ଓଡ଼ିଶା ପୋଲିସ ପକ୍ଷରୁ ତଟବର୍ତ୍ତୀ ଅଞ୍ଚଳରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ

ଓଡ଼ିଶା ପୋଲିସ ପକ୍ଷରୁ ତଟବର୍ତ୍ତୀ ଅଞ୍ଚଳରେ କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ

ଭୁବନେଶ୍ବର: ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ବିଶ୍ୱାସ, ଭରସା, ସହଯୋଗ, ସହାୟତା ତଥା ସାମାଜିକ ସମ୍ପର୍କକୁ ନିବିଡ଼ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ଓଡ଼ିଶା ପୋଲିସର ସାମୁଦ୍ରିକ ଥାନା ଦ୍ଵାରା ଆୟୋଜିତ “କମ୍ୟୁନିଟି ପୋଲିସିଂ” କାର୍ଯ୍ୟକ୍ରମ । ସାମୁଦ୍ରିକ ଥାନାଗୁଡିକରେ କାର୍ଯ୍ୟରତ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନେ ତଟବର୍ତ୍ତୀ ଅଞ୍ଚଳରେ ‘କମ୍ୟୁନିଟି ପୋଲିସିଂ’ ମାଧ୍ୟମରେ ସମାଜରେ ଶାନ୍ତି–ଶୃଙ୍ଖଳା ବଜାୟ, ଧନ ଜୀବନ ସୁରକ୍ଷା ଏବଂ ପୁଲିସ–ଜନତା ସମ୍ପର୍କକୁ ସୁଦୃଢ କରିବା ଭଳି କାର୍ଯ୍ୟକୁ ପ୍ରଭାବଶାଳୀ କରିବାରେ ଗୁରୁ ଦାୟିତ୍ଵ ତୁଲାଉଛନ୍ତି ।

ବିଗତ କିଛି ଦିନ ଧରି ଓଡ଼ିଶା ପୋଲିସର ସାମୁଦ୍ରିକ ଥାନା ଗୁଡିକ ପକ୍ଷରୁ ବ୍ୟାପକ ଜନ ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ବାସିନ୍ଦା, ମତ୍ସଜୀବୀ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ଯୁବବର୍ଗ, ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଉଛି । ନିରାପତ୍ତା ନିମିତ୍ତ ସଚେତନତା, ମହିଳା ଓ ଶିଶୁଙ୍କ ସୁରକ୍ଷା, ଯୁବ ବର୍ଗଙ୍କ ଭବିଷ୍ୟତ, ସାଇବର ସଚେତନତା ଅଭିଯାନ, ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଏବଂ ସମୁଦ୍ରତଟର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରଯାଉଛି । ଏହା ସହ ମାଦକ ଦ୍ରବ୍ୟ ବ୍ୟବହାର ଯୋଗୁଁ ସମାଜ ତଥା ପରିବାରର କ୍ଷତି ଏବଂ ଯୁବ ସମାଜର ଭୂମିକା ସଂକ୍ରାନ୍ତରେ ମଧ୍ୟ ସଚେତନ କରଯାଉଛି ।

ଏହା ବ୍ୟତୀତ ଅପରାଧିକ କାର୍ଯ୍ୟକଳାପ ଏବଂ ସମାଜ ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଏହା ସହ ତଟ ବର୍ତ୍ତୀ ଅଞ୍ଚଳଗୁଡିକରେ ସମୁଦ୍ର ପଥରେ ସନ୍ଦିଗ୍ଧ ଅପରାଧୀଙ୍କ ଗତିବିଧି, ଆତଙ୍କବାଦୀ କାର୍ଯ୍ୟକଳାପ, ବେଆଇନ ଅନୁପ୍ରବେଶକାରୀ, ନିଶା ଦ୍ରବ୍ୟ ଚୋରା କାରବାର ଓ , ମାନବ ଚୋରା ଚାଲାଣ ଇତ୍ୟାଦିକୁ ରୋକାଯିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ସଚେତନତା କରାଯାଉଛି । ସାମୁଦ୍ରିକ ଥାନାର ପୁଲିସ୍ ଅଧିକାରୀମାନେ ଭାରତୀୟ କୋଷ୍ଟ ଗାର୍ଡର ଅଧିକାରୀଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି ଏହି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରୁଛନ୍ତି ।

ଏହା ବ୍ୟତୀତ ମତ୍ସ୍ୟଜୀବୀ ଏବଂ ସମୁଦ୍ରତଟ ବାସିନ୍ଦାଙ୍କ ସହ ନିୟମିତ ଯୋଗାଯୋଗ ରଖି ସୂଚନା ଆଦାନ-ପ୍ରଦାନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଅଗ୍ରଣୀ ଭୂମିକା ତୁଲାଉଛନ୍ତି । ପୋଲିସ ଟିମ ଗୁଡିକ ଗାଁ ଗାଁରେ ପହଞ୍ଚି ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବା ସହ ସେମାନଙ୍କ ସମାଜିକ ସମସ୍ୟା ସମାଧାନରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । କମ୍ୟୁନିଟି ପୋଲିସିଂ ଜରିଆରେ ଜନ ସାଧାରଣ ଓ ପୁଲିସ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ସହିତ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ସୁରକ୍ଷାକୁ ନିଶ୍ଚିତ କରିହେବ ବୋଲି ସାମୁଦ୍ରିକ ଥାନା ପୁଲିସ୍ ଆଶାବାଦୀ ଅଛନ୍ତି ।

ଆଗାମୀ ଦିନରେ ପୁଲିସ୍–ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ କରିବା, ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସନ୍ଦିଗ୍ଧ କାର୍ଯ୍ୟକଳାପ ବିଷୟରେ ତ୍ୱରିତ ସୂଚନା ମିଳିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରାଯାଉଛି । ସାରା ରାଜ୍ୟରେ ଓଡ଼ିଶା ପୋଲିସର ବିଭିନ୍ନ ଜିଲ୍ଲାରେ 18ଟି ସାମୁଦ୍ରିକ ଥାନା ପକ୍ଷରୁ 303ଟି କମ୍ୟୁନିଟି ପୋଲିସିଂ ଆୟୋଜନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ। କମ୍ୟୁନିଟି ପୋଲିସିଂ ହେଉଛି ସାଧାରଣ ଜନତା ଓ ପୋଲିସଙ୍କ ମଧ୍ୟରେ ଏକ ବିଶ୍ୱାସର ସେତୁ। ଏହା ଦ୍ୱାରା ତଟବର୍ତ୍ତୀ ଅଞ୍ଚଳରେ ପୋଲିସ ଲୋକଙ୍କ ବିଶ୍ୱାସଭାଜନ ହେବା ସହ ଆଗାମୀ ଦିନରେ ଉତ୍ତମ ସେବା ପ୍ରଦାନ କରିବାରେ ଗୁରୁ ଦାୟିତ୍ୱ ତୁଲାଇବ ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି । ଲୋକଙ୍କ ସହଭାଗିତାରେ ରାଜ୍ୟରେ ଅପରାଧ ସଂଖ୍ୟା ହ୍ରାସ ପାଇବ ଏବଂ ସମାଜରେ ଶାନ୍ତି ବଜାୟ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Hindustan Tales Odisha
Author: Hindustan Tales Odisha

Hindustan Tales Odisha brings you the latest news, Breaking News from Odisha, India and around the world.Stay informed with breaking News,24*7 Updates.

Latest Stories