Special Story: ସତରେ କଣ ଏ ଦୁନିଆରେ ଭୂତପ୍ରେତ ଅଛନ୍ତି..?

Special Story: ସତରେ କଣ ଏ ଦୁନିଆରେ ଭୂତପ୍ରେତ ଅଛନ୍ତି..?

Special Story: ଆଜିର ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନର ସହାୟତାରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇସାରିଲାଣି। ଟେକ୍ନୋଲୋଜିର ଏହି ଉନ୍ନତ ଯୁଗରେ ମଧ୍ୟ ବେଳେବେଳେ ଅତୃପ୍ତ ଆତ୍ମା ଓ ଭୂତପ୍ରେତଙ୍କର ରହସ୍ୟମୟ କାହାଣୀ ଶୁଣିବାକୁ ମିଳେ। ସମାଜର ଶିକ୍ଷିତ ତଥା ସଭ୍ୟ ମଣିଷ ଏହି କପୋଳକଳ୍ପିତ ଚରିତ୍ରମାନଙ୍କର ଅବସ୍ଥିତି ଉପରେ ବିଶ୍ୱାସ କରିବାକୁ ପ୍ରାୟତଃ ନାରାଜ। ତଥାପି, ଏହି ବିଶ୍ୱାସ ଓ ଅବିଶ୍ୱାସର ଦ୍ୱନ୍ଦ୍ୱ ମଧ୍ୟରେ ଆମ ମନରେ ବେଳେବେଳେ ଏକ ପ୍ରଶ୍ନ ଉଙ୍କିମାରେ: ସତରେ କ’ଣ ଏ ଦୁନିଆରେ ଭୂତପ୍ରେତ ଅଛନ୍ତି?

ଯଦି ଆମେ ଏହି କଥାକୁ ସତ ବୋଲି ମାନିନେବା, ତେବେ ସାଧାରଣତଃ ଆମେ ଅନୁମାନ କରୁ ଯେ ସେମାନେ ନିଶ୍ଚୟ କୌଣସି ମାନଚିତ୍ରରେ ଅବସ୍ଥାପିତ ନ ହୋଇଥିବା ଗଭୀର, ଭୟଙ୍କର ଜଙ୍ଗଲୀ ସ୍ଥାନ କିମ୍ବା ପରିତ୍ୟକ୍ତ ଘରେ ରହୁଥିବେ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଏଭଳି ଏକ ଅସ୍ୱାଭାବିକ ଘଟଣା ନିକଟରେ ଖୋଦ୍ ଭାରତର ରାଜଧାନୀ ନୂଆ ଦିଲ୍ଲୀର ଏକ ସାଧାରଣ ପାର୍କରେ ଘଟିଛି, ତେବେ ହୁଏତ ଆପଣଙ୍କୁ ବିଶ୍ୱାସ କରିବା କଷ୍ଟକର ହୋଇପାରେ। କିନ୍ତୁ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ନିକଟରେ ସୋସିଆଲ୍ ମେଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖାଯାଉଛି ଯେ ସାଧାରଣତଃ ପିଲାମାନେ ଖେଳୁଥିବା ପାର୍କର ଏକ ଦୋଳି ଆପଣାଛାଏଁ, ଅର୍ଥାତ୍ କାହାରି ସ୍ପର୍ଶ ବିନା, ହଲିବାକୁ ଆରମ୍ଭ କରୁଛି। କିଛି ସମୟ ପର୍ଯ୍ୟନ୍ତ ଏହା ଅସ୍ୱାଭାବିକ ଭାବେ ଦୋଳିତ ହେଉଛି ଏବଂ ପୁଣି ସ୍ଥିର ହୋଇଯାଉଛି, ପୁନଶ୍ଚ ହଲିବାକୁ ଆରମ୍ଭ କରୁଛି। ଆଶ୍ଚର୍ଯ୍ୟର କଥା ହେଉଛି, ଭିଡିଓରେ କିଛି ଲୋକଙ୍କର “ଭୂତ, ଭୂତ” ବୋଲି ଚିତ୍କାର ଶୁଣିବାକୁ ମିଳୁଛି, ଯାହା ପରିସ୍ଥିତିକୁ ଅଧିକ ରହସ୍ୟମୟ କରି ଦେଉଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଯେଉଁ ସମୟରେ ଗୋଟିଏ ଦୋଳି ଖୁବ୍ ଜୋରରେ ହଲୁଛି, ଠିକ୍ ତା’ର ପାଖରେ ଥିବା ଅନ୍ୟ ଦୋଳିଟି ସମ୍ପୂର୍ଣ୍ଣ ରୂପେ ସ୍ଥିର ରହିଛି। ଏଥିରୁ ସ୍ପଷ୍ଟ ଯେ ସେହି ସମୟରେ ପାର୍କରେ କୌଣସି ପବନ ବହୁ ନାହିଁ କିମ୍ବା ଏହା କୌଣସି ମନୁଷ୍ୟକୃତ କାର୍ଯ୍ୟ ନୁହେଁ। ଯଦି ପବନର ପ୍ରଭାବ ଥାଆନ୍ତା, ତେବେ ନିଶ୍ଚିତ ଭାବରେ ପାଖାପାଖି ଥିବା ଅନ୍ୟ ଦୋଳିଟି ମଧ୍ୟ କିଛି ପରିମାଣରେ ହଲିଥାନ୍ତା। ତେଣୁ, ଏହି ଘଟଣାରୁ ଅନେକେ ଅନୁମାନ କରୁଛନ୍ତି ଯେ ଏ ଦୁନିଆରେ ନିଶ୍ଚିତ ଭାବରେ କୌଣସି ଅଦୃଶ୍ୟ ଶକ୍ତି ରହିଛି ଯାହା ଆମ ଆଖପାଖରେ ଘୁରି ବୁଲୁଛି। ଅବଶ୍ୟ, ଆମେ ସବୁବେଳେ ଏହାକୁ ଅନୁଭବ କରିପାରୁନାହୁଁ।

ଆମେ ଆପଣଙ୍କୁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ଏହି କାହାଣୀ ମାଧ୍ୟମରେ ଆମେ କୌଣସି ପ୍ରକାରର ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁନାହୁଁ। ଏହା କେବଳ ଭାଇରାଲ୍ ହୋଇଥିବା ଏକ ଘଟଣା ଉପରେ ଆଧାରିତ ଏକ ମନୋରଞ୍ଜନଧର୍ମୀ ତଥ୍ୟ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories