ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ମୁକ୍ତିଲାଭ ପୂର୍ବରୁ ଆଇନଗତ ଜାଲରେ

ଆଦିତ୍ୟ ଧରଙ୍କ ଫିଲ୍ମ 'ଧୁରନ୍ଧର' ମୁକ୍ତିଲାଭ ପୂର୍ବରୁ ଆଇନଗତ ଜାଲରେ

ଲେଖକ ଓ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ମୁକ୍ତିଲାଭ ପୂର୍ବରୁ ହିଁ ଆଇନଗତ ସମସ୍ୟାରେ ଛନ୍ଦି ହୋଇଛି। ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ଶହୀଦ ମେଜର ମୋହିତ ଶର୍ମାଙ୍କ ପିତାମାତା ଫିଲ୍ମର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଫିଲ୍ମଟି ଡିସେମ୍ବର ୫ ତାରିଖରେ ରିଲିଜ ହେବାର ଅଛି।

ଭାରତୀୟ ସେନାର ଶହୀଦ ମେଜର ମୋହିତ ଶର୍ମାଙ୍କ ପିତାମାତା ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରି କହିଛନ୍ତି ଯେ ଫିଲ୍ମ ‘ଧୁରନ୍ଧର’ ଉପରେ ତୁରନ୍ତ ରୋକ ଲଗାଯାଉ। ସେମାନଙ୍କ କହିବା କଥା ଯେ ଏହି ଫିଲ୍ମଟି ସେମାନଙ୍କ ପୁଅର ଜୀବନୀ ଉପରେ ଆଧାରିତ ବୋଲି ଲାଗୁଛି। ଫିଲ୍ମ ନିର୍ମାଣ କରିବା ପୂର୍ବରୁ ପ୍ରଯୋଜକମାନେ ପରିବାରଠାରୁ କୌଣସି ଅନୁମତି ନେଇ ନାହାନ୍ତି।
ଆବେଦନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (I&B), ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (CBFC), ଭାରତୀୟ ସେନା ଏବଂ ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ‘ଧୁରନ୍ଧର’ର କାହାଣୀ ମେଜର ମୋହିତଙ୍କ ଜୀବନରୁ ପ୍ରଭାବିତ ବୋଲି କୁହାଯାଉଥିଲା। ତେବେ ନିର୍ଦ୍ଦେଶକ ଆଦିତ୍ୟ ଧର ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଫିଲ୍ମଟି ମୋହିତ ଶର୍ମାଙ୍କ ଜୀବନ ଉପରେ ଆଧାରିତ ନୁହେଁ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ଲେଖିଥିଲେ, “ଆମର ଫିଲ୍ମ ଧୁରନ୍ଧର ବାହାଦୁର ମେଜର ମୋହିତ ଶର୍ମାଙ୍କ ଜୀବନ ଉପରେ ଆଧାରିତ ନୁହେଁ। ଏହା ଏକ ଆଧିକାରିକ ସ୍ପଷ୍ଟୀକରଣ। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଯଦି ଆମେ ଭବିଷ୍ୟତରେ ମୋହିତ ସାରଙ୍କ ଉପରେ ବାୟୋପିକ ତିଆରି କରୁ, ତେବେ ଏହାକୁ ସମ୍ପୂର୍ଣ୍ଣ ସହମତି ଏବଂ ପରିବାର ସହିତ ପରାମର୍ଶ କରି, ଦେଶ ପାଇଁ ତାଙ୍କର ବଳିଦାନ ଏବଂ ଆମ ସମସ୍ତଙ୍କ ପାଇଁ ଛାଡିଯାଇଥିବା ତାଙ୍କ ଐତିହ୍ୟକୁ ପ୍ରକୃତ ସମ୍ମାନ ଦେବା ଭଳି କରିବୁ।

‘ଧୁରନ୍ଧର’ର ଟ୍ରେଲର ରିଲିଜ ପରେ ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ନେଇ ଆଲୋଚନା ହୋଇଛି, କିନ୍ତୁ ଅଭିନେତା ରଣବୀର ସିଂ ଙ୍କ ଚରିତ୍ର ବିଷୟରେ ମେକର୍ସମାନେ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି। ରଣବୀର ସିଂହଙ୍କ ଭୂମିକା କେଉଁ ବ୍ୟକ୍ତିବିଶେଷଙ୍କ ଠାରୁ ପ୍ରେରିତ, ସେହି ବିଷୟରେ ସସ୍ପେନ୍ସ ବଜାୟ ରହିଛି। ଫିଲ୍ମରେ ଆର୍. ମାଧବନଙ୍କ ଚରିତ୍ର ଅଜିତ ଡୋଭାଲ, ଅର୍ଜୁନ ରାମପାଲଙ୍କ ଚରିତ୍ର ପାକିସ୍ତାନର ଇଲିୟାସ କାଶ୍ମୀରୀ ଏବଂ ସଞ୍ଜୟ ଦତ୍ତଙ୍କ ଚରିତ୍ର ପାକିସ୍ତାନୀ ଏସପି ଚୌଧୁରୀ ଅସଲମଙ୍କ ଠାରୁ ପ୍ରେରିତ ବୋଲି କୁହାଯାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରଣବୀର ସିଂହଙ୍କ ଚେହେରା ଶହୀଦ ମେଜର ମୋହିତଙ୍କ ସହିତ ମେଳ ଖାଉଛି। ମେଜର ମୋହିତ ନିଜ ନାମ ଓ ପରିଚୟ ବଦଳାଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗୋଷ୍ଠୀରେ ବର୍ଷ ବର୍ଷ ଧରି ଜଣେ ଆତଙ୍କବାଦୀ ଭାବରେ ରହିଥିଲେ। ଜମ୍ମୁ-କାଶ୍ମୀରର କୁପୱାଡାଠାରେ ଆତଙ୍କବାଦୀ ବିରୋଧୀ ଅଭିଯାନ ସମୟରେ ସେ ଶହୀଦ ହୋଇଥିଲେ। ତାଙ୍କର ଅଦମ୍ୟ ସାହସ ପାଇଁ ତାଙ୍କୁ ଅଶୋକ ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories