ଆଜିଠୁ ଆରମ୍ଭ ବିଧାନସଭା ଶୀତକାଳୀନ ଅଧିବେଶନ, କମ୍ପିବ ଗୃହ

ଆଜିଠୁ ଆରମ୍ଭ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ରାଜ୍ୟ ରାଜନୀତି ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ (ନଭେମ୍ବର ୨୭) ଓଡ଼ିଶା ବିଧାନ ସଭା ର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରାଜ୍ୟର ବର୍ତ୍ତମାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ତର୍କବିତର୍କ ହେବାର ସମ୍ଭାବନା ରହିଛି। ଗୃହରେ ସରକାରଙ୍କୁ ଘେରିବା ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ଚୂଡାନ୍ତ କରିଛନ୍ତି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ – ବିଜେଡି, ବିଜେପି, ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକରେ ଗୃହକୁ ସୁରୁଖୁରୁରେ ଚଳାଇବା ସହିତ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।

ବିରୋଧୀଙ୍କ ପ୍ରମୁଖ ଅସ୍ତ୍ର:

ବିରୋଧୀ ଦଳ କଂଗ୍ରେସ ଏଥର ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ନୂଆପଡା ଉପନିର୍ବାଚନରେ ‘ଭୋଟ୍ ଚୋରି’ ଅଭିଯୋଗ, ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା, ବିଭିନ୍ନ ନିଯୁକ୍ତିରେ ଦୁର୍ନୀତି, ଦାଦନ ଶ୍ରମିକଙ୍କ ସମସ୍ୟା ଏବଂ ଚାଷୀମାନଙ୍କୁ କ୍ଷତିଗ୍ରସ୍ତ କରୁଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଠାଇବ।

ସେହିପରି ବିଜେଡି ପକ୍ଷରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରମୁଖ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ଯୋଜନା କରାଯାଇଛି। ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା ଏବଂ ବହୁ ଚର୍ଚ୍ଚିତ ନିଯୁକ୍ତି ସ୍କାମ ଆଦି ପ୍ରସଙ୍ଗ ଉପରେ ବିଜେଡି ଗୃହରେ ଆଲୋଚନା ପାଇଁ ଦାବି କରିବ।

ବିରୋଧୀଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶାସକ ଦଳ ବିଗତ ୧୬ ମାସର ସରକାରଙ୍କ ସଫଳତା ଓ ଲୋକପ୍ରିୟତା ବିଷୟରେ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରିବା ସହ ବିରୋଧୀଙ୍କ ସମସ୍ତ ପ୍ରଶ୍ନ ଓ ଅଭିଯୋଗର ଯଥାଯୋଗ୍ୟ ଜବାବ ଦେବାକୁ ପ୍ରସ୍ତୁତ ରହିଛି।

ଅଧିବେଶନର ମୁଖ୍ୟ କାର୍ଯ୍ୟସୂଚୀ:

ଏହି ଅଧିବେଶନ ଅବସରରେ ନଭେମ୍ବର ୨୮ ତାରିଖରେ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ। ଏହାପରେ ଡିସେମ୍ବର ୮ ତାରିଖରେ ଏହି ଅତିରିକ୍ତ ବଜେଟ୍ ସମ୍ବନ୍ଧୀୟ ବ୍ୟୟମଞ୍ଜୁରୀ ବିଲ୍ ବିଧାନସଭାରେ ଉପସ୍ଥାପନ କରାଯିବ। ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦେଖିଲେ, ଏହି ଶୀତକାଳୀନ ଅଧିବେଶନ ଅତ୍ୟନ୍ତ ଝଡ଼ଝଞ୍ଜାପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories