୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ : ଲାଇଭ୍ ସ୍କେଚିଙ୍ଗ ଓ ସଚେତନତା ଷ୍ଟଲରେ ପାଠକଙ୍କ ଭିଡ଼

୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ : ଲାଇଭ୍ ସ୍କେଚିଙ୍ଗ ଓ ସଚେତନତା ଷ୍ଟଲରେ ପାଠକଙ୍କ ଭିଡ଼

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ତେବେ ରାଜ୍ୟର ସର୍ବବୃହତ ପୁସ୍ତକ ମହୋତ୍ସବକୁ ସରିବାକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ, ପ୍ରଦର୍ଶନୀ ପଡ଼ିଆରେ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଏକ ଲାଇଭ୍ ସ୍କେଚିଙ୍ଗ କାଉଣ୍ଟର ନିର୍ମାଣ କରାଯାଇଛି, ଯେଉଁଠାରେ ପାଠକମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳୁଛି। ପ୍ରତିଦିନ ସନ୍ଧ୍ୟାରେ ମହାବିଦ୍ୟାଳୟର ୮ଜଣ ଛାତ୍ର ଏଠାରେ ରହି ପାଠକମାନଙ୍କର ଲାଇଭ ସ୍କେଚିଙ୍ଗ କରୁଛନ୍ତି ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଟି ପେନସିଲ ସ୍କେଚିଙ୍ଗ ପାଇଁ ୩୫୦ ଟଙ୍କା ଏବଂ ତୂଳୀରଙ୍ଗ ସ୍କେଚିଙ୍ଗ ଚିତ୍ରକଳା ପାଇଁ ୪୫୦ ଟଙ୍କା ମୂଲ୍ୟ ରହିଛି।

ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଚିତ୍ରକଳା ବିଭାଗରେ ଅଧ୍ୟୟନରତ ଛାତ୍ର ଶଶୀକାନ୍ତ କହିଛନ୍ତି ଯେ, “ପୁସ୍ତକ ମହୋତ୍ସବରେ ଲାଇଭ ସ୍କେଚିଙ୍ଗ କରିବାର ସୁଯୋଗ ମିଳିବା ଆମ ପାଇଁ ଆନନ୍ଦର ବିଷୟ। ଏହାଦ୍ୱାରା ଆମ ଦକ୍ଷତା ଓ କଳା ନୈପୁଣ୍ୟତାର ବିକାଶ ହେବା ସହ ଲୋକମାନଙ୍କ ସହ ମିଶିବା ଏବଂ ତାଙ୍କର ଚିତ୍ରକଳା ପ୍ରତି ରହିଥିବା ଆଗ୍ରହ ସମ୍ବନ୍ଧରେ ଜାଣିବାର ସୁଯୋଗ ମିଳୁଛି ଯାହାକି ଆମ ଅଭିଜ୍ଞତାକୁ ପରିପୁଷ୍ଟ କରୁଛି। ବିଗତ ଦିନରେ ଭାରତୀୟ ରୋଡ଼ କଂଗ୍ରେସରେ ମଧ୍ୟ ଆମେ ଦର୍ଶକମାନଙ୍କର ଲାଇଭ ସ୍କେଚିଙ୍ଗ କରିଥିଲୁ। ଆଗାମୀ ଦିନରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ନିମନ୍ତେ ଆଶା ରଖିଛୁ।”

ପୁସ୍ତକ ମହୋତ୍ସବରେ ପାଠକମାନଙ୍କ ପାଇଁ ବିଭିନ୍ନ ଗଳ୍ପ, କବିତା, ପ୍ରବନ୍ଧ, ପାଠ୍ୟପୁସ୍ତକକୁ ଉପଲବ୍ଧ କରାଇବା ସହ ଲୋକମାନଙ୍କର ବିତ୍ତୀୟ ସାକ୍ଷାରତାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ବିତ୍ତୀୟ ଦୁନିଆର ତଥ୍ୟ ଓ ବିବରଣୀକୁ ନେଇ ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ଼ (SEBI) ପକ୍ଷରୁ ପୁସ୍ତକ ମହୋତ୍ସବରେ ଏକ ଷ୍ଟଲ ନିର୍ମାଣ କରାଯାଇଛି। ଷ୍ଟଲରେ ବିତ୍ତୀୟ ଶିକ୍ଷା ପୁସ୍ତକ, ବିତ୍ତୀୟ ଯୋଜନା ସମ୍ବନ୍ଧୀୟ ମାର୍ଗଦର୍ଶିକା ପ୍ରଦାନ କରାଯିବା ସହ ସିକ୍ୟୁରିଟି ମାର୍କେଟ୍‌ରେ ନିବେଶ, ସଞ୍ଚୟ ଓ ବୀମା ସମ୍ପର୍କୀୟ ତଥ୍ୟ ଓ ବିବରଣୀ, ପେନସନ, ଅବସର ଏବଂ ଇଷ୍ଟେଟ ଯୋଜନା, ନିବେଶ ବିଳଳ୍ପ ପାଇଁ ସରକାରୀ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ସୂଚନା ପ୍ରଦାନ କରାଯାଉଛି। ଏଥିସହ ପ୍ରତି ସନ୍ଧ୍ୟାରେ ଏହି ଷ୍ଟଲରେ ଏକ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଉଛି ଏବଂ ପାଠକମାନଙ୍କୁ ଉପହାର ମଧ୍ୟ ପ୍ରଦାନ କରାଯାଉଛି।

ଆଗାମୀ ୨୦୨୭ ମସିହାରେ ଭାରତରେ ଜନଗଣନା ହେବାକୁ ଥିବା ବେଳେ ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ଜନଗଣନାର ଏକ ଷ୍ଟଲ ନିର୍ମାଣ କରାଯାଇଛି। ଜନଗଣନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଜନଗଣନା ଷ୍ଟଲରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଜନଗଣନା ପୁସ୍ତିକା (୨୦୧୧ ମସିହା ଅନୁଯାୟୀ) ଉପଲବ୍ଧ ହେଉଛି ଯାହାକି ପାଠକମାନଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ସେହିପରି ଭାବେ ଟେଲିକମ୍ ବିଭାଗ ପକ୍ଷରୁ ସାଇବର ସଚେତନତା ସୃଷ୍ଟି କରିବା ପାଇଁ ଏକ ଷ୍ଟଲ ନିର୍ମାଣ କରାଯାଇଛି ଯେଉଁଠାରେ ଡିଜିଟାଲ ଠକାମୀର କିପରି ଆମେ ଶିକାର ନ ହେବା ଏବଂ ସାଇବର ସଚେତନତା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି। ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷର ପୁସ୍ତକ ମହୋତ୍ସବରେ ୫୫୦ଟି ଷ୍ଟଲ ନିର୍ମାଣ ହେବା ସହ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ପୁସ୍ତକ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ପାଠକମାନେ ବହି କିଣିବା ସହ କୋରାପୁଟ କଫିର ମଜା ନେଉଛନ୍ତି ଓ ଫୁଡ଼ ଷ୍ଟଲରେ ମିଲେଟ୍ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟକୁ ବେଶ୍ ପସନ୍ଦ କରୁଛନ୍ତି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories