ଜୀ-ସାର୍ଥକର ‘ବୋହୂ ୪୨୦’ର ଅଡିଓ ରିଲିଜ୍; ଏଇ ରବିବାର ୱାର୍ଲଡ଼ ଟିଭି ପ୍ରିମିୟର

ଜୀ-ସାର୍ଥକର 'ବୋହୂ ୪୨୦'ର ଅଡିଓ ରିଲିଜ୍; ଏଇ ରବିବାର ୱାର୍ଲଡ଼ ଟିଭି ପ୍ରିମିୟର

HT ଓଡିଶା ବ୍ଯୁରୋ: ଜୀ ସାର୍ଥକର ଫିଲ୍ମ ‘ବୋହୂ ୪୨୦’ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ ୱାର୍ଲଡ ଟିଭି ପ୍ରିମିୟର ହେବାକୁ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଅଡିଓ ରିଲିଜ୍ ହୋଇଛି । ଏହି ଅଡିଓ ରିଲିଜ୍ ଅବସରରେ, ଜୀ ସାର୍ଥକ ନନ୍ ଫିକ୍ସନ ମୁଖ୍ୟ ସାଇ କିରଣ ମଙ୍ଗରାଜ, ମାର୍କେଟିଂ ମୁଖ୍ୟ ବିଶ୍ୱରଂଜନ ବରାଳ, ନିର୍ଦ୍ଦେଶକ ରାଶେଷ ମହାନ୍ତି, କାହାଣୀକାର ତଥା ସଂଳାପ ଲେଖକ ପ୍ରିୟବ୍ରତ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ନାୟକ, କଣ୍ଠଶିଳ୍ପୀ ଚିରାଗଦୀପ, ଅଭିଜିତ୍, ଗୀତିଶ୍ରୀ, ପ୍ରିୟମ୍ବଦା ଓ ଅରୁତୋଷଙ୍କ ସମେତ ଅଭିନେତା ଜ୍ୟୋତି, ନିକିତା, ଵିଶାଲ ପ୍ରମୁଖ ଯୋଗଦେଇଥିଲେ l ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ, ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ ଦ୍ୱାରା ନିର୍ମିତ ଏବଂ ରାଶେସ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ସସପେନ୍ସ, ଥ୍ରୀଲର ସହ ସାମାଜିକ ପ୍ରାସଙ୍ଗିକତାର ଏକ ଆକର୍ଷଣୀୟ ମିଶ୍ରଣ ରହିଛି ।

‘ବୋହୂ ୪୨୦’ ହେଉଛି କସ୍ତୁରୀ ନାମକ ଏକ ଝିଅର ରୋମାଞ୍ଚକର ଜୀବନ ଯାତ୍ରା ଉପରେ ଆଧାରିତ । ଜଣେ ବଧୂ ଯିଏ ବାରମ୍ବାର ମିଛ ବିବାହ କରି ନିଜ ଶ୍ୱଶୁରଘର ଲୋକଙ୍କୁ ଚକମା ଦେଇ ଘର ଲୁଟିବା ପରେ କେଉଁ ଆଡ଼େ ଅଦୃଶ୍ୟ ହୋଇଯାଏ । ଏପରି ସମାନ ମାମଲା ବାରମ୍ବାର ସାମ୍ନାକୁ ଆସିବା ପରେ, ଇନ୍ସପେକ୍ଟର ପୁଟିବାବୁ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀ ରେଖା ସୁବୁଦ୍ଧି ଅପରାଧ ପଛରେ ଏକମାତ୍ର ମାଷ୍ଟରମାଇଣ୍ଡଙ୍କୁ ସନ୍ଦେହ କରନ୍ତି । କାହାଣୀରେ ଆସେ ବାରମ୍ବାର ନୂଆ ନୂଆ ପରିବର୍ତନ ତେବେ କସ୍ତୁରୀ କଣ ଧରା ପଡେ? ତେବେ କାହିଁକି ଏପରି ରାସ୍ତା ବାଛିଚି କସ୍ତୁରୀ, ଏମିତି କେଉଁ କାରଣ ତାକୁ ବାଧ୍ୟ କରୁଛି ଏପରି କରିବାକୁ, ଯାହା ଜଣାପଡେ ଫିଲ୍ମର ଶେଷରେ ।

ଫିଲ୍ମରେ ନିକିତା ମିଶ୍ର ଏବଂ ଜ୍ୟୋତି ପ୍ରକାଶ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୁଷ୍ପା ପରିଡା, ସତ୍ୟ ରଂଜନ ବଳ ଏବଂ ଉମାକାନ୍ତ ନାୟକଙ୍କ ଲିଖିତ ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ଶାନ୍ତନୁ ନାୟକ ଓ କଣ୍ଠଦାନ କରିଛନ୍ତି ଚିରାଗଦୀପ, ଅଭିଜିତ୍, ଗୀତିଶ୍ରୀ, ପ୍ରିୟମ୍ବଦା ଓ ଅରୁତୋଷ । କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା ।

ପୂର୍ବରୁ ଜୀ ସାର୍ଥକର ବୋହୂ ସିରିଜର ପ୍ରତ୍ୟେକଟି ଫିଲ୍ମକୁ ମିଳିଛି ଦର୍ଶକଙ୍କ ଆଦୃତି, ଯେପରିକି, ବୋହୂ ଆମର ମାଟ୍ରିକ ଫେଲ, ସୁନାନାକୀ ବୋହୂ, ବୋହୂକୁ ଲାଗିଛି ରିଲ୍ସ ଭୂତ ଇତ୍ୟାଦି । ତେଣୁ ଆମର ଦୃଢ ଆଶା ଯେ ‘ବୋହୂ ୪୨୦’ ମଧ୍ୟ ଆପଣଙ୍କୁ ଓ ଆପଣଙ୍କ ପୂରା ପରିବାରକୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ କହିଛନ୍ତି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories