ଶୁଭଙ୍କର ମିଶ୍ରଙ୍କ ବିରୋଧରେ FIR, ଜେଲ୍ ଯିବେ କି ଇନଫ୍ଲୁଏନ୍ସର?

ଶୁଭଙ୍କର ମିଶ୍ରଙ୍କ ବିରୋଧରେ FIR, ଜେଲ୍ ଯିବେ କି ଇନଫ୍ଲୁଏନ୍ସର?

ପୁରୀ: ପ୍ରସିଦ୍ଧ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିରୋଧରେ ଆଜି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି। ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଏହି ମାମଲା ରୁଜୁ କରିଛନ୍ତି। ଶୁଭଙ୍କର ତାଙ୍କ ସୋସିଆଲ ମିଡିଆ ଚ୍ୟାନେଲ ‘Social Talk’ ମାଧ୍ୟମରେ ଶ୍ରୀମନ୍ଦିର ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଭୁଲ୍ ତଥ୍ୟ ପ୍ରସାର କରି ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ଶୁଭଙ୍କର ମିଶ୍ରା ଦାବି କରିଥିଲେ ଯେ, ବିବାହ ପୂର୍ବରୁ ପ୍ରେମ ସମ୍ପର୍କରେ ଥିବା ଯୁଗଳ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଗଲେ, ସେମାନଙ୍କ ବିବାହ ହୋଇପାରିବ ନାହିଁ। ଏହାର କାରଣ ଦର୍ଶାଇ ସେ କହିଥିଲେ ଯେ, ଶ୍ରୀମନ୍ଦିର ଉପରେ ‘ରାଧାରାଣୀଙ୍କ ଅଭିଶାପ’ ପଡ଼ିଛି। ଏହି ବିବାଦୀୟ ମନ୍ତବ୍ୟ ସମଗ୍ର ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ସିଂହଦ୍ୱାର ଥାନାରେ ଏତଲା ଦାୟର କରି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, “ଶୁଭଙ୍କର ମିଶ୍ର ଶ୍ରୀମନ୍ଦିର ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଛନ୍ତି। ରାଧାରାଣୀଙ୍କ ଅଭିଶାପ କଥା ସେ କେଉଁଠୁ ଜାଣିଲେ? ଥରେ ମା’ ରାଧାରାଣୀ ଜଗନ୍ନାଥଙ୍କ ରୂପରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ଆସିଥିବା ବେଳେ, ସେବାୟତମାନେ ତାଙ୍କୁ ଅଟକାଇ ଦେଇଥିଲେ ଏବଂ କହିଥିଲେ ଯେ ଭଗବାନଙ୍କ ଧର୍ମପତ୍ନୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ରାଧାରାଣୀ ମନ୍ଦିରକୁ ଅଭିଶାପ ଦେଇଥିଲେ ବୋଲି ଶୁଭଙ୍କର କହିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ସିଂହଦ୍ୱାର ଥାନାରେ FIR ଦାୟର କରିଛି।

ପୁରୀ ଏସ୍ପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଶୁଭଙ୍କର ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି ଯେ, ସେ ‘Social Talk’ ଚ୍ୟାନେଲରେ ଶ୍ରୀମନ୍ଦିର ବିଷୟରେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି। FIR ଗ୍ରହଣ କରାଯାଇଛି ଏବଂ ମାମଲା ରୁଜୁ ହେବ। ଆମେ ତାଙ୍କର ସମସ୍ତ ଅଡିଓ, ଭିଡିଓ ସଂଗ୍ରହ କରିବୁ, ଆଇନଗତ ପରାମର୍ଶ ନିଆଯିବ ଏବଂ ଶ୍ରୀ ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନ (SJTA)ଙ୍କ ମତାମତ ମଧ୍ୟ ନିଆଯାଇ ତଦନ୍ତ କରାଯିବ।

ବରିଷ୍ଠ ସେବାୟତ ଗୌରହରି ପ୍ରଧାନଙ୍କ ଏତଲା କ୍ରମେ ଶୁଭଙ୍କର ମିଶ୍ରଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି।

ଗତକାଲି (ଶନିବାର) ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ ଯେ, ଏହି ମାମଲାର ସଠିକ୍ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଗନ୍ନାଥ ସଂସ୍କୃତିକୁ ଅବମାନନା କରୁଥିବା ତଥା ଭୁଲ୍ ତଥ୍ୟ ଦେଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଚାର ପ୍ରସାର ସବ୍‌କମିଟିରେ ଯୋଜନା କରାଯାଉଛି ବୋଲି ସେ ସଙ୍କେତ ଦେଇଛନ୍ତି।

ପୁରୀ ଏସ୍ପିଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଶୁଭଙ୍କରଙ୍କ ବିବାଦୀୟ ବୟାନର ସମସ୍ତ ପ୍ରମାଣ (ଅଡିଓ-ଭିଡିଓ) ସଂଗ୍ରହ କରାଯିବା ସହ SJTA ଏବଂ ଆଇନ ବିଶେଷଜ୍ଞଙ୍କ ମତାମତ ନିଆଯିବ।

ସେବାୟତ ଗୌରହରି ପ୍ରଧାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଶ୍ରୀମନ୍ଦିର ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନ ପ୍ରଣୟନ କରିବାକୁ ପଡ଼ିବ, ଯାହାଫଳରେ ଭବିଷ୍ୟତରେ କେହି ଏପରି କରିବାକୁ ସାହସ କରିବେ ନାହିଁ।

ଶୁଭଙ୍କର ମିଶ୍ରଙ୍କ ଏହି ମନ୍ତବ୍ୟ ଯୋଗୁଁ ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ତେଣୁ ଆଗାମୀ ଦିନରେ ଏହି ମାମଲାରେ ଆହୁରି ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିପାରେ।

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories