ଭୁବନେଶ୍ୱର ନିକଟସ୍ଥ ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ; ଡ୍ରଗ୍ସ ନେବାକୁ ବାଧ୍ୟ କରି ମାଡ଼ ମାରିଲେ ସିନିୟର ଛାତ୍ର

ଭୁବନେଶ୍ୱର ନିକଟସ୍ଥ ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ

ଓଡ଼ିଶା: ଭୁବନେଶ୍ୱର ଉପକଣ୍ଠ ପିପିଲି ବ୍ଲକ ଅଞ୍ଚଳରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଜଘନ୍ୟ ରାଗିଂ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। କେବଳ ମାଡ଼ ମାରିବା ନୁହେଁ, ବରଂ ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରିବା ସହ ଟଙ୍କା ପାଇଁ ଧମକ ଦିଆଯାଇଛି। ପୀଡିତ ଛାତ୍ରଙ୍କ ଅଭିଭାବକ ଏନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣା ବିଷୟରେ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ଛାତ୍ର ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି। ତାଙ୍କର ଜଣେ ସହପାଠୀ ଏବଂ କିଛି ସିନିୟର୍ ଛାତ୍ର ତାଙ୍କୁ କଲେଜର ଦ୍ୱିତୀୟ ମହଲାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଅଭିଯୋଗରେ ଦର୍ଶାଯାଇଛି ଯେ ରାଗିଂ କରୁଥିବା ଛାତ୍ରମାନେ ପୀଡିତ ଛାତ୍ରଙ୍କ ମୁହଁକୁ ପାଇଖାନା ପ୍ୟାନ୍ ଭିତରେ ଭର୍ତ୍ତି କରିଥିଲେ ଏବଂ ତାଙ୍କୁ ପାଇଖାନା ଚଟାଣ ଚାଟିବା ପାଇଁ ବାଧ୍ୟ କରିଥିଲେ। ଅମାନବୀୟ ଭାବେ ତାଙ୍କୁ ପାଇଖାନା ଭିତରେ ମାଡ଼ ମାରିବା ପରେ ସେଠାରୁ ବାହାରକୁ ଆଣି ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରାଯାଇଥିଲା।

ନିର୍ଯାତନା ଦେବା ପରେ, ସିନିୟର ଛାତ୍ରମାନେ ପୀଡିତଙ୍କୁ ଦୁଇ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଯୁବକ ଜଣକ ତାଙ୍କ ପରିବାରକୁ ଜଣାଇଥିଲେ। ପ୍ରଥମେ ଛାତ୍ରଙ୍କ ଅଭିଭାବକ କଲେଜ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍ ଜରିଆରେ ଏହି ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାରକୁ ଡାକି ଏହି ମାମଲାକୁ କ୍ୟାମ୍ପସ ଭିତରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି।

କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ଆପୋଷ ସମାଧାନ ପ୍ରସ୍ତାବରେ ରାଜି ନ ହୋଇ ପୀଡିତ ଛାତ୍ରଙ୍କ ପରିବାର ପିପିଲି ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ୍ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଆରମ୍ଭ କରିବା ସହ ପୀଡିତ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ରାଗିଂ ଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ୍ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି

Soloni Dash
Author: Soloni Dash

ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଏଣ୍ଡ କଲ୍ଚର୍ (Ssomac)ଭୁବନେଶ୍ୱରର ଛାତ୍ରୀ। ସାମ୍ବାଦିକତା ପାଠ୍ୟକ୍ରମ ସମାପ୍ତ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ କାମ କରିବାର ଗଭୀର ଅନୁଭବ ରହିଛି। ରାଜନୀତି, ବିଜ୍ଞାନ, ଖେଳ ଓ ମନୋରଞ୍ଜନ ଭଳି ବିଭିନ୍ନ ବିଷୟରେ ଷ୍ଟୋରି ଲେଖନରେ ବିଶେଷ ରୁଚି ଓ ପାରଦର୍ଶିତା।

Latest Stories