍ୱର, ସୋମନାଥ ଏବଂ ନୀଳମାଧବ ମନ୍ଦିର ଅନ୍ୟତମ l ଅଷ୍ଟମ ଶତାବ୍ଦୀର ଏହି ଉପାସନା ପୀଠରେ ପୂର୍ବରୁ ୪ଟି ଶିବ ମନ୍ଦିର ଥିବାରୁ ଏହି ପୀଠକୁ ଚାରିଶମ୍ଭୁ କୁହାଯାଏ l ପ୍ରାଚୀନ କଳାକୃତିର ନିଦର୍ଶନ ମନ୍ଦିରଦ୍ବୟର ନିର୍ମାଣଶୈଳୀ ଶତ୍ରୁ ଭଞ୍ଜଙ୍କ ଦ୍ୱାରା ନିର୍ମିତ ଯମଜ ମନ୍ଦିର ଶୈବ ଓ ବୈଷ୍ଣବ ଧର୍ମର ଅପୂର୍ବ ସମନ୍ୱୟ l ସିଦ୍ଧେଶ୍ୱର ଓ ନୀଳମାଧବ ନାମରେ ନାମିତ ହରି ଏବଂ ହରଙ୍କ ଯୁଗ୍ମପୀଠର ନିର୍ମାଣଶୈଳୀ ଅତୀବ ଆକର୍ଷଣୀୟ l ଏଠାରେ ଭୌମକରଙ୍କ କରଦ ରୂପେ ଆଦି ଭଞ୍ଜ ବଂଶ ରାଜତ୍ୱ କରୁଥିଲେ l ଖିଞ୍ଜିଳି ମଣ୍ଡଳ ରାଜ୍ୟ ଗଠନ କରି ଗନ୍ଧବପାଟ ନଗରୀରେ ରହୁଥିଲେ l ଗନ୍ଧରାଡ଼ି ଏମାନଙ୍କ ସମୟର ଏକ କଳାକୃତି l ଗନ୍ଧରାଡ଼ିର ହରିହର ଯୁଗ୍ମ ମନ୍ଦିର ପ୍ରାଚୀନ ଶିଳ୍ପ ଭାସ୍କର୍ଯ୍ୟ କଳାର ଏକ ଚୂଡାନ୍ତ ନିଦର୍ଶନ l
ହରିହରଙ୍କ ଯୁଗ୍ମ ମନ୍ଦିର ଏପରି ନିର୍ମିତ ଯେ, ଶୀର୍ଷ ଭାଗରେ ଗବାକ୍ଷ ଭଳି କିଛି ଖୋଲାଥିବା ଜାଗାରେ ସୂର୍ଯ୍ୟାଲୋକ ପଡ଼ି ମନ୍ଦିରର ଆଭ୍ୟନ୍ତରୀଣ ଅଂଶକୁ ଆଲୋକିତ କରିଥାଏ l ଗନ୍ଧରାଡ଼ିର ଯୁଗ୍ମ ମନ୍ଦିରର ମୁକ୍ଷାଂଶ ଜଗମୋହନ ଓ ଦ୍ୱାରବନ୍ଧର କାରୁକାର୍ଯ୍ୟପୂର୍ଣ୍ଣ ନାଗବନ୍ଧ ମୂର୍ତ୍ତିକୁ ତୁଳନା କରି ଏହା ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ l ଏକାଦଶ ଶତାବ୍ଦୀରେ ନିର୍ମିତ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କର ସୂର୍ଯ୍ୟ ମନ୍ଦିରର ବହୁ ପୂର୍ବରୁ ଅଷ୍ଟମ ଶତାବ୍ଦୀରେ ନିର୍ମିତ ଗନ୍ଧରାଡ଼ିର ହରିହରଙ୍କ ଯୁଗ୍ମ ମନ୍ଦିର ଉତ୍କଳ କଳା ଭାସ୍କର୍ଯ୍ୟର ଏକ ଅତୁଳନୀୟ ସମ୍ପଦ l ଏହି ମନ୍ଦିରର ଅଳ୍ପ ଦୂରତାରେ ଅବସ୍ଥିତ ହନୁମାନ ମନ୍ଦିରରେ ପ୍ରାୟ ୬ ଫୁଟ ଉଚ୍ଚତାର ହନୁମାନ ବିଗ୍ରହ ପୂଜା ପାଉଛନ୍ତି l
ଗନ୍ଧରାଡ଼ି ଉପାସନା ପୀଠକୁ ଯିବାକୁ ହେଲେ ସଡ଼କ ପଥରେ ଭୁବନେଶ୍ୱର- ବୌଦ୍ଧ ଭାୟା ନୟାଗଡ଼- ୨୩୦ କି.ମି କିମ୍ବା ଭୁବନେଶ୍ୱର- ବୌଦ୍ଧ ଭାୟା ଅନୁଗୋଳ, ରେଢ଼ାଖୋଲ– ୨୪୦ କି.ମି ଯିବାକୁ ପଡ଼ିଥାଏ l ଯଦି ରେଳ ପଥରେ ଯିବା ପାଇଁ ଚାହୁଁଥାନ୍ତି ତାହେଲେ ନିକଟସ୍ଥ ଷ୍ଟେସନ ହେଉଛି ବୌଦ୍ଧ ରେଳ ଷ୍ଟେସନ l ଖୋର୍ଦ୍ଧା- ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ବୌଦ୍ଧରୁ ବସରେ କିମ୍ବା ଅଟୋରେ ୧୩ କି.ମି ଯିବା ପରେ ଜହ୍ନାପଙ୍କ ପଡ଼ିଥାଏ l ସେଠାରୁ ଉତ୍ତର ଦିଗକୁ ୨ କି.ମି ଅତିକ୍ରମ କରିବା ପରେ ଗନ୍ଧରାଡ଼ିସ୍ଥିତ ପ୍ରସିଦ୍ଧ ହରିହରଙ୍କ ଉପାସନା ପୀଠରେ ପହଞ୍ଚିପାରିବେ l







