ଶିକ୍ଷକ ବଦଳି ପାଇଁ ଖୋଲିଲା ଅନଲାଇନ୍ ପୋର୍ଟାଲ

ଶିକ୍ଷକ ବଦଳି ପାଇଁ ଖୋଲିଲା ଅନଲାଇନ୍ ପୋର୍ଟାଲ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଗମ କରିବା ଲକ୍ଷ୍ୟରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏନେଇ ନିର୍ଦ୍ଦେଶାଳୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରି ସୂଚନା ଦେଇଛି । ଜିଲ୍ଲା ଭିତରେ ବଦଳି ଚାହୁଁଥିବା ପ୍ରାଥମିକ ଶିକ୍ଷକମାନେ ନଭେମ୍ବର ୨୮ରୁ ଡିସେମ୍ବର ୨୫, ୨୦୨୫ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସମସ୍ତ ବଦଳି ପ୍ରକ୍ରିୟା ଡିସେମ୍ବର ୨୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ ଶିକ୍ଷକମାନଙ୍କ ପାଇଁ ବଦଳି ପ୍ରକ୍ରିୟାକୁ ଅଧିକ ସହଜ କରିବ ବୋଲି ଆଶା କରାଯାଉଛି।

ବଦଳି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ହାଇକୋର୍ଟ ଶିକ୍ଷକ ବଦଳିରେ ବିଧାୟକ ଓ ସାଂସଦମାନଙ୍କୁ ଦିଆଯାଇଥିବା ‘ସୁପାରିସ୍ କ୍ଷମତା’କୁ ବାତିଲ୍ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଅଯୋଗ୍ୟ ଅଟେ ଏବଂ ଏହା ଶିକ୍ଷାର ମାନକୁ ପ୍ରଭାବିତ କରିପାରେ। ଏହି ଐତିହାସିକ ରାୟ ପରେ, ଏବେ ଆଉ କୌଣସି ରାଜନୈତିକ ସୁପାରିସ୍ ଆଧାରରେ ଶିକ୍ଷକଙ୍କ ବଦଳି ହେବ ନାହିଁ।

ହାଇକୋର୍ଟଙ୍କ ଏହି ରାୟକୁ ବିରୋଧୀ ଦଳମାନେ ସ୍ୱାଗତ କରିଛନ୍ତି। ସେମାନେ କହିଛନ୍ତି ଯେ ଏହାଦ୍ୱାରା ଶିକ୍ଷକ ବଦଳିରେ ହେଉଥିବା ଅନିୟମିତତା ବନ୍ଦ ହେବ । ଅନ୍ୟପକ୍ଷରେ, ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବଦଳି ପ୍ରକ୍ରିୟା ଆହୁରି ଅଧିକ ସ୍ୱଚ୍ଛ ହୋଇପାରିବ।

ଏହି ବଦଳି ପ୍ରକ୍ରିୟାରେ ହାଇକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ ଯେଉଁ ଶିକ୍ଷକମାନେ ବଦଳି ହୋଇ ନୂତନ ସ୍ଥାନରେ ଯୋଗ ଦେଇଛନ୍ତି, ସେମାନେ ଚାଲୁ ଶିକ୍ଷାବର୍ଷ ଶେଷ ପର୍ଯ୍ୟନ୍ତ ସେହି ସ୍ଥାନରେ କାର୍ଯ୍ୟ କରିବେ। ଏହା ପରେ, ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ହେବାର ୭ ଦିନ ଭିତରେ ସେମାନେ ପୂର୍ବତନ ନିଯୁକ୍ତି ସ୍ଥାନକୁ ଫେରିବାକୁ ପଡ଼ିବ। ଏହି ନିୟମ ଶିକ୍ଷାବର୍ଷ ମଝିରେ ବଦଳି ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଉଦ୍ଦିଷ୍ଟ ।

ଏହି ଅନଲାଇନ୍ ବଦଳି ବ୍ୟବସ୍ଥା ଏବଂ ହାଇକୋର୍ଟଙ୍କ ରାୟ ଉଭୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories