ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ପୂର୍ବ ଦୁଇ ଦିନ ଭଳି ତୃତୀୟ ଦିନରେ ମଧ୍ୟ ଗୃହ ସ୍ୱାଭାବିକ ଭାବେ ଚାଲିବ ନା ପୁଣିଥରେ ହଟ୍ଟଗୋଳରେ କମ୍ପିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ଧାନମଣ୍ଡି ଓ ନାରୀ ନିର୍ଯାତନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଥିବାବେଳେ ଆଜି ମୁଖ୍ୟତଃ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି।
ଆଜି ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଏବଂ ଆଇନ୍ ବିଭାଗର ପ୍ରଶ୍ନକାଳ କାର୍ଯ୍ୟକ୍ରମ ରହିଛି। ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଯିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ, ରାସନ କାର୍ଡ ବଣ୍ଟନରେ ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି, ଯାହା ଗୃହରେ ପୁଣି ଥରେ ତେଜ ଦେଖାଇବ। ସାମଗ୍ରିକ ଭାବେ ଦେଖିଲେ, ତୃତୀୟ ଦିନରେ ମଧ୍ୟ ଗୃହ କାର୍ଯ୍ୟ ସରଗରମ ରହିବା ନିଶ୍ଚିତ ବୋଲି ଆଶା କରାଯାଉଛି।
ଅତିରିକ୍ତ ବଜେଟ୍ ଉପସ୍ଥାପନ ଓ ପ୍ରତିକ୍ରିୟା
ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ଅର୍ଥାତ୍ ଶୁକ୍ରବାର ଦିନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହରେ ଆଗତ କରିଛନ୍ତି। ଏହି ଅତିରିକ୍ତ ବଜେଟ୍ ମାଧ୍ୟମରେ ସରକାର ‘ସମୃଦ୍ଧ ଓଡ଼ିଶା’ର ନକ୍ସା ଆଙ୍କିଥିବା କୁହାଯାଉଛି। ଏହି ବଜେଟରେ ମୁଖ୍ୟତଃ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି।
ବ୍ୟୟବରାଦ ଅନୁଯାୟୀ, କୃଷି ଓ ଜଳସେଚନ କ୍ଷେତ୍ର ପାଇଁ ୧,୬୭୩ କୋଟି ଟଙ୍କା, ଖାଦ୍ୟ ସୁରକ୍ଷା ପାଇଁ ୪,୩୨୯ କୋଟି ଟଙ୍କା ରଖାଯାଇଛି। ସେହିପରି, ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨,୩୨୭ କୋଟି ଟଙ୍କା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସଞ୍ଜୀବନୀ ଦେବା ପାଇଁ ଅତିରିକ୍ତ ୧,୧୬୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ କ୍ଷେତ୍ରକୁ ଗୁରୁତ୍ୱ ଦେଇ ମଧ୍ୟ ୧,୫୫୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିଛନ୍ତି।
ତେବେ, ଏହି ଅତିରିକ୍ତ ବଜେଟ୍କୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ବିଜେଡି ଏହି ବଜେଟ୍କୁ ‘ନୈରାଶ୍ୟଜନକ’ ବୋଲି କହିବା ସହ ରାଜ୍ୟ ସରକାର ୧ ଲକ୍ଷ ୩୪ ହଜାର ୯୧୪ କୋଟି ଟଙ୍କାର ଋଣ କରି ଏହି ଅତିରିକ୍ତ ବଜେଟ୍ ଆଣିଥିବା ଅଭିଯୋଗ କରିଛି। ସେହିପରି କଂଗ୍ରେସ ଦଳ କହିଛି ଯେ, ବଜେଟ୍ରେ କିଛି ନୂଆ ଯୋଜନା ନାହିଁ ଏବଂ ଏହା କେବଳ ପାରମ୍ପରିକ ଭାବେ ଅଣାଯାଇଥିବା ଏକ ବଜେଟ୍ ମାତ୍ର। ଅପରପକ୍ଷରେ, ଶାସକ ବିଜେପି ପକ୍ଷରୁ କୁହାଯାଇଛି ଯେ ପୂର୍ବ ସରକାର ସମୟରେ ଯୋଜନା ପାଇଁ ବଜେଟ୍ ନଥିଲା। ସରକାର ବଜେଟ୍ ଘୋଷଣା କରୁଥିଲେ ମଧ୍ୟ, ନିର୍ଦ୍ଧାରିତ ଅବଧି ମଧ୍ୟରେ ଟଙ୍କାକୁ ଠିକ୍ ଭାବେ ଖର୍ଚ୍ଚ କରିବା ବର୍ତ୍ତମାନ ଏକ ବଡ଼ ଆହ୍ୱାନ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।








