ପ୍ରତିଟି ‘ନା’କୁ ‘ହଁ’ କରିବାର ଇଚ୍ଛା, ହ୍ୱିଲଚେୟାରରେ ପଢୁଛନ୍ତି ସାମ୍ବାଦିକତା

ପ୍ରତିଟି 'ନା'କୁ 'ହଁ' କରିବାର ଇଚ୍ଛା, ହ୍ୱିଲଚେୟାରରେ ପଢୁଛନ୍ତି ସାମ୍ବାଦିକତା

ହିନ୍ଦିରେ ଏକ ପଂକ୍ତି ଅଛି- “ସଙ୍ଘର୍ଷ ଜିତନା ବଡ଼ା ହୋଗା, ଜିତ୍ ଉତନା ହି ଶାନଦାର ହୋଗୀ…” ଆଉ ଏହି ଶାନଦାର ସଫଳତାର ସ୍ୱାଦ ଚାଖିବାକୁ ପ୍ରତିବନ୍ଧକର ପାହଡ଼ ଫଟାଇ ଆଗେଇ ଚାଲିଛନ୍ତି ଜଣେ ଭିନ୍ନକ୍ଷମ ଯୁବତୀ । ଶରୀରର 90 ଭାଗ ଅକ୍ଷମ ହୋଇଯାଇ ଥିଲେ ବି ତଙ୍କ ଆତ୍ମବଳକୁ କେହି ମାରି ପାରିନି, ତାଙ୍କ ମନରେ କେହି ବେଡ଼ି ପକାଇପାରିନି । ଜୀବନ ଯୁଦ୍ଧରେ ତୁ ହାରିଯାଇଛୁ କହୁଥିବା ଲୋକଙ୍କୁ ସେ ବିଜୟ କଣ ଜଣାଇଦେବାକୁ କରୁଛନ୍ତି ଅହରାତ୍ର ପ୍ରୟାସ । ଏ ଯୁବତୀ ଜଣକ ହେଉଛନ୍ତି 25 ବର୍ଷୀୟ ରୁଚିତା । ଦେଶର ପ୍ରଥମ ଭିନ୍ନକ୍ଷମ ସାମ୍ବାଦିକ ହେବାର ସ୍ୱପ୍ନ ନେଇ ପହଞ୍ଚିଛନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନ (IIMC, ଢେଙ୍କାନାଳରେ) ।

ରୁଚିତାଙ୍କ ସ୍ୱପ୍ନ ସାକାର କରିବାକୁ ଆଗେଇ ଆସିଛି ଭାରତର ଏହି ପ୍ରତିଷ୍ଠିତ ସଂସ୍ଥା । ଇନଷ୍ଟିଚୁଟ୍ ପକ୍ଷରୁ ରୁଚିତାଙ୍କ ପାଠ ପଢା ଏବଂ ରହଣୀର ସମସ୍ତ ବନ୍ଦୋବସ୍ତ କରାଇଛନ୍ତି । ତାଙ୍କ ପାଇଁ କ୍ୟାମ୍ପସରେ ରାମ୍ପ ଓ ମହିଳା ଆବାସରେ ରୁଚିତାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ନିର୍ମାଣ କରାଯାଇଛି । ଏଥିସହ ତାଙ୍କ ଯତ୍ନ ନେବା ପାଇଁ ରୁଚିତାଙ୍କ ମାଆଙ୍କୁ କ୍ୟାମ୍ପସରେ ରହିବାକୁ ମଧ୍ୟ ଅନୁମତି ଦେଇଛି ଅନୁଷ୍ଠାନ । କ୍ଲାସରୁମରେ ମଧ୍ୟ ତାଙ୍କୁ ସହଯୋଗ ଓ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି ସହପାଠୀ ।

ପିଲାଟି ବେଳୁ ଯେଉଁ ଝିଅକୁ କିଛି କରିପାରିବୁନି ବୋଲି କୁହାଯାଉଥିଲା, ତାଙ୍କ ସ୍ୱପ୍ନର ଡେଣାରେ ଉଡ଼ାଣ ଭରିଛି IIMC, ଢେଙ୍କାନାଳ । କାହିଁକିନା ରୁଚିତା ଯେତେବେଳେ ସ୍କୁଲ୍ ଯିବାକୁ ମନସ୍ତ କରିଥିଲେ, ପ୍ରଧାନ ଶିକ୍ଷକ ତାଙ୍କୁ ଆଡମିସନ ପାଇଁ ଅନୁମତି ଦେଇନଥିଲେ । ଅଧିକାଂଶ ପ୍ରଧାନ ଶିକ୍ଷକ ଭିନ୍ନକ୍ଷମ ସ୍କୁଲରେ ନାମ ଲେଖାଇବାକୁ ପରାମର୍ଶ ଦେଇଥିଲେ । ହେଲେ ଏସବୁ ପରାମର୍ଶକୁ କର୍ଣ୍ଣପାତ କରିନଥିଲେ ରୁଚିତାଙ୍କ ବାପା । “ମୋ ଝିଅ ଶାରୀରିକ ଭାବେ ଭିନ୍ନକ୍ଷମ, କିନ୍ତୁ ମାନସିକ ଭାବେ ସେ ସକ୍ଷମ ଅଛି ସେ ଅନ୍ୟମାନଙ୍କ ଭଳି ସାଧାରଣ ସ୍କୁଲରେ ହିଁ ପଢିବ” ବୋଲି ଜିଦ୍ ଧରିଥିଲେ । ବାପାଙ୍କ ଦୃଢ ଇଚ୍ଛା ସତ୍ତ୍ୱେ 18 ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷାରୁ ବଞ୍ଚିତ ରହିଥିଲେ ରୁଚିତା ।

ରୁଚିତାଙ୍କ ଜୀବନରେ ବଦଳିଥିଲା ମୋଡ଼

18 ବର୍ଷ ବୟସରେ ରୁଚିତା ଯେତେବେଳେ କେରଳର ଏକ NGO ସଂସ୍ଥା ଅମୃତବର୍ଷିଣୀ ପ୍ରତିଷ୍ଠାତା ଲତା ନାୟାରଙ୍କୁ ଭେଟିଥିଲେ, ସେତେବେଳେ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା । ଲତା ନାୟାରଙ୍କୁ ରୁଚିତା ଶ୍ରଦ୍ଧାର ‘ଦ୍ୱିତୀୟ ମାଆ’ ଭାବେ ସମ୍ୱୋଧନ କରନ୍ତି । ଏହାପରେ ରୁଚିତା IGNOU ରେ ବ୍ୟାଚେଲର ପ୍ରିପାରେଟୋରୀ ପ୍ରୋଗ୍ରାମ (BPP)ରେ ଯୋଗ ଦେଇଥିଲେ । ଏହା 18 ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ଏକ ଛଅ ମାସର ପାଠ୍ୟକ୍ରମ । 2021ରେ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ, ସେ 2023ରେ IGNOU ରୁ ସମାଜବିଜ୍ଞାନ ଏବଂ ଇଂରାଜୀ ସାହିତ୍ୟ(English Literature)ରେ ସ୍ନାତକ (BA) ହାସଲ କରିଥିଲେ ।

ଏହିଠାରୁ ହିଁ ଇଂରାଜୀ ସାହିତ୍ୟ ପ୍ରେମରେ ପଡ଼ି ଯାଇଥିଲେ ଆଉ ସାମ୍ବାଦିକ ହେବାକୁ ସ୍ୱପ୍ନ ଦେଖିଥିଲେ, ଆଉ  IIMCରେ ନାମଲେଖାଇବାକୁ ମନବଳାଇଥିଲେ ରୁଚିତା । “ଗତ କିଛି ବର୍ଷ ଧରି IIMC ମୋ ମନରେ ରହିଥିଲା” ବୋଲି ରୁଚିତା କହନ୍ତି । ଆଉ ଶେଷରେ ସମସ୍ତ ବାଧାବିଘ୍ନକୁ ଏଡାଇ ସାମ୍ବାଦିକ ହେବା ଦିଗରେ ଆଗେଇ ଚାଲିଛନ୍ତି, ଯେଉଁଥିରେ ବାପାମାଆ, ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଏବଂ ସର୍ବୋପରି ତାଙ୍କ ସହପାଠୀ ସମର୍ଥନର ହାତ ବଢାଇଛନ୍ତି । ସାମ୍ବାଦିକତା ପଢିବା ପୂର୍ବରୁ ରୁଚିତା 3ରୁ4ଟି ଆର୍ଟିକିଲ୍ ଲେଖି ସାରିଛନ୍ତି, ଯାହା ଆୱାର୍ଡ ପାଇଛି ମଧ୍ୟ । ଏସବୁ ତାଙ୍କ ମନୋବଳ ଓ କିଛି କରିବାର ଉଦାହରଣ ନିଶ୍ଚୟ ।

ରୁଚିତାଙ୍କ ଜୀବନଯାତ୍ରା, ସାହସିକତା ଓ ପ୍ରେରଣା

ରୁଚିତା ଯେତେବେଳେ ଜନ୍ମ ହୋଇଥିଲେ ଅନ୍ୟ ପିଲାଙ୍କ ପରି ସୁସ୍ଥ ହୋଇ ଜନ୍ମ ହୋଇଥିଲେ । ମାତ୍ର ଧୀରେ ଧୀରେ ସେ ଅଷ୍ଟିଓଜେନେସିସ୍ ଇମପରଫେକ୍ଟା (OI) ରୋଗରେ ଚିହ୍ନଟ ହୋଇଥିଲେ । ଏହା ଏକ ଜେନେଟିକ୍ ଅବସ୍ଥା, ଏହି ରୋଗ ହେଲେ କାଚ ଭଳି ହାଡ଼ଗୁଡିକ ଭାଙ୍ଗି ହୋଇଯାଏ । ରୋଗ ସହଲ ଧୀରେ ଧୀରେ ଚାଲିବାରେ ଅକ୍ଷମ ହୋଇ ପଡିଥିଲେ । ରୁଚିତାଙ୍କ ଏପରି ରୋଗ ବାବଦରେ ଜାଣି ଗାଁ-ସାହି-ପଡ଼ିଶା ତାଙ୍କୁ ଅନ୍ୟତ୍ର ଛାଡ଼ି ଦେବାକୁ ପରାମର୍ଶ ଦେଇଥିଲେ । କେହି କେହି ଜୀବନରୁ ମାରି ଦେବାକୁ ବି କହିଥିଲେ! ହେଲେ ତାଙ୍କ ବାପା ଅନ୍ୟ କାହା କଥା ଶୁଣିନଥିଲେ । ଝିଅକୁ ସଫଳ କରାଇବା ଦିଗରେ ଆଗେଇ ଚାଲିଥିଲେ । ଆଉ ଆଜି ରୁଚିତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories