ଭୁବନେଶ୍ୱର: ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋୟର ପିଏମଜିରେ ଧାରଣା ଦେଇଛି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଷୟ ପଢାଉଥିବା ୧୩ ହଜାରରୁ ଅଧିକ ଠିକା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି।
ଗତ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବାକୁ ଘୋଷଣା କରିଥିଲେ ସୁଦ୍ଧା ୪ ମାସ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ, ଯାହାକୁ ନେଇ ସଂଘ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି।
ସେହିପରି, ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ମଧ୍ୟ ସରକାରୀ ମାନ୍ୟତା ସହିତ ୧୩ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି। ଆଜି ପୂର୍ବାହ୍ଣରେ ମହାସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ଆସି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ। ତେବେ ଲୋୟର ପିଏମ୍ଜିରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇ ସେମାନଙ୍କୁ ଅଟକାଯାଇଥିଲା।
ଶିକ୍ଷକ ନେତୃବୃନ୍ଦ ଏଠାରେ ଏକ ପ୍ରତିବାଦ ସଭାରେ ଯୋଗ ଦେଇ କହିଥିଲେ ଯେ ପୂର୍ବ ସରକାର ୧୦ ବର୍ଷ ତଳେ ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ ମଧ୍ୟ ସେଠାରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସୁରକ୍ଷା ଓ ଭବିଷ୍ୟତ ଆଜି ଅନିଶ୍ଚିତ। ସେମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ମିଳିନାହିଁ।
ମୁଖ୍ୟ ଦାବିଗୁଡ଼ିକ:
• ଶିକ୍ଷକମାନଙ୍କ ପାଇଁ ଚାକିରିର ସର୍ତ୍ତାବଳୀ (କ୍ୟାଡର୍ ରୁଲ୍) ନିର୍ଦ୍ଧାରଣ କରାଯାଉ।
• ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପରୀକ୍ଷାରୁ ବଞ୍ଚିତ ନକରିବା ପାଇଁ ଉଚିତ ବ୍ୟବସ୍ଥା କରାଯାଉ।
• ମୃତ ୨୪ ଜଣ ଶିକ୍ଷକଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଉ, ଯାହାଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି।
ଶିକ୍ଷକ ସଂଘର ଏହି ଦୁଇଟି ଆନ୍ଦୋଳନ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପକାଇବାର ଆଶଙ୍କା ରହିଛି। ସରକାର ତୁରନ୍ତ ଏହି ଦାବିଗୁଡ଼ିକ ଉପରେ ବିଚାର କରିବାକୁ ଉଭୟ ସଂଘ ଦାବି କରିଛନ୍ତି।








