ଭୁବନେଶ୍ବର: ସମାଜ ପାଇଁ ଯେମିତି ମାନବର ଉପସ୍ଥିତି ଜରୁରୀ, ଠିକ୍ ସେମିତି ପରିବେଶ ପାଇଁ ପ୍ରାଣୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ଟିକେ ଭାବିଲେ ଦେଖି, ଯଦି ଜଙ୍ଗଲ ଓ ବନ୍ୟପ୍ରାଣୀ ନଥାନ୍ତେ, ତେବେ ଆମ ପରିବେଶର ସନ୍ତୁଳନ କିଏ ରକ୍ଷା କରିଥାନ୍ତା । ଏଥିପାଇଁ ନିଜର ସୁରକ୍ଷା ଓ ପରିବେଶର ଯତ୍ନ ପାଇଁ ମଣିଷକୁ ବନ୍ୟପ୍ରାଣୀ, ପଶୁ-ପକ୍ଷୀ ଏବଂ ଇତର ଜୀବ ପ୍ରତି ଦୟା, ସମ୍ବେଦନଶୀଳ ଓ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ମାତ୍ର ସାମୂହୀକ ସ୍ୱାର୍ଥ ପାଇଁ ମଣିଷ ବନ୍ୟପ୍ରାଣୀ ଓ ଜଙ୍ଗଲ କ୍ଷୟ କରି ଚାଲିଛି । ଏହାର ରକ୍ଷଣାବେକ୍ଷଣାକୁ ନେଇ ପ୍ରକାଶ ପାଇଛି ଉଦବେଗ୍ । ଚିନ୍ତନର ଏହି ବିଷୟ ରାଜ୍ୟ ବିଧାନସଭାରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରଶ୍ନର ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଉଦବେଗଜନକ ।
ବିଧାନସଭା ରେ ଚାଲିଥିବା ଶୀତ ଅଧିବେଶନରେ ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କୁ ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ବନ୍ୟ ପ୍ରାଣୀଙ୍କ ଗଣନା ହୋଇଛି କି ପ୍ରଶ୍ନ କରିଥିଲେ । ଏଥିସହ ବିଧାୟକ ପ୍ରଶ୍ନରେ ଆହୁରି ଉଲ୍ଲେଖ କରିଥିଲେ ଯେ, ଯଦି ବନ୍ୟପ୍ରାଣୀଙ୍କ ଗଣନା ହୋଇଛି, ତେବେ ଏବେ ସେମାନଙ୍କ ସଂଖ୍ୟା କେତେ । ଗତ ୧୦ ବର୍ଷ ମଧ୍ୟରେ ପଶୁ ଓ ମଣିଷଙ୍କ ମଧ୍ୟରେ ଲଢେଇ କାରଣରୁ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସରକାର ଏଥିପାଇଁ କେତେ ଟଙ୍କା କ୍ଷତିପୂରଣ ଭରିଛନ୍ତି, ବନ୍ୟପ୍ରାଣୀଙ୍କ ମୃତ୍ୟୁର କାରଣ କଣ, ଏଥିପାଇଁ କେତେ ମାମଲା ଦାୟର ହୋଇଛି ଏବଂ ସରକାର ଏହାକୁ ରୋକିବାକୁ କି ପଦକ୍ଷେପ ନେଇଛନ୍ତି ବୋଲି ଜବାବ ମାଗିଥିଲେ ।
ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ- ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ବନ୍ୟପ୍ରାଣୀଙ୍କ ଗଣନା କରାଯାଇଛି । ଏହି ସମୟ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ମଧ୍ୟରେ ଲଢେଇ ହୋଇ ୧,୩୯୮ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୫,୬୦୯ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ ସରକାର ୬୧୭୪ ଲକ୍ଷ ୬୮ ହଜାର ଟଙ୍କା କ୍ଷତିପୂରଣ ଭରିଛନ୍ତି ।
ବିଭାଗୀୟ ମନ୍ତ୍ରୀ ଆହୁରି କହିଛନ୍ତି ଯେ ମୃତ୍ୟୁସଂଖ୍ୟାରେ ରୋକ୍ ଲଗାଇବା ପାଇଁ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ଚାରାରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶୀବିର, ପକ୍ଷୀ ସୁରକ୍ଷା ଶୀବିର, ଜଙ୍ଗଲରେ ପଇଁତରା, ବୈଷୟୀକ ଜ୍ଞାନକୌଶଳର ଉପଯୋଗୀତା ମାଧ୍ୟମରେ ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନୀରିକ୍ଷଣ କରାଯାଉଛି । ଏହା ବ୍ୟତୀତ ଆଣ୍ଟି-ପୋଚିଂ ସ୍କ୍ୱାର୍ଡ ମୁତୟନ କରାଯିବା ସହ ଜନ ସଚେତନତା ଭଳି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି ।








