ଘର ତିଆରି ସାମଗ୍ରୀଠୁ ଅଧିକ ପଡୁଛି ଗାଡ଼ିଭଡ଼ା, ଘରପାଇଁ ମନ ବଳାଉନାହାନ୍ତି ସ୍ୱାଭିମାନ ଅଞ୍ଚଳବାସୀ

 ଘର ତିଆରି ସାମଗ୍ରୀଠୁ ଅଧିକ ପଡୁଛି ଗାଡ଼ିଭଡ଼ା

ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ପକ୍କା ଘର ନେଇ ଯୋଜନା ପରେ ଯୋଜନା କରିଥିବାବେଳେ ଏମିତି ବି ଜାଗା ଅଛି ଯେଉଁଠି ଏବେ ବି କୋଠା ଘର ନାହିଁ। ଏମାନଙ୍କ ପାଇଁ ଯୋଜନ ଯୋଜନ୍ ଦୂରରେ ରହିଛି ସରକାରୀ ଯୋଜନା। ଅନ୍ୟ କେଉଁଠି ନୁହେଁ ଏମିତି ଜାଗା ରହିଛି ଓଡ଼ିଶାରେ । ଆମେ କହୁଛୁ ମାଲକାନଗିରି ଜିଲ୍ଲା ବଣ୍ଡା ଘଟି କଥା । ଆବାସ ଯୋଜନାରେ ଏଠି ଘର ନିର୍ମାଣ କରୁନାହାନ୍ତି ବଣ୍ଡା ଆଦିବାସୀ। ବଣ୍ଡାଘାଟିର ମୁଦୁଲିପଡ଼ା ଓ ଅଣ୍ଡରାହାଲ ଅଞ୍ଚଳରେ ବୁଲି ବୁଲି ସଚେତନ କରାଉଛି ପ୍ରଶାସନ। ବିଭିନ୍ନ ସରକାରୀ ଯୋଜନାରେ ଘର ପାଇଁ ଆନ୍ତରିକତା ଦେଖାଉନାହାନ୍ତି ବଣ୍ଡା ଆଦିବାସୀ ।

ଟଙ୍କା ପାଇଲା ପରେବି ନିର୍ମାଣ କାମ କରୁନାହାନ୍ତି । ଦିନରେ ଲୋକେ ବ୍ୟସ୍ତ ଥିବାରୁ ରାତିରେ ବୁଲୁଛନ୍ତି ସରକାରୀ ଅଧିକାରୀ । ଯନ୍ତ୍ରୀଙ୍କ ଠୁ ଆରମ୍ଭ କରି ପିଇଓ , ବିଡ଼ିଓ ସମସ୍ତେ ବଣ୍ଡାଘାଟିର ବିଭିନ୍ନ ଗାଁକୁ ରାତିରେ ବୁଲି ବୁଲି ଲୋକଙ୍କୁ ଆବାସ ଯୋଜନାରେ ଘର କାମ ଶେଷ କରିବାକୁ ବୁଝାଉଛନ୍ତି । ଘର କାମ ଆରମ୍ଭ କରିବାକୁ ବହୁ ଲୋକେ ମନ ବଳାଉ ନାହାନ୍ତି ଏହାର କାରଣ ବର୍ଷା ଦିନେ ଆସିଥିବା ପ୍ରଥମ କିସ୍ତି ଟଙ୍କାକୁ ଚାଷ କାମରେ ଲଗାଇ ଦେଇଛନ୍ତି । ଭିନ୍ନ ଭିନ୍ନ କାରଣ ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି।

ଏହା ବାଦ ଘାଟି ଅଞ୍ଚଳରେ ଘର ପାଇଁ ବାଲି, ଗୋଡ଼ି, ଇଟା ର ମୂଲ୍ୟଠୁ ଗାଡ଼ି ଭଡ଼ା ଅଧିକ । ତେଣୁ ସେସବୁ ସାମଗ୍ରୀକୁ ଆଣିବା ପାଇଁ ଅଧିକ ଗାଡ଼ି ଭଡ଼ାଖର୍ଚ୍ଚ ହେଉଛି । ତେଣୁ ଏସବୁ ବଣ୍ଡା ଅଧିବାସୀଙ୍କ ପାଇଁ କଷ୍ଟ। ଆଉ ଗୋଟେ କାରଣ ହେଲା ଘର ଲାଗି ଲାଗି ହୋଇ ରହିଥାଏ ତେଣୁ ଘରକୁ ଭାଙ୍ଗି ପୁନଃ ନିର୍ମାଣ କରିବାକୁ ଅମଙ୍ଗ ହୋଇଥାନ୍ତି ବଣ୍ଡା ଆଦିବାସୀ । ସବୁଠୁ ବଡ କଥା ହେଉଛି ଯଦି ପକ୍କା ଘର ହୋଇଯାଏ ତେବେ ସରକାରଙ୍କ ବିଭିନ୍ନ ଯୋଜନାରୁ ଏମାନେ ବାଦ୍ ପଡ଼ିଯିବେ ବୋଲି ମନରେ ଦ୍ଵନ୍ଦ ରହିଛି ।ବଣ୍ଡାଘାଟୀରେ ଦୁଇ ପଞ୍ଚାୟତ ମୁଦୁଲି ପଡ଼ା ଓ ଅଣ୍ଡରାହାଲ ପାଇଁ ପ୍ରାୟ ୧୨ଶହ ଘର ପାଇଁ କାର୍ଯ୍ୟାଦେଶ ଆସିଛି । ମୁଦୁଲି ପଡ଼ା ପଞ୍ଚାୟତ ରେ ପ୍ରାୟ ୬ଶହଟି ଘର ମଧ୍ୟରୁ ୩୬ ଟି ଘର ସଂପୂର୍ଣ୍ଣ ନିର୍ମାଣ ହୋଇଥିବା ବେଳେ ୫୬୨ ଟି ଘର ଅଧାପନ୍ତରିଆ । ଠିକ୍ ସେହିଭଳି ଅଣ୍ଡରାହାଲ ରେ ପ୍ରାୟ ୬ଶହ ଟି ଘର ମଧ୍ୟରୁ ୬୭ ଘର ଶେଷ ହୋଇଥିବା ବେଳେ ବାକି ଘର କାମ ଶେଷ ହୋଇନାହିଁ। ଲୋକଙ୍କ ମନରୁ ଭୁଲ ଧାରଣା ଦୁରେଇବାକୁ ସଚେତନ କରୁଛି ପ୍ରଶାସନ।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories