ଗଞ୍ଜାମ: ବଜାରରେ ମିଳୁଥିବା ଅତର ଭିତରେ କିଆ ଫୁଲରୁ ତିଆରି ଅତର ଚାହିଦା ଢେର ଅଧିକ । ସେଥିପାଇଁ ତ କିଆ ଫୁଲ ବେଶ ଗୁରୁତ୍ଵ ବହନ କରେ । ବଜାରରେ ଯେତେ ବି ଅତର ମିଳୁଛି ତା ଭିତରୁ କିଆଫୁଲର ତିଆରି ଅତର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୁଏ । ଆଉ କିଆଫୁଲ ଅତରରେ ଗଞ୍ଜାମ ଜିଲ୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମୁଦ୍ର କୁଳେ ଶହଶହ କିଲୋମିଟର ବ୍ୟାପୀ ରହିଛି କିଆ ଗଛ । ଗଞାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଓ ଛତ୍ରପୁର ବ୍ଲକର ବିଭିନ୍ନ ସମୁଦ୍ରକୂଳିଆ ଗାଁର ବ୍ୟାପକ ଅଞ୍ଚଳରେ ହୁଏ କିଆ ଚାଷ । କିଆ ଫୁଲ ସଂଗ୍ରସହ ପାଇଁ ଗଛକୁ ଅତି ଯତ୍ନର ସହ ବଢ଼ାଇ ଥାନ୍ତି ସ୍ଥାନୀୟ ଲୋକେ । ତିନୋଟି ବ୍ଲକର ପ୍ରାୟ ୪୦ ହଜାର ପରିବାରର ଅଢ଼େଇ ଲକ୍ଷରୁ ଅଧିକ କିଆ ଚାଷ ଉପରେ ନିର୍ଭର କରନ୍ତି । ବର୍ଷକର ପରିଶ୍ରମ ଲୋକଙ୍କ ଭରସା କିଆ ଫୁଲ ଉପରେ ନିର୍ଭର । କିଆ ଫୁଲ ବ୍ୟବସାୟରୁ ପରିବାର ଚଳାଉଛନ୍ତି ୪୦ହଜାର ପରିବାର। ବଜାରରେ କିଆଫୁଲ ଅତର ଲିଟର ୧୬ ରୁ ୧୭ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ତେଣୁ ଏହାକୁ ଭରସା କରି ବର୍ଷ ତମାମ କିଆ ଚାଷରେ ଲାଗିଥାନ୍ତି । ଚାଷୀମାନେ କିଆ ଫୁଲକୁ ତୋଳି ପ୍ରତିଦିନ ଭାଟିକୁ ନେଇଥାନ୍ତି । ଏଥିପାଇଁ ଚାଷୀମାନେ ଫୁଲ ପିଛା ଟଙ୍କା ପାଇଥାନ୍ତି । ଗୋଟିଏ କିଆଫୁଲକୁ ଚାଷୀମାନେ ୩୦ ରୁ ୩୧ ଟଙ୍କାରେ ବିକ୍ରି କରାଯାଏ । ଭାଟିରେ କିଆଫୁଲକୁ ପ୍ରକ୍ରିୟାକରଣ କରି ସେଥିରୁ ଅତର ବାହାର କରାଯାଏ ।
ରାଜ୍ୟ ଭିତରେ ଅତରର ଚାହିଦା ଯେତିକି ତାଠୁ ବେଶୀ ରାଜ୍ୟ ତଥା ଦେଶ ବାହାରେ । ଏହି ଅତର ବିଶେଷ ଭାବେ ଉତ୍ତରପ୍ରଦେଶର କନୌଜ ସମେତ ବିଭିନ୍ନ ରାଜ୍ୟ ଓ ଦେଶକୁ ଯାଇଥାଏ । କନୌଜରୁ ବିଭିନ୍ନ ରାଜ୍ୟ ଓ ଦେଶ ବାହାରକୁ ମଧ୍ୟ ଯାଇଥାଏ ଗଞ୍ଜାମର କିଆଫୁଲର ଅତର । ଗଞ୍ଜାମ କିଆଫୁଲ ଅତରର ଚାହିଦା ଅଧିକ ଥିବା ବେଳେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବାରୁ ଭାଟି ମାଲିକମାନେ କେବଳ କନୌଜ ବ୍ୟବସାୟୀଙ୍କୁ ହିଁ ବିକ୍ରି କରିଥାନ୍ତି । ତେବେ ଏବର୍ଷ କିଆଫୁଲ ଅତର ଦର କମିବା ବାଧିଛି କିଆଫୁଲ ବ୍ୟବସାୟୀ ଓ ଭାଟି ମାଲିକଙ୍କୁ । ୨୦୨୩ରେ ଗୋଟିଏ କିଆଫୁଲର ଦାମ ୧୨ ଟଙ୍କା ୫୦ ପଇସା ଥିବା ବେଳେ ଏବର୍ଷ ୩୦ ରୁ ୩୧ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ୨୦୨୩ରେ କିଆ ଫୁଲ ଅତର ଲିଟର ୧୬ ଲକ୍ଷରୁ ୧୭ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବର୍ଷ କମିଛି ଦର । ଏବର୍ଷ ଲିଟର ପ୍ରାୟ 8 ଲକ୍ଷରୁ 10 ଲକ୍ଷ ଟଙ୍କା ଦରରେ ବିକ୍ରି ହେଉଛି । ଫୁଲ ଦର୍ ବୃଦ୍ଧି ହୋଇଥିବାବେଳେ କିଆଫୁଲ ଅତର ଦର କମିବା ବ୍ୟବସାୟୀ ଓ ଭାଟି ମାଲିକଙ୍କୁ ଚିନ୍ତାରେ ପକାଇଛି । ବ୍ୟବସାୟୀ ଓ ଭାଟି ମାଲିକଙ୍କ କହିବା କଥା ଗୋଟିଏ ଲିଟର କିଆ ଫୁଲ ଅତର ପାଇଁ ପ୍ରାୟ ୩୩ ହଜାର ଫୁଲକୁ ପ୍ରକ୍ରିୟାକରଣ କରିବାକୁ ପଡ଼େ । ଏଥିପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଏବର୍ଷର ଅତର ବଜାର ଦରରେ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇବ ।
ଫଳରେ ଜିଲ୍ଲାରେ କିଆଫୁଲ ଅତର ଉତ୍ପାଦନ ପ୍ରଭାବିତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଜିଲ୍ଲାରେ ଏବର୍ଷ ପ୍ରାୟ ୩୦୦ ଲିଟରରୁ ଅଧିକ କିଆ ଫୁଲ ଅତର ବ୍ୟବସାୟୀଙ୍କ ନିକଟରେ ଷ୍ଟକ ରହିଛି । ବ୍ୟବସାୟୀଙ୍କ ଦାବି ଜିଲ୍ଲାରେ କିଆଫୁଲ ବୋର୍ଡ ହେଲେ ସମସ୍ୟାର ସମାଧାନ ହୋଇପାରନ୍ତା । ଗଞ୍ଜାମର କିଆଫୁଲ ଅତର ପାଇଁ ବଜାର ସୃଷ୍ଟି ହେବା ସହ ଏକ ସ୍ବତନ୍ତ୍ର ପରିଚୟ ହୋଇପାରନ୍ତା ।







